ମମତାଙ୍କ ପାଇଁ ଫସିଲେ ବେଂଗଲ୍ ମୁଖ୍ୟ ଶାସନ ସଚିବ ଦ୍ୱିବେଦୀ
ପ୍ରସାଦ ରାଓ
ସେପ୍ଟେମ୍ବର ୨୯
ପଶ୍ଚିମ ବଂଗର ଭାବନୀପୁର ସମେତ ତିନିଟି ବିଧାନସଭା ଆସନରେ ଆସନ୍ତା କାଲି (ଗୁରୁବାର) ଉପ ନିର୍ବାଚନ ହେବାକୁ ଯାଉଛି । ଗଲା ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ଭବାନୀପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ଟିଏମସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ମେ’ ମାସରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଧାୟକ ପଦରୁ ଇସ୍ତଫା ଦେଇ ଉପ ନିର୍ବାଚନ ପାଇଁ ରାସ୍ତା ପରିସ୍କାର କରିଥିବା ବେଳେ ଅନ୍ୟ ଦୁଇଟି ଆସନ ଶମସେରଗଂଜ ଓ ଜଂଗିପୁରରେ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ନିର୍ବାଚନ ସ୍ଥଗିତ ରହି ଥିଲା । ରାଜ୍ୟର ମୋଟ ସାତଟି ବିଧାନସଭା ଆସନରେ ଉପ ନିର୍ବାଚନ ହେବାକୁ ଥିବା ବେଳେ ଭାରତୀୟ ନିର୍ବାଚନ ଆୟୁକ୍ତ ଅଗ୍ରାଧିକାର ଭିତ୍ତିରେ ୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ କରାଉଛନ୍ତି । ବାକି ୪ଟି ଆସନ ପାଇଁ ଅକ୍ଟୋବର ୩୦ରେ ଉପ ନିର୍ବାଚନ ହେବ ବୋଲି ନିର୍ବାଚନ କମିସନ୍ ପକ୍ଷରୁ ଧାର୍ଯ୍ୟ ହୋଇଛି ।
କାଲି ଭୋଟ ହେବାକୁ ଥିବା ତିନି ବିଧାନସଭା ଆସନ ମଧ୍ୟରେ ଭବାନୀପୁର ଆସନରେ ଉପ ନିର୍ବାଚନ ବେଶ୍ ଗୁରୁତ୍ୱ ରଖୁଛି । କାରଣ, ଏହି ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ଅଛନ୍ତି । ମମତାଙ୍କ ବିଜୟକୁ ରୋକିବା ପାଇଁ ବିଜେପି ଆଇନଜୀବୀ ପ୍ରିୟଙ୍କା ଟୁବରୱାଲଙ୍କୁ ସେଠାରୁ ପ୍ରାର୍ଥୀ କରିଛି । ମୁଖ୍ୟମନ୍ତ୍ରୀ ବାନାର୍ଜୀ ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ନିର୍ବାଚନରେ ତାଙ୍କ ଗଡ଼ କୁହାଯାଉଥିବା ପଶ୍ଚିମ ବଂଗର ଭବାନୀପୁର ବିଧାନସଭା ଆସନରୁ ପ୍ରାର୍ଥୀ ନ ହୋଇ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ଥିଲେ । ନିର୍ବାଚନରେ ବିଜେପି ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କ ନିକଟରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହେବା ପରେ ମଧ୍ୟ ସେ ଲଗାତର ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମେ’ ମାସରେ ଶପଥ ନେଇ ଥିଲେ ।
ସମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ଛଅ ମାସ ମଧ୍ୟରେ ରାଜ୍ୟର କୌଣସି ଏକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହେବା ଆବଶ୍ୟକ । ତେଣୁ, ତାଙ୍କ ପାଇଁ ଏହି ଉପ ନିର୍ବାଚନ ବେଶ୍ ଗୁରୁତ୍ୱ ରଖୁଛି । ନିର୍ବାଚନରେ ମମତାଙ୍କୁ ପରାଜିତ କରିବା ସହଜ ନଥିବାରୁ ଭବାନୀପୁର ଆସନରେ ନିର୍ବାଚନ ସ୍ଥଗିତ କରାଇବା ଦିଗରେ ବିରୋଧୀଙ୍କ ପକ୍ଷରୁ ଏକ ପ୍ରୟାସ ହୋଇଥିଲା । ଅକ୍ଟୋବର ସୁଦ୍ଧା ଭବାନୀପୁର ଆସନରେ ଉପ ନିର୍ବାଚନ ନହେଲେ ରାଜ୍ୟରେ ଏକ ସାମ୍ବିଧାନିକ ସଂକଟ ସୃଷ୍ଟି ହେବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଏଚ.କେ.ଦ୍ୱିବେଦୀ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କୁ ଲେଖି ଥିବା ଚିଠିକୁ ଆୟୁଧ ଭାବେ ବ୍ୟବହାର କରି ସାୟନ ବାନାର୍ଜୀ ନାମକ ଜନୈକ ବ୍ୟକ୍ତି କୋଲକାତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । କୋଲକାତା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ ଓ ବିଚାରପତି ଜଷ୍ଟିସ ରାଜଶ୍ରୀ ବାନାର୍ଜୀଙ୍କୁ ନେଇ ଗଠିତ ଡ଼ିଭିଜନ ବେଂଚ ମଂଗଲବାର ଦିନ ଏହି ଜନସ୍ୱାର୍ଥ ମାମଲା ଉପରେ ବିଚାର କରି ନିର୍ବାଚନ ସ୍ଥଗିତ ପାଇଁ ଆବେଦନକୁ ଖାରଜ କରିଛନ୍ତି । ତେବେ, ରାଜ୍ୟ ମୁଖ୍ୟ ଶାସନ ସଚିବ ନିର୍ବାଚନ ଅୟୁକ୍ତଙ୍କୁ ଲେଖି ଥିବା ଚିଠି ପାଇଁ ହରଡଘଣାରେ ପଡିଛନ୍ତି ।
ଅକ୍ଟୋବର ସୁଦ୍ଧା ଭବାନୀପୁର ବିଧାନସଭା ଉପ ନିର୍ବାଚନ ନହେଲେ ରାଜ୍ୟରେ ଗୁରୁତର ସାମ୍ବିଧାନିକ ସଂକଟ ସୃଷ୍ଟି ହେବ ବୋଲି ମୁଖ୍ୟ ଶାସନ ସଚିବ ଦ୍ୱିବେଦୀ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କୁ ଲେଖି ଥିବା ଚିଠିର ଆଧର କଣ ବୋଲି ହାଇକୋର୍ଟ ଡ଼ିଭିଜନ ବେଂଚ୍ ତାଙ୍କୁ ପ୍ରଶ୍ନ କରିବା ସହ ସେ ଜଣେ ସକକାରୀ ପଦାଧିକାରୀ ହୋଇ ଦଳୀୟ ମୁଖପାତ୍ର ଭାବେ କାର୍ଯ୍ୟ କରିବା ଗ୍ରହଣୀୟ ନୁହେଁ ବୋଲି କୋଲକାତା ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ ମନ୍ତବ୍ୟ ଦେଇଛନ୍ତି । ଡ଼ିଭିଜନ ବେଂଚ୍ କହିଛନ୍ତି, ଭବାନୀପୁର ବିଧାନସଭା ଉପ ନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଦ୍ୱିବେଦୀ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କୁ ଲେଖି ଥିବା ଚିଠି ନିର୍ବାଚନ ଆୟୁକ୍ତଙ୍କୁ ଭ୍ରମିତ କଲା ଭଳି ହୋଇଛି । ଅକ୍ଟୋବର ସୁଦ୍ଧା ଭବାନୀପୁର ବିଧାନସଭା ଉପ ନିର୍ବାଚନ ନହେଲେ ରାଜ୍ୟରେ କି ପ୍ରକାର ସାମ୍ବିଧାନିକ ସଂକଟ ସୃଷ୍ଟି ହେବ, ତାହା ମୁଖ୍ୟ ଶାସନ ସଚିବ ଦ୍ୱିବେଦୀ ତାଙ୍କ ଚିଠିରେ ସ୍ପଷ୍ଟ କରି ନାହାନ୍ତି । ନିର୍ବାଚନରେ ଜଣେ ବ୍ୟକ୍ତି ଜିତିଲେ ବା ହାରିଲେ ରାଜ୍ୟରେ କେଉଁ ଭଳି ସାମ୍ବିଧାନିକ ସଂକଟ ସୃଷ୍ଟି ହେବ (?) ବୋଲି କୋର୍ଟ ତାଙ୍କୁ ପ୍ରଶ୍ନ କରିଛନ୍ତି ।
ହାଇକୋର୍ଟ ଡ଼ିଭିଜନ ବେଂଚ୍ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି, ଭବାନୀପୁର ବିଧାନସଭା ଆସନରେ ଉପ ନିର୍ବାଚନ ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରୁ ପ୍ରାର୍ଥୀ ହେବେ ବୋଲି ସେ କେମିତି ଜାଣିଲେ ? ଦ୍ୱିବେଦୀ ଦଳର ମୁଖପାତ୍ର ବା ରିଟର୍ଣ୍ଣିଂ ଅଫିସର ନୁହନ୍ତି । ଗୋଟିଏ ନିଦ୍ଧିଷ୍ଟ ବିଧାନସଭା ଆସନରେ ଉପ ନିର୍ବାଚନ କରାଇବା ପାଇଁ ନିର୍ବାଚନ କମିସନଙ୍କୁ ଚିଠି ଲେଖି ଅନାବଶ୍ୟକ ଭାବେ ଆଗ୍ରହ ଦେଖାଇବା ମୁଖ୍ୟ ଶାସନ ସଚିବଙ୍କ ପାଇଁ ଉଚିତ ନଥିଲା ବୋଲି କୋର୍ଟ କହିଛନ୍ତି । ଦ୍ୱିବେଦୀ ଜଣେ ସରକାରୀ ଅଧିକାରୀ ଭାବେ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ନିଜ ଦାୟିତ୍ୱ ତୁଲାଇବା କଥା । କୌଣସି ନିଦ୍ଧିଷ୍ଟ ବ୍ୟକ୍ତି ବା ଦଳ କ୍ଷମତାକୁ ଆସିବା ତାଙ୍କ ଦାୟିତ୍ୱ ନୁହେଁ । ଅକ୍ଟୋବର ସୁଦ୍ଧା ଭବାନୀପୁର ବିଧାନସଭା ଆସନରେ ଉପ ନିର୍ବାଚନ ନ ହେଲେ ରାଜ୍ୟରେ ସାମ୍ବିଧାନିକ ସଂକଟ ସୃଷ୍ଟି ହେବ ବୋଲି ସେ କେବଳ ଡ଼ରାଇ ନାହାନ୍ତି, ବେଂଗଲର କୋଭିଡ଼ ଓ ବନ୍ୟା ପରିସ୍ଥିତିକୁ ନେଇ ମଧ୍ୟ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କୁ ସଠିକ୍ ତଥ୍ୟ ଦେଇ ନାହାନ୍ତି ବୋଲି ଅଦାଲତ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଗତ ବିଧାନସଭା ନିର୍ବାଚନ ପରେ ବେଂଗଲରେ ହୋଇଥିବା ବାତ୍ୟା ଜନିତ ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟକୁ ଗସ୍ତରେ ଯାଇଥିବା ବେଳେ ତକ୍ରାଳୀନ ମୁଖ୍ୟ ଶାସନ ସଚିବ ତାଙ୍କୁ ଅପମାନିତ କଲା ଭଳି ବୈଠକ ସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଳମ୍ବରେ ପହଂଚି ଥିଲେ ଏବଂ ଅଧାପନ୍ତୁରିଆ ଭାବେ ବୈଠକ ଛାଡି ପଳାଇ ଥିଲେ । ସେଥିପାଇଁ କେନ୍ଦ୍ର ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ନିଯୁକ୍ତ ହୋଇଥିଲେ । ଏବେକାର ମୁଖ୍ୟ ଶାସନ ସଚିବ ଦ୍ୱିବେଦୀ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରିଥିବା ଭବାନୀପୁର ଉପ ନିର୍ବାଚନ କରାଇବା ନେଇ ତାଙ୍କ ଅତ୍ୟାଗ୍ରହରୁ ସ୍ପଷ୍ଟ ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS