ଟିକା ଗୋଟିଏ, କିନ୍ତୁ ପରିଚୟ ଭିନ୍ନ: ବ୍ରିଟେନର ପକ୍ଷପାତୀ ଭ୍ରମଣ ନୀତିକୁ ନେଇ ଭାରତ କ୍ଷୁବ୍ଧ
ପ୍ରସାଦ ରାଓ
ସେପ୍ଟେମ୍ବର ୨୨
ସେପ୍ଟେମ୍ବର ୧୭ ତାରିଖରେ ବ୍ରିଟେନ ତାହାର ଆନ୍ତର୍ଜାତିକ ଭ୍ରମଣ ନୀତି ଘୋଷଣା କରିଛି । ନୂଆ ନୀତି ଅକ୍ଟୋବର ୪ରୁ ଲାଗୁ ହେବାକୁ ଥିବା ବେଳେ ଏଥିରେ ଭାରତୀୟଙ୍କ ପ୍ରତି ପକ୍ଷପାତ ହେଉଥିବା ଭାରତ ସରକାର ଅଭିଯୋଗ କରିଛନ୍ତି । ବ୍ରିଟେନ ଅକ୍ଟୋବର ୪ ତାରିଖ ପୂର୍ବରୁ ଏହି ପକ୍ଷପାତ ଦୂର କ ନକଲେ ଭାରତ ମଧ୍ୟ ଅନୁରୂପ ନୀତି ଘୋଷଣା କରିବାକୁ ବାଧ୍ୟ ହେବ ବୋଲି କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଚେତାବନୀ ଦେଇଛନ୍ତି ।
ବ୍ରିଟେନ ପକ୍ଷରୁ ଘୋଷିତ ନୂତନ ଆନ୍ତର୍ଜାତିକ ଭ୍ରମଣ ନୀତି ଅନୁଯାୟୀ, ଭାରତରେ ଦୁଇ ଡୋଜ୍ ଟିକା ନେଇ ସଂପୂର୍ଣ୍ଣ ଟିକାକରଣ ହୋଇଥିବା ଭାରତୀୟ ନାଗରିକ ବ୍ରିଟେନ ଭ୍ରମଣରେ ଗଲେ ସେମାନେ ମୋଟେ ‘ଟିକା ନେଇ ନାହାନ୍ତି’ ବୋଲି ବିଚାର କରାଯିବ ଏବଂ ସେମାନଙ୍କୁ ବ୍ରିଟେନରେ ୧୦ ଦିନ ସଂଗରୋଧରେ ରହିବାକୁ ପଡିବ । ସଂଗରୋଧ ସମୟର ଦ୍ୱିତୀୟ ଓ ଅଷ୍ଟମ ଦିନ ସେମାନେ କୋଭିଡ଼ ପରୀକ୍ଷାର ସମ୍ନା କରିବେ । କେବଳ ଭାରତୀୟ ନୁହନ୍ତି, ସମସ୍ତ ବିକାଶମୁଖୀ ରାଷ୍ଟ୍ରଙ୍କ ପାଇଁ ବ୍ରିଟେନ ଏହି କଟକଣା ଲାଗୁ କରିଛି । ଫଳରେ, ବ୍ରିଟେନର ନୂଆ ଭ୍ରମଣ ନୀତିକୁ ନେଇ ଭାରତ ସରକାର ଗଭୀର କ୍ଷୋଭ ପ୍ରକାଶ କରିବା ସହ ବିକାଶମୁଖୀ ରାଷ୍ଟ୍ରଙ୍କ ପାଇଁ ବ୍ରଟେନର ଏହା ପକ୍ଷପାତୀ ଆଚରଣ ବୋଲି ଅଭିଯୋଗ କରିଛନ୍ତି । ବିଟ୍ରେନ ତାହାର ନୂଆ ଭ୍ରମଣ ନୀତିରେ ଥିବା ଏହି ପକ୍ଷପାତକୁ ତୁରନ୍ତ ହଟାଇ ନ ନେଲେ ଭାରତ ମଧ୍ୟ ବ୍ରିଟେନରୁ ଆସୁଥିବା ନାଗରିକଙ୍କ ପାଇଁ ଅନୁରୂପ ନୀତି ଘୋଷଣା କରିବାକୁ ବାଧ୍ୟ ହେବେ ବୋଲି ଭାରତ ସରକାର ଚେତାବନୀ ଦେଇଛନ୍ତି ।
ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ଏହି ଚେତାବନୀ ପରେ ବ୍ରିଟେନ ସରକାରଙ୍କ ଆଡୁ ତୁରନ୍ତ କୌଣସି ପଦକ୍ଷେପ ନିଆ ଯାଇ ନାହିଁ । ତେବେ, ଏହି ସମସ୍ୟାର ସମାଧାନ ହେବ ବୋଲି ବ୍ରିଟେନ ପ୍ରତିଶ୍ରୁତି ଦେଇ ଥିବା ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ କହିଛି । ଏଠାରେ ଉଲ୍ଲେଖନୀୟ ଯେ, ୨୦୨୧ ଜାନୁୟାରୀ ୧୬ ତାରିଖରୁ ଦେଶରେ କୋଭିଡ଼ ଟିକାକରଣ ଆରମ୍ଭ ହୋଇ ପର୍ଯ୍ୟାୟକ୍ରମ ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ଟିକାକରଣ କରାଯିବା କାର୍ଯ୍ୟ ଚାଲିଛି । ଦେଶର ୧୩୮ କୋଟି ଜନସଂଖ୍ୟାରୁ ୯୦ କୋଟିରୁ ଉଦ୍ଧ୍ୱର୍ ଟିକା ନେବାକୁ ଯୋଗ୍ୟ । ସରକାର ପର୍ଯ୍ୟାୟକ୍ରମେ ଟିକାକରଣ କାର୍ଯ୍ୟ ଚାଲୁ ରଖିଛନ୍ତି । ଦେଶର ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତଙ୍କୁ ଟିକାକରଣ କରାଯାଉଥିବା ବେଳେ ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ବିଭିନ୍ନ ଟିକାର ମାନବିକ ପରୀକ୍ଷଣ ଜାରି ରହିଛି ।
ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ପରେ ଦେଶରେ ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସରକାରଙ୍କ ଆଡୁ ମାଗଣାରେ ଟିକା ଦିଆଯାଉଛି । କେବଳ ସ୍ୱଚ୍ଛଳ ବର୍ଗ, ଯେଉଁମାନେ ସରକାରୀ ଟିକାଦାନ କେନ୍ଦ୍ରର ଭିଡ଼କୁ ଏଡାଇବା ପାଇଁ ସ୍ୱତଃ ଘରୋଇ ହସପିଟାଲରେ କୋଭିଡ଼ ଟିକା ନେବାକୁଚାହିଁବେ ସେମାନଙ୍କ ପାଇଁ ନିର୍ଦ୍ଧାରିତ ଅର୍ଥ ବିନିମୟରେ ଟିକାକରଣ ବ୍ୟବସ୍ଥା ମଧ୍ୟ ହୋଇଛି । କୋଭିଡ଼ ପରିସ୍ଥିତିରେ ‘ତାଲାବନ୍ଦ’ ଭଳି ପରିସ୍ଥିତିକୁ ଏଡାଇ ପୁନର୍ବାର ଅର୍ଥନୀତିକୁ ସଜାଡିବା ଓ ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ ସରକାର ଉଦ୍ୟମ କରୁଥିବା ବେଳେ ବ୍ରିଟେନ ଭଳି ବିକଶିତ ରାଷ୍ଟ୍ରଙ୍କ ପକ୍ଷପାତପୂର୍ଣ୍ଣ ଭ୍ରମଣ ନୀତି ଭାରତ ସରକାରଙ୍କୁ କ୍ଷୁବ୍ଧ କରିବା ସ୍ୱାଭାବିକ । କେନ୍ଦ୍ର ସରକାରଙ୍କ ନୀତି ଆୟାଗର ତଥ୍ୟ ଅନୁଯାୟୀ, ଗତ ଜାନୁୟାରୀରେ ଟିକାକରଣ ଆରମ୍ଭ ହେବା ଦିନ ଠାରୁ ଏଯାବତ ୯୦ ଲକ୍ଷ ଲୋକଙ୍କ ଟିକାକରଣ ହୋଇଛି । ସେଥିରୁ ୬୦ ଲକ୍ଷଙ୍କୁ ପ୍ରଥମ ଡୋଜ୍ ଟିକା ଦିଆ ସରିଥିବା ବେଳେ ୨୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଦୁଇଟି ଯାକ ଡୋଜ୍ ଟିକା ନେଇଛନ୍ତି । ଆସନ୍ତା ଡ଼ିସେମ୍ବର ୩୧ ତାରିଖ ସୁଦ୍ଧା ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକାକରଣ କାର୍ଯ୍ୟ ସଂପନ୍ନ ହେବ ବୋଲି କେନ୍ଦ୍ର ସରକାର ସଂକଳ୍ପବଦ୍ଧ ଥିବା ଘୋଷଣା ହୋଇଛି ।
ପ୍ରତିକୂଳ ବାତାବରଣ ମଧ୍ୟରେ ଦେଶରେ କୋଭିଡ଼ ଟିକାକରଣ କାର୍ଯ୍ୟ ସାରିବାକୁ ଭାରତ ସରକାର ଉଦ୍ୟମ କରୁଥିବା ବେଳେ ବ୍ରିଟେନ ଭ୍ରମଣରେ ଯିବାକୁ ଥିବା ଭାରତୀୟଙ୍କ ପାଇଁ ବ୍ରିଟେନରେ ୧୦ ଦିନିଆ ସଂଗରୋଧ କଟକଣା ବ୍ରିଟେନ ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ହେବାକୁ ଯାଉଛି । ଏହାଛଡା, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହେବା ନିଶ୍ଚିତ । ବିଶେଷକରି, ‘କୋଭିିସିଲ୍ଡ’ ଟିକା ନେଇ ଥିବା ଭାରତୀୟଙ୍କ ପାଇଁ ବ୍ରିଟେନ ଲାଗୁ କରିଥିବା କଟକଣା ସମସ୍ତଙ୍କୁ ବିସ୍ମିତ କରିଛି । ୟୁକେର ଅକ୍ସେଫୋର୍ଡ ବିଶ୍ୱବିଦ୍ୟାଳୟ ଅଷ୍ଟ୍ରାଜେନିକା-ଅକ୍ସଫୋର୍ଡ ଟିକା ବିକଶିତ କରିଛି । ଭାରତର ପୁଣେ ସ୍ଥିତ ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଏହି ଟିକା ଉତ୍ପାଦନ କରି ଦେଶର ଚାହିଦା ମେଂଟାଇବା ସହ ବିଦେଶକୁ ରପ୍ତାନୀ ପାଇଁ ଲାଇସେନ୍ସ ପାଇଛି । କେନ୍ଦ୍ର ସରକାର ‘ଭ୍ୟାକ୍ସିନ ମୈତ୍ରୀ’ କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରଙ୍କୁ ଏହି ଟିକା ରପ୍ତାନୀ କରୁଛନ୍ତି । ବ୍ରିଟେନରେ ଏଯାବତ୍ ବ୍ୟବହାର ହୋଇଥିବା ୪୮ ନିୟୁତ ଡୋଜ୍ ଟିକାରୁ ୫ ନିୟୁତ ପୁଣେ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରୁ ଯାଇଛି ।
ବ୍ରିଟେନରେ ଟିକାକରଣ ହେଉଥିବା ଅଷ୍ଟ୍ରାଜେନିକା-ଅକ୍ସଫୋର୍ଡ କୋଭିଡ଼ ଟିକା ଏବଂ ଭାରତର ‘ସେରମ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଉତ୍ପାଦିତ ‘କୋଭିସିଲ୍ଡ’ ଟିକା ମଧ୍ୟରେ କୌଣସି ଭିନ୍ନତା ନଥିଲେ ମଧ୍ୟ ‘କୋଭିସିଲ୍ଡ୍’ ଟିକାର ଦୁଇ ଡୋଜ୍ ନେଇ ବ୍ରିଟେନ ଭ୍ରମଣରେ ଭାରତରୁ ଯିବାକୁ ଥିବା ଭ୍ରମଣକାରୀ ‘ମୋଟେ ଟିକାକରଣ ହୋଇ ନାହାନ୍ତି’ ବୋଲି ଦର୍ଶାଯାଇ ସେଠାରେ ୧୦ ଦିନ ସଂଗରୋଧରେ ରଖାଯିବ ନିଷ୍ପତ୍ତିର ପୃଷ୍ଟଭୂମୀ କଣ, ତାହା ବ୍ରିଟେନ ତାହାର ନୂତନ ଭ୍ରମଣ ନୀତିରେ ସ୍ପଷ୍ଟ କରି ନାହିଁ । ଅପରପକ୍ଷରେ, ଅକ୍ଟୋବର ୪ ତାରିଖ ପରେ ବ୍ରିଟେନ ଗସ୍ତରେ ଗଲେ ୟୁରୋପୀୟ ୟୁନିୟନ, ଆମେରିକା, ଅଷ୍ଟ୍ରଲିଆ, ଆଂଟିଗୁଆ ଓ ବରବୁଡା, ବାରବୋଡେସ୍, ବାହାରିନ, ବ୍ରୁନେଇ, କାନାଡା, ଡ଼ୋମିନିକା, ଇସ୍ରାଏଲ, ଜାପାନ, କୁୱେତ, ମାଲେସିୟା, ନ୍ୟୁଜିଲାଣ୍ଡ, କ୍ୱାତର, ସାଉଦି ଆରବ, ସିଂଗାପୁର, ଦକ୍ଷିଣ କୋରିଆ ଏବଂ ତାଇୱାନ ନାଗରିକଙ୍କ ପାଇଁ ବ୍ରିଟେନର ନୂଆ ଟିକା ନୀତି ଲାଗୁ ନହୋଇ ଭାରତ ସମତେ ଅନ୍ୟ ଅଣ ବିକଶିତ ଓ ବିକାଶମୁଖୀ ରାଷ୍ଟ୍ରଙ୍କ ପାଇଁ ୧୦ ଦିନିଆ ସଂଗରୋଧ ଲାଗୁ କରାଯିବା ନିଷ୍ପତ୍ତି ବ୍ରିଟେନ ସରକାରଙ୍କ ପକ୍ଷପାତ ମାନସିକତାର ପରିଚୟ ଦେଉଛି । ଏହା ବର୍ଣ୍ଣବୈଷମ୍ୟ ବୋଲି ମଧ୍ୟ ଆଲୋଚନା ହେଲାଣି । ବିଭିନ୍ନ କ୍ଷେତ୍ରରେ ଭାରତ-ବ୍ରିଟେନ ମଧ୍ୟରେ ସଂପର୍କରେ ଉନ୍ନତି ଆସିଥିବା ବେଳେ ବ୍ରିଟେନର ନୂଆ ଭ୍ରମଣ ନୀତି ସେଥିରେ କଂଟା ହେବାକୁ ଯାଉ ଥିବାରୁ ବ୍ରିଟେନ ବିଳମ୍ବରେ ହେଲେ ମଧ୍ୟ ସୁଧୁରିବ ବୋଲି ଆଶା କରାଯାଇପାରେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS