ଗଡ଼ ଜିଣିବାର ପ୍ରବୃତ୍ତି ବେଳେ ବେଳେ ଅପରିଣାମଦର୍ଶୀ ହୋଇଥାଏ…
ପ୍ରସାଦ ରାଓ
ଭୁବନେଶ୍ୱର
ସେପ୍ଟେମ୍ବର ୨୫
ସାମ୍ବାଦିକତା ଭଳି ବୃତ୍ତିରେ ଅହେତୁକ ପ୍ରତିଦ୍ୱନ୍ଦ୍ୱିତା ଏବଂ ଗଡ଼ ଜିଣିବାର ପ୍ରବୃତ୍ତି ଅନେକ ସମୟରେ ଅପରିଣାମଦର୍ଶୀ ବା ଘାତକ ହୋଇଥାଏ । ତାହା ପ୍ରମାଣିତ ହୋଇଛି ଶୁକ୍ରବାର ମହାନଦୀ ମୁଣ୍ଡୁଳି ବ୍ୟାରେଜରେ ଘଟିଥିବା ଦୁର୍ଘଟଣାରୁ । ନଦୀର ସ୍ରୋତ ପ୍ରଖର ଥିଲା । ସେହି ସ୍ରୋତରେ ଭାସି ଯାଉଥିବା ଗୋଟିଏ ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଆସି ଥିଲେ କୁଶଳୀ ଓଡ଼ିଶା ଡ଼ିଜାଷ୍ଟାର ରାପିଡ଼ ଆର୍କନ ଫୋର୍ସ ବା ‘ଓଡ୍ରାଫ୍ଟ’ର ଉଦ୍ଧାରକାରୀ ଦଳ । ଟିମ୍ ର ୫ ଜଣ ସଦସ୍ୟ ନଦୀ ସ୍ରୋତରେ ଭାସି ଯାଉଥିବା ହାତୀକୁ କୂଳ ଆଡକୁ ଘଉଡାଇ ଆଣିବା ପାଇଁ ପାୱାର ବୋଟ୍ ରେ ନଦୀରେ ପ୍ରବେଶ କରିଥିଲେ । ତେବେ, ସେମାନେ ହାତୀକୁ କୂଳ ଆଡକୁ ଘଉଡାଇବେ କଣ, ନିଜେ ଦୁର୍ଘଟଣାର ସମ୍ମୁଖୀନ ହୋଇ ନଦୀ ସ୍ରୋତରେ ଫସି ଗଲେ । ନଦୀର ପ୍ରଖର ସ୍ରୋତରେ ପାୱାର ବୋଟ୍ ଭାରସାମ୍ୟ ହରାଇ ଓଲଟି ପଡିବାରୁ ସେଥିରେ ଥିବା ୫ ଜଣ କୁଶଳୀ ଉଦ୍ଧାରକାରୀ ଦଳ ସହ ସାଥୀରେ ଯାଇଥିବା ଦୁଇ ସାମ୍ବାଦିକ ପାଣିରେ ବୁଡି ଗଲେ । ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କଟକ ବଡ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ‘ଓଡ୍ରାଫ୍ଟ୍’ ଟିମ୍ ମଧ୍ୟ ଜଣେ କୁଶଳୀ ଡାଇଭର୍ ଙ୍କୁ ହରାଇଛି ଏବଂ ତିନି ଜଣ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି ।
ଯେକୌଣସି ପ୍ରକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ଚାଲି ଥିବା ବେଳେ ଦୁର୍ଘଟଣା ଘଟିବା ଏବଂ ସେଥିରେ ପ୍ରାଣହାନୀ ଘଟିବା କିଛି ନୂଆ କଥା ନୁହେଁ । ତେବେ, ଶୁକ୍ରବାର ଘଟି ଥିବା ଘଟଣାରେ ‘ଓଡ୍ରାଫ୍ଟ୍’ ଟିମ୍ ଏସଓପି ପାଳନ ନ କରିବା ଏବଂ ଏହି ଅପରିଣାମଦର୍ଶିତା ଯୋଗୁଁ ଜଣେ ଯୁବ ଟିଭି ସାମ୍ବାଦିକଙ୍କ ମୃତ୍ୟୁ ଘଟିବା ହିଁ ସଂପୂର୍ଣ୍ଣ ଘଟଣାକୁ ଚର୍ଚ୍ଚିତ କରିଛି । ‘ଓଡ୍ରାଫ୍ଟ’ ଟିମ୍ ପ୍ରଖର ନଦୀ ସ୍ରୋତରେ ଭାସି ଯାଉଥିବା ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ କାହା ଅନୁମତି ନେଇ ସେମାନଙ୍କ ପାୱାର ବୋଟ୍ ରେ ଜଣେ ଟିଭି ସାମ୍ବାଦିକ ଓ ତାଙ୍କ କ୍ୟାମେରାମ୍ୟାନଙ୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ ହେବାକୁ ସୁଯୋଗ ଦେଇଥିଲେ (?), ତାହା ଏବେ ପ୍ରଶ୍ନବାଚୀ ହୋଇଛି । ଉଦ୍ଧାର କାର୍ଯ୍ୟ ସମୟରେ ଷ୍ଟାଣ୍ଡାର୍ଡ ଅପରେସନାଲ୍ ପ୍ରୋସିଜିଓର ବା ଏସଓପି ପାଳନ ହୋଇ ନଥିବା ଜଳଜଳ ଦିଶୁଛି । ତେଣୁ, ହାତୀର ଉଦ୍ଧାର କାର୍ଯ୍ୟ ସମୟରେ ଘଟି ଥିବା ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରାଯିବ (?) ବୋଲି ପ୍ରଶ୍ନ ହେଲାଣି । ଏହା ମଧ୍ୟ ପ୍ରଶ୍ନ ହେଉଛି ଯେ, ହାତୀ ଉଦ୍ଧାରର ଲାଇଭ୍ ରିପୋର୍ଟିଂ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ତାଙ୍କ ସଂସ୍ଥା ଅନୁମତି ଦେଇଥିଲା କି ନାହିଁ । ଏଭଳି ରିପୋର୍ଟିଂ ପାଇଁ ଗଣମାଧ୍ୟମରେ କିଛି ନିୟମ କାନୁନ ଅଛି ନା ନାହିଁ – ସେ ନେଇ ମଧ୍ୟ ଅନେକ ପ୍ରଶ୍ନ କଲେଣି ।
ତେବେ, ସରକାର ବା ସଂପୃକ୍ତ ଗଣମାଧ୍ୟମ ନିକଟରେ ଏହାର କୌଣସି ଉତ୍ତର ଥିଲା ଭଳି ମନେ ହେଉ ନାହିଁ । କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ଏବଂ ସେଥିରେ ଜଣେ ଟିଭି ସାମ୍ବାଦିକଙ୍କ ମୃତ୍ୟୁ ଘଟିଲା, ସେ ନେଇ ପୁଲିସ ତଦନ୍ତ ଚାଲିଛି । ‘ଓଡ୍ରାଫ୍ଟ୍’ ପାଇଁ ଥିବା ଏସଓପି ଅନୁଯାୟୀ, ରେସ୍କ୍ୟୁ ମିଶନ୍ ବା ଉଦ୍ଧାର କାର୍ଯ୍ୟ ସମୟରେ ଉଦ୍ଧାରକାରୀ ଦଳ ନିଜ ସହ ବୋଟ୍ ରେ କୌଣସି ବାହାର ଲୋକଙ୍କୁ ନେବା କଥା ନୁହେଁ । ତେବେ, ଶୁକ୍ରବାର ଦିନ ଉଦ୍ଧାର କାର୍ଯ୍ୟ ବେଳେ ସେଥିରେ ବ୍ୟତିକ୍ରମ ହୋଇଛି । କେଉଁ ପରିସ୍ଥିତିରେ ଏଭଳି ବ୍ୟତିକ୍ରମ ଘଟିଲା, ତାହାର ତଦନ୍ତ କରାଯାଉଛି । ଭବିଷ୍ୟତରେ ଏଭଳି ଘଟଣାର ଯେମିତି ପୁନଃରାବୃତ୍ତି ନହୁଏ ସେଥି ପାଇଁ ଏସଓପିକୁ କଡାକଡି ପାଳନ କରାଯିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର୍ ପ୍ରଦୀପ କୁମାର ଜେନା ଘଟଣା ପରେ ବକ୍ତବ୍ୟ ରଖି ସରକାରୀ ବିଫଳତାକୁ ଉଜାଗର କରିଥିବା ବେଳେ ‘ଓଡ୍ରାପ୍ଟ୍’ର ଅପରେସନାଲ୍ ମୁଖ୍ୟ ଥିବା ରାଜ୍ୟ ପୁଲିସର ଅତିରିକ୍ତ ଡ଼ିଜି (ଆଇନ ଶୃଙ୍ଖଳା) ଆର.କେ.ଶର୍ମା ଘଟଣାସ୍ଥଳ ପରିଦର୍ଶନ କରିବା ସହ ‘ଓଡ୍ରାଫ୍ଟ୍’ କର୍ମଚାରୀଙ୍କ ସହ ଆଲୋଚନା କରି ‘ଏତେଶୀଘ୍ର ଘଟଣା ସଂପର୍କରେ କୌଣସି ସିଦ୍ଧାନ୍ତରେ ପହଂଚି ହେବ ନାହିଁ’ ବୋଲି ମନ୍ତବ୍ୟ ରଖିଛନ୍ତି ।
ସଂପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମର ମାଲିକ ମୃତ ସାମ୍ବାଦିକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରି ନିଜର ଦାୟିତ୍ୱ ସଂପାଦନ କରିଥିଲେ ମଧ୍ୟ ଜନତାର ମୁହଁ ବନ୍ଦ କରିବାକୁ ତାହା ଯଥେଷ୍ଟ ନଥିବା ଦେଖିବାକୁ ମଳିଛି । ସାଧାରଣତଃ, କୌଣସି ପ୍ରକାର ଦୁଃସମୟରେ ନଦୀ ଭିତରେ ଉଦ୍ଧାର କାର୍ଯ୍ୟ ସଂପାଦନ କରିବା ସକାଶେ ଉଦ୍ଧାରକାରୀ ଦଳ ଲାଇଫ୍ ଜ୍ୟାକେଟ ପରିଧାନ କରିଥା’ନ୍ତି । ଉଦ୍ଧାରକାରୀ ଦଳରୁ କେହି କୌଣସି ପରିସ୍ଥିତିରେ ପାଣିକୁ ଖସି ପଡିଲେ ଲାଇଫ୍ ଜ୍ୟାକେଟ୍ ସେମାନଙ୍କୁ ବୁଡ଼ିବାକୁ ଦେଇ ନଥାଏ ବା ସେମାନଙ୍କ ଜୀବନ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି । ତେବେ, ଶକ୍ରବାର ଅପରାହ୍ନରେ ‘ଓଡ୍ରାଫ୍ଟ’ର ‘ଅପରେସନ୍ ଗଜରାଜ’ ମିଶନ୍ ରେ ଉଦ୍ଧାରକାରୀ ଦଳ ସହ ସଂପୃକ୍ତ ସାମ୍ବାଦିକ ଓ ତାଙ୍କ ସହଯୋଗୀ ଲାଇଫ୍ ଜ୍ୟାକେଟ୍ ପରିଧାନ କରି ଥିଲେ ମଧ୍ୟ ପାଣିରେ ବୁଡ଼ି ଗଲେ କେମିତ (?) – ସେ ନେଇ ପ୍ରଶ୍ନ ହେଉଛି ।
ଟିଭି ସାମ୍ବାଦିକ ଅରିନ୍ଦମ ଦାସ ନଦୀ ସ୍ରୋତରେ ଭାସି ଯାଇ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ମଧ୍ୟ ଡାକ୍ତରଖାନାରେ ପହଂଚିଲା ବେଳକୁ ତାଙ୍କ ମୃତ୍ୟୁ ହୋଇ ସାରି ଥିଲା । ‘ଓଡ୍ରାଫ୍ଟ’ ଟିମ୍ ର କୁଶଳୀ ଅଣ୍ଡର ୱାଟର୍ ଡାଇଭର୍ ସୀତାରାମ ମୁର୍ମୁ ମଧ୍ୟ ନଦୀ ସ୍ରୋତରେ ଭାସି ନିଖୋଜ ହେବା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନେ ପିନ୍ଧି ଥିବା ଲାଇଫ୍ ଜ୍ୟାକେଟ୍ ରେ କିଛି କମି ଥିଲା କି (?) ବୋଲି ମଧ୍ୟ ସାଧାରଣରେ ପ୍ରଶ୍ନ ହେଉଛି । ଦୁର୍ଘଟଣାରେ ରାଜ୍ୟର ଏକ ପ୍ରତିଷ୍ଠିତ ନ୍ୟୁଜ୍ ଚ୍ୟାନେଲ୍ ର ରାଜଧାନୀରେ ଅବସ୍ଥାପିତ ମୁଖ୍ୟ ସମ୍ବାଦଦାତାଙ୍କ ମୃତ୍ୟୁ ଘଟି ଥିବାରୁ ଦୁର୍ଘଟଣାକୁ ନେଇ ବିଭିନ୍ନ ଦିଗରୁ ବ୍ୟାପକ ଚର୍ଚ୍ଚା ହେବା ସ୍ୱାଭାବିକ । ଯଦି ଏହା ରାଜ୍ୟର କୌଣସି ମଫସଲ ଅଂଚଳର ଘଟି ଥା’ନ୍ତା ତେବେ ଚର୍ଚ୍ଚାର ସେତେ ଅବକାଶ ନଥା’ନ୍ତା ।
ଶୁକ୍ରବାର ଘଟିଥିବା ଘଟଣାବାଳୀ ହେଉଛି, ଗୁରୁବାର ଚନ୍ଦକାରୁ ଏକ ୧୭ ଟିକିଆ ହାତୀ ପଲ ଆଠଗଡ଼ ଅଂଚଳରେ ପଶି ଥିଲେ । ରାଜନଗର ସୁକାଶନ ସଂରକ୍ଷିତ ଜଂଗଲ ଓ କନ୍ଦରପୁର କାଜୁ ଜଂଗଲରେ ସେମାନଙ୍କ ଗତିବିଧି ଦେଖିବାକୁ ମିଳି ଥିଲା । ପଲରେ ୪ଟି ଦନ୍ତା ହାତୀ, ୪ଟି ଛୁଆ ହାତୀ ଓ ୯ଟି ମାଈ ହାତୀ ଥିବା କୁହାଯାଉଛି । ଗୁରୁବାର ମଧ୍ୟରାତ୍ରରେ ଏହି ହାତୀ ପଲ ମହାନଦୀ କୂଳେ କୂଳେ ନଦୀ ପାର ହେଉ ଥିବା ବେଳେ ୬ଟି ହାତୀ ଆଠଗଡ଼ ନୂଆଶାସନ ଓ ୨ଟି ଅନନ୍ତପୁର ଆଡକୁ ଯାଇଥିଲେ ଏବଂ ୮ଟି ହାତୀ ସାନମୁଣ୍ଡଳୀରେ ଥିଲେ । ମୁଣ୍ଡଳୀରେ ଥିବା ହାତୀ ପଲରେ ଥିବା ହନ୍ତା ହାତୀଟି ଶୁକ୍ରବାର ଭୋର ସମୟରେ ମୁଣ୍ଡଳୀ ବ୍ରିଜ୍ ତଳେ ମହାନଦୀ ଜଳସ୍ରୋତରେ ଫସି ଯାଇ ଭାସି ଯାଉଥିବା ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ମିଳିଥିଲା । ଉଭୟ ବିଭାଗର କର୍ମଚାରୀ ଘଟଣା ସ୍ଥଳର ପହଂଚି ହାତୀକୁ ଉଦ୍ଧାର କରିବା ଉଦ୍ୟମରେ ବିଫଳ ହେବା ପରେ ଓଡ୍ରାଫ୍ଟ୍ ଟିମ୍ କୁ ଖବର ଯାଇଥିଲା ।
ପୂର୍ବାହ୍ନରେ ଏକ ୧୦ ଜଣିଆ ‘ଓଡ୍ରାଫ୍ଟ୍’ ଟିମ୍ ମୁଣ୍ଡୁଳିରେ ପହଂଚି ଥିଲେ । ସେଥିରୁ ୫ ଜଣ ପାୱାର ବୋଟ୍ ରେ ନଦୀରେ ପ୍ରବେଶ କରି ପ୍ରଖର ସ୍ରୋତରେ ଭାସି ଯାଉଥିବା ଦନ୍ତା ହାତୀକୁ କୂଳ ଆଡକୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ଉଦ୍ଧାର କାର୍ଯ୍ୟର ଲାଇଭ୍ ରିପୋଟିଂ କରିବା ଲୋଭ ସମ୍ବରଣ କରି ନପାରି ଟିଭି ସାମ୍ବାଦିକ ଅରିନ୍ଦମ ଦାସ ଓ ତାଙ୍କ ସାଥୀ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଓଡ୍ରାଫ୍ଟ୍ ବୋଟ୍ ରେ ନଦୀ ଭିତରକୁ ଯାଇଥିଲେ । ମୋଟ ୭ ଜଣ ବୋଟ୍ ରେ ଥାଇ ହାତୀକୁ ପଛ ପଟୁ କୂଳ ଆଡକୁ ଘଉଡାଇବା ସମୟରେ ଭାରସାମ୍ୟ ହରାଇ ବୋଟ୍ ବୁଡ଼ି ଯାଇଥିଲା ଏବଂ ସେଥିରେ ଥିବା ସମସ୍ତେ ନଦୀ ସୁଅରେ ଫସି ଯାଇଥିଲେ । ମୁଣ୍ଡଳି ବ୍ରିଜ୍ ଉପରେ ଥିବା ‘ଓଡ୍ରାଫ୍ଟ୍’ କର୍ମଚାରୀ ତାହା ଦେଖିପାରି ବ୍ରିଜ୍ ଉପରୁ ଦଉଡି ପକାଇ ସେମାନଙ୍କୁ ଉଦ୍ଧାର ଉଦ୍ୟମ କରି ଥିଲେ । ତେବେ, ଏହି ଉଦ୍ଧାର କାର୍ଯ୍ୟ ବେଳେ ଦଉଡି ଧରି ଉପରକୁ ଉଠୁ ଥିବା ଜଣେ ଟିମ୍ ସଦସ୍ୟ ପାଣିକୁ ଖସି ନିଖୋଜ ହେଲେ । ଟିଭି ପ୍ରତିନିଧି ଅରିନ୍ଦମଙ୍କୁ ୨୦ ମିନିଟ ପରେ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କ ଜୀବନ ରକ୍ଷା ହୋଇ ପାରି ନାହିଁ । ଯଦି ଅରିନ୍ଦମ ଜୀବୀତ ଥା’ନ୍ତେ ତେବେ ହାତୀ ଉଦ୍ଧାର ଚ୍ୟାନେଲର ବିଶେଷ ରିପୋର୍ଟ ହୋଇଥା’ନ୍ତା ।
ସାଧାରଣତଃ, ଭିଜୁଆଲ ସହ ‘ବିଶେଷ ରିପୋର୍ଟ’ ପ୍ରସ୍ତୁତି ପାଇଁ ଟେଲିଭିଜନ ଚ୍ୟାନେଲମାନଙ୍କରେ ତଂଟିକଟା ପ୍ରତିଦ୍ୱନ୍ଦ୍ୱିତା ଚାଲି ଆସିଛି । ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି କିଛି କିଛି ଭିଜୁଆଲ୍ ନିଜ ଭିତରେ ସେୟାର୍ କରିଥା’ନ୍ତି ସତ, ତେବେ ନିଜ ଚ୍ୟାନେଲ୍ରେ ‘ଏକ୍ସକ୍ଲୁସିଭ୍’ ବ୍ୟାନରରେ ସେମାନଙ୍କ ଖବର ପ୍ରସାରିତ ହେବା ସମସ୍ତେ ଚାହାନ୍ତି । କୌଣସି ଏସଓପି ବା ବନ୍ଧନ ସେମାନଙ୍କ ଏହି ଲାଳସାକୁ ରୋକିବାକୁ ସକ୍ଷମ ନୁହେଁ । କ୍ଷେତ୍ର ପ୍ରତିନିଧିଠାରୁ ଆରମ୍ଭ କରି ଚ୍ୟାନେଲ୍ ସଂପାଦକ ପର୍ଯ୍ୟନ୍ତ ସମସ୍ତେ ‘ଏକ୍ସକ୍ଲୁସିଭ୍’ ଦୌଡ଼ରେ । ମାଲିକ ‘ଏକ୍ସକ୍ଲୁସିଭ୍’କୁ ନେଇ ଟିଆରପି ପାଏ ଏବଂ ବିଜ୍ଞାପନ ଆୟ ବଢାଏ । ତେଣୁ, ଗଣମାଧ୍ୟମ ରିପୋର୍ଟିଂ କ୍ଷେତ୍ରରେ କେବେ କୌଣସି ଏସଓପି ନଥିଲା ବା ନାହିଁ କହିଲେ ଚଳେ । ‘ଏକ୍ସକ୍ଲୁସିଭ୍’ ବ୍ୟାନରଟିଏ ପାଇଁ ଯେଉଁ ସାମ୍ବାଦିକ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବା ଦୁର୍ବିପାକ ସମୟରେ ‘ଲାଇଭ୍’ରେ ଠିଆ ହୁଏ ସମୟକ୍ରମେ ସେ କେତେବେଳେ ଯେ ଗଡ଼ ଜିଣିବା ପ୍ରବୃତ୍ତିର ଶିକାର ହୋଇ ନିଜ ଜୀବନକୁ ବିପନ୍ନ କରି ବସେ, ତାହା ଜାଣି ପାରେ ନାହିଁ ।
ଅନେକ ସମୟରେ ସେ ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କରିବା ସକାଶେ ଅସାଧ୍ୟ ସାଧନ କରିବାକୁ ପ୍ରେରିତ ହୋଇଥାଏ । ଆଜି ଅରିନ୍ଦମ ଜୀବୀତ ଥିଲେ ବୋଧହୁଏ ଗଣମାଧ୍ୟମରେ ଏସଓପି ପ୍ରସଙ୍ଗକୁ ନେଇ ଆଲୋଚନାର ଅବକାଶ ନଥା’ନ୍ତା । ଅରିନ୍ଦମ ‘ଏକ୍ସକ୍ଲୁସିଭ୍’ କରୁ କରୁ ଜୀବନ ଦେଇ ଥିବାରୁ ଅନେକ ତାଙ୍କୁ ଦାୟିତ୍ୱହୀନ ବୋଲି ସମାଲୋଚନା କରୁୁଛନ୍ତି । ଏଭଳି ସମାଲୋଚକଙ୍କୁ ଆମର ଏତିକି କହିବାର ଅଛି । ସେମାନେ ବୋଧହୁଏ କେବେ ଫିଲ୍ଡ୍ ରିପୋର୍ଟିଂ କରି ନାହାନ୍ତି । ତେଣୁ, ବୁଝିପାରୁ ନାହାନ୍ତି ‘ଏକ୍ସକ୍ଲୁସିଭ୍’ ଭୋକଟା କଣ… ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS