ଏହା ପରେ କଣ ?
ପ୍ରସାଦ ରାଓ
ଭୁବନେଶ୍ୱର
ସେପ୍ଟେମ୍ବର ୨୭
କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନ ସମେତ ବିଭିନ୍ନ ଜନବିରୋଧୀ ନୀତି ବିରୋଧରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ୍)ର ଆହ୍ୱାନକ୍ରମେ ଦେଶବ୍ୟାପୀ ‘ବନ୍ଦ’ ପାଳିତ ହୋଇଛି । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଓଡ଼ିଶା ସରକାର ‘ଭାରତ ବନ୍ଦ’କୁ ପ୍ରତ୍ୟକ୍ଷ ଭାବେ ସମର୍ଥନ କରି ନଥିଲେ ମଧ୍ୟ ପରୋକ୍ଷରେ ସମର୍ଥନ ଦେଇ ଥିବାରୁ ରାଜ୍ୟବ୍ୟାପି ବନ୍ଦ ପାଳନ ସଫଳ ହୋଇଥିବା ଆଲୋଚନା ହେଉଛି । ରାଜ୍ୟରେ ଶିକ୍ଷାନୁଷ୍ଠାନ, ସଡ଼କ ପରିବହନରୁ ଆରମ୍ଭ କରି ବାଣିଜ୍ୟ ବ୍ୟବସାୟ ପର୍ଯ୍ୟନ୍ତ ସବୁ କିଛି ଠପ୍ ଥିଲା । ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଉପସ୍ଥାନ କମ୍ ଥିବା ସୂଚନା ଆସିଛି । ଗୋଟିଏ ପଟେ ‘ଗୁଲାବୋ’ ବାତ୍ୟା କାରଣରୁ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଅନ୍ୟପଟେ ‘ଭାରତ ବନ୍ଦ’ ଯୋଗୁଁ ପରିବହନ ସମସ୍ୟା ରହିଛି । ତେଣୁ, ସରକାରୀ କାର୍ଯ୍ୟାଳୟରେ ଉପସ୍ଥାନ କମି ଥିବା ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ ବାସ୍ତବରେ କିଛି ମାସ ହେଲା ଦେଶରେ ଲଗାତର ଭାବେ ବୃଦ୍ଧି ପାଉଥିବା ଅତ୍ୟାବଶ୍ୟକ ସାମଗ୍ରୀ, ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ଦର ଏବଂ କେନ୍ଦ୍ର ସରକାରଙ୍କ ‘ମୁଦ୍ରୀକରଣ’ ନୀତି ଭଳି ବିଭିନ୍ନ ନୀତି ବିରୋଧରେ ଥିବା ଜନ ଅସନ୍ତୋଷ ଆଜି ‘ବନ୍ଦ’ର ସଫଳତା ମାଧ୍ୟମରେ ପ୍ରଦର୍ଶୀତ ହୋଇଛି ବୋଲି ବିଶେଷଜ୍ୟ ମହଲରେ ଆଲୋଚନା ହେଉଛି ।
ତେବେ, କେନ୍ଦ୍ର ସରକାର ମୂଲ୍ୟବୃଦ୍ଧି ଓ ସରକାରୀ ନୀତିକୁ ନେଇ ଜନଅସନ୍ତୋଷ ଥିବା ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି । ଚାଷୀ ଆନ୍ଦୋଳନ, ବନ୍ଦ ଡାକରା ଏବଂ ଅନ୍ୟମାନଙ୍କ ଆନ୍ଦୋଳନ ରାଜନୀତି ଦ୍ୱାରା ପ୍ରେରିତ କହି ଜନଅସନ୍ତୋଷକୁ ଗୌଣ କରିବା ପ୍ରୟାସ ସର୍ବଦା ଜାରି ରଖିଛନ୍ତି । ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇ ଥିବା ଦେଶର ୪୦ଟି ଚାଷୀ ସଂଗଠନର ନେତୃତ୍ୱ ଏବେ ସଂଯୁକ୍ତ କିଷାନ ମୋର୍ଚ୍ଚ (ଏସକେଏମ୍) ହାତରେ ମୋର୍ଚ୍ଚ ପକ୍ଷରୁ ଆଜି ଦେଶବ୍ୟାପୀ ୧୨ ଘଂଟିଆ ‘ବନ୍ଦ’ ପାଳନ କରାଯିବା ରହସ୍ୟ ହେଉଛି, ଗତ ବର୍ଷ ଆଜିର ଦିନରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନି ନୂଆ କୃଷି ଆଇନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଅନୁମୋଦିତ ହୋଇ ବିଧିବଦ୍ଧ ଭାବେ ଆଇନରେ ପରିଣତ ହୋଇଥିଲା । ଏହି ତିନି କୃଷି ଆଇନ ଚାଷୀଙ୍କ ସ୍ୱାର୍ଥ ବିରୋଧୀ ଏବଂ ଚାଷର ‘କର୍ପୋରେଟୀକରଣ’ ପାଇଁ ଉଦ୍ଦିଷ୍ଟ ବୋଲି ଚାଷୀ ସଂଗଠନମାନେ ଅଭିଯୋଗ କରୁଛନ୍ତି । ଅପରପକ୍ଷରେ, କେନ୍ଦ୍ର ସରକାର ଏହି ତିନି ନୂଆ କୃଷି ଆଇନ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ଯୁକ୍ତି ଦର୍ଶାଇବା ସହ ବାସ୍ତବରେ ଚାଷୀ ନୁହଁନ୍ତି, ସେମାନଙ୍କୁ ବଷବର୍ଷ ଧରି ଶୋଷଣ କରିଆସୁଥିବା ଦଲାଲମାନେ ବିଚଳିତ ହୋଇ ଚାଷୀଙ୍କ ଆଢୁଆରେ ଆନ୍ଦୋଳନ କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି ।
ସରକାର ଓ କୃଷି ଆଇନକୁ ବିରୋଧ କରୁଥିବା ଚାଷୀ ସଂଗଠନଙ୍କ ପରସ୍ପର ବିରୋଧୀ ନ୍ୟାରେଟିଭ୍ ଏବେ ଦେଶରେ ଏକ ଅସ୍ପଷ୍ଟ ବାତାବରଣ ସୃଷ୍ଟି କରିଥିବା ବେଳେ ୧୦ ମାସ ହେଲା ଚାଲି ଥିବା ଚାଷୀ ଆନ୍ଦୋଳନ ଧୀରେ ଧୀରେ ରାଜନୈତିକ ମୋଡ ନେଉଥିବା ଦେଖିବାକୁ ମିଳୁଛି । ୨୦୨୧ ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ସମୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଆନ୍ଦୋଳନକୁ ବିଜେପି ବିରୋଧରେ ବ୍ୟବହାର କରିଥିଲା । ରାଜ୍ୟବ୍ୟାପୀ ମହାପଂଚାୟତମାନ ଆୟୋଜନ କରାଯାଇ ବିଜେପି ନେତୃତ୍ୱ କେଉଁ ପ୍ରକାର ଚାଷୀ-ବିରୋଧୀ ତାହା ପ୍ରଚାର ହାଇଥିଲା । ୨୦୨୨ ଫେବୃୟାରୀ ଆଡକୁ ହେବାକୁ ଥିବା ୟୁପି ଓ ପଂଜାବ ବିଧାନସଭା ନିର୍ବାଚନରେ ମଧ୍ୟ ଏସକେଏମ୍ ଅନୁରୂପ ମହାପଂଚାୟତମାନ ଆୟୋଜନ କରି ବିଜେପି ବିରୋଧରେ ଜନମତକୁ ଶାଣିତ କରିବ ବୋଲି ଏହାର ନେତା ରାକେଶ ଟିକାୟତ ସୂଚନା ଦେଇ ସାରିଛନ୍ତି ।
ଏସକେଏମ୍ ନେତୃତ୍ୱରେ ପରିଚାଳିତ ଚାଷୀ ସଂଗଠନମାନେ ତିନିଟି ଯାକ କୃଷି ଆଇନ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯିବା ଦାବିରେ ଅଡି ରହିଥିବା ବେଳେ କେନ୍ଦ୍ର ସରକାର ନୂଆ ତିନି କୃଷି ଆଇନ ପ୍ରତ୍ୟାହାର ହେବା ପ୍ରଶ୍ନ ଉଠୁ ନାହିଁ ବୋଲି ଅଡି ବସି ଥିବାରୁ ଗତ ବର୍ଷ ନଭେମ୍ବର ମାସରୁ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ଅବସ୍ଥା ରହିଛି । ୨୦୨୦ ନଭେମ୍ବରରୁ ଦିଲ୍ଲୀ ସୀମାନ୍ତରେ ଚାଲି ଥିବା ଚାଷୀ ଆନ୍ଦୋଳନ ଇତିମଧ୍ୟରେ ୧୦ମାସ ପୂରଣ କରିଛି । ୨୦୨୧ ଜାନୟାରୀ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଚାଷୀ ସଂଗଠନଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଥିଲେ । ତେବେ, ତିନି କୃଷି ଆଇନ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯିବା ଦାବିକୁ ସରକାର ଗ୍ରହଣ କରୁନଥିବାରୁ ଆଲୋଚନା ସବୁ ବିଫଳ ହୋଇଛି ।
ଜାନୁୟାରୀ ୨୨ ପରେ ସରକାର ନିଜ ଆଡୁ ଆଲୋଚନାରୁ ଓହରି ଯାଇଥିବା ବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ୍) ତିନି କୃଷି ଆଇନ ରଦ୍ଦ ହେବା ଯାଉଁ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରି ୧୦ ମାସ ମଧ୍ୟରେ ଆଜି ତୃତୀୟ ଥର ପାଇଁ ‘ଭାରତ ବନ୍ଦ’ ପାଳନ କରିଛି । ସେପ୍ଟେମ୍ବର ୨୭ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଥିବା ତିନି କୃଷି ଆଇନ ଉପରେ ସୁପ୍ରିମ କୋର୍ଟଙ୍କ ସ୍ଥଗିତାଦେଶ ଥିବାରୁ ତାହା ଲାଗୁ ହୋଇ ପାରି ନାହିଁ । ଏହି ତିନି ନୂଆ ଆଇନ ରଦ୍ଦ କରାଯିବାକୁ ଚାଷୀ ସଂଗଠନଙ୍କ ଆବେଦନ ଉପରେ ସୁପ୍ରିମ କୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରି ରିପୋର୍ଟ ଅପେକ୍ଷାରେ ଅଛନ୍ତି ।
ଅପରପକ୍ଷରେ, ଏସକେଏମ୍ ନେତୃତ୍ୱରେ ଚାଲି ଥିବା ଚାଷୀ ଆନ୍ଦୋଳନରୁ ବିରୋଧୀ ଯେତିକି ଫାଇଦା ନେବା କଥା ନେଉ ପାରୁ ନାହାନ୍ତି ବୋଲି ଏକ ଧାରଣା ସୃଷ୍ଟି ହେଲାଣି । କାରଣ, ‘ବନ୍ଦ’ ପାଳନ ଭଳି କାର୍ଯ୍ୟକ୍ରମରେ ବିରୋଧୀ ଦଳମାନେ ସାମିଲ ହେଉଥିଲେ ମଧ୍ୟ ଅନ୍ୟ ସମୟରେ କେବଳ ଟୁଇଟ୍ ଯୁଦ୍ଧରେ ସୀମିତ ରହୁଛନ୍ତି । ଏପରିକି, ଏଆଇସିସି ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପ୍ରତ୍ୟକ୍ଷ ଭାବେ ଆନ୍ଦୋଳନରେ ସାମିଲ ହେବା ଅପେକ୍ଷା ଟ୍ୱିଟ୍ କୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରୁଥିବାରୁ ଶାସକ ଦଳ ତାଙ୍କୁ ସମାଲୋଚନା କରିବାକୁ ପଛାଉ ନାହିଁ । ଅନ୍ୟ ବିରୋଧୀ ନେତାଙ୍କ ଅବସ୍ଥା ମଧ୍ୟ ଏକାଭଳି । ତେଣୁ, ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଥିବା ଏସକେଏମ୍ ନେତା ରାକେଶ ଟିକାୟତ ନିଜେ ଏକ ରାଜନୈତିକ ଦଳ ଗଠନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଲାଣି ।
କେବଳ ଚାଷୀଙ୍କ ସମସ୍ୟାକୁ ନେଇ ନୁହେଁ, ଦେଶବାସୀ ଆଜି ସାମ୍ନା କରୁଥିବା ବିଭିନ୍ନ ଅର୍ଥନୈତିକ ସମସ୍ୟାକୁ ନେଇ ଆଜିର ‘ଭାରତ ବନ୍ଦ’ ସଫଳ ହୋଇଥିବା ଦୃଷ୍ଟିରୁ ଏସକେଏମ୍ ଓ ତାହାକୁ ସମର୍ଥନ ଦେଇଥିବା ରାଜନୈତିକ ଦଳ ଓ ସଂଗଠନମାନଙ୍କ ଦାୟିତ୍ୱ ବଢିଛି । ସଂସଦରେ ସଂଖ୍ୟାବଳ ଦୃଷ୍ଟିରୁ କେନ୍ଦ୍ର ସରକାର ଅଡ଼ିଅଳ ପଣ ଦେଖାଉଛନ୍ତି । ତାହାର ମୁକାବିଲା ପାଇଁ ବିରୋଧୀ ନୂଆ କିଛି ରଣନୀତି କାର୍ଯ୍ୟକାରୀ କରିବେ ନା ‘ବନ୍ଦ’ ପାଳନ ଏବଂ ମହାପଂଚାୟତ ଭଳି କାର୍ଯ୍ୟକ୍ରମରେ ସୀମିତ ରହି ଯିବେ, ତାହା ଦେଖିବା ସମୟ ଆସିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS