ସଂବେଦନଶୂନ୍ୟ ସରକାର…
ପ୍ରସାଦ ରାଓ
ଅକ୍ଟୋବର ୦୪
ଦେଶରେ ଏବେ ବାହୁବଳୀଙ୍କ ଶାସନ ଚାଲିଛି । ସେ କେନ୍ଦ୍ର ହେଉ ବା ରାଜ୍ୟ – ସବୁଠି ଏହାର ଝଲକ ଦେଖିବାକୁ ମିଳୁଛି । ବିଶେଷକରି, ବିଜେପି ଶାସିତ ରାଜ୍ୟରେ । ସମସ୍ତେ ଜାଣନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନି ନୂଆ କୃଷି ଆଇନକୁ ନେଇ ସରକାର ଓ ଚାଷୀଙ୍କ ମଧ୍ୟରେ ସଂପର୍କ କେତେଦୂର ତୀକ୍ତ । ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ୪୦ ଚାଷୀ ସଂଗଠନ ଦୀର୍ଘ ୧୦ ମାସରୁ ଅଧିକ ସମୟ ହେଲା ଆନ୍ଦୋଳନ ଚଳାଇଛନ୍ତି । କେନ୍ଦ୍ର ସରକାର ସେମାନଙ୍କ ଦାବିକୁ ଗ୍ରହଣ କରିବାକୁ ରାଜି ନୁହନ୍ତି । ଏଭଳି ଅବସ୍ଥାରେ କେନ୍ଦ୍ର ସରକାର ଓ ଚାଷୀ ସଂଗଠନଙ୍କ ମଧ୍ୟରେ ଯେଉଁ ଛକାପଂଝା ଚାଲିଛି ତାହାର ପ୍ରଭାବ ବିଜେପି ଶାସିତ ରାଜ୍ୟରେ ଦେଖିବାକୁ ମିଳୁଛି । ଏହି ରାଜ୍ୟମାନେ ଚାଷୀଙ୍କୁ ଏକପ୍ରକାର ଶତୃ ଭାବେ ବିଚାର କରି ସୁଯୋଗ ମିଳିଲେ ଚାଷୀଙ୍କୁ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଣ୍ଠିତ ନଥିବା ରବିବାର (ଅକ୍ଟାବର ୦୩ ତାରିଖ) ୟୁପିର ଲକ୍ଷ୍ମୀପୁର ଖେରୀ ଅନ୍ତର୍ଗତ ଟିକୁନିଆ ଗ୍ରାମରେ ଘଟି ଥିବା ଚାଷୀ ହତ୍ୟା ଘଟଣାରୁ ସ୍ପଷ୍ଟ ହେଉଛି ।
ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ରବିବାର ଦିନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ତେନିଙ୍କ ଗ୍ରାମ ଟିକୁନିଆ ନିକଟସ୍ଥ ବନବୀରପୁରକୁ ଗସ୍ତରେ ଯାଉଥିବା ଜାଣି ଟିକୁନିଆର ଚାଷୀମାନେ କଳା ପତାକା ପ୍ରଦର୍ଶନ ଓ ବିକ୍ଷୋଭର ଆୟୋଜନ କରିଥିଲେ । ହଜାରେରୁ ଅଧିକ ଚାଷୀ ଏକାଠି ହୋଇ କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ମନ୍ତ୍ରୀଙ୍କ ଗାଡି ସହ ଥିବା ଦୁଇଟି ଏସୟୁଭି କାର୍ ବିକ୍ଷୋଭକାରୀ ଚାଷୀଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ, ଘଟଣା ସ୍ଥଳରେ ୩ ଜଣ ଚାଷୀଙ୍କ ମୃତ୍ୟୁ ଘଟି ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶୀଷ ମିଶ୍ରଙ୍କ ଗୁଳିରେ ଅନ୍ୟ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ଚାଷୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । ଘଟଣାରେ ଉତ୍କ୍ଷୀପ୍ତ ଚାଷୀମାନେ ଦୁର୍ଘଟଣା ଘଟାଇ ଥିବା ଏସୟୁଭି ଦୁଇଟିକୁ ଜାଳି ଦେବା ସହ ସେଥିରେ ବସି ଥିବା ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ, ସେଠାରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା । ହିଂସାକାଣ୍ଡ ଓ ଗୁଳି ମାଡ଼ରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟି ଥିବା ଅଭିଯୋଗ ହୋଇଛି ।
୨୦୨୨ ଫେବୃୟାରୀ ଆଡକୁ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଲକ୍ଷ୍ମୀପୁର ଖେରୀ ଘଟଣା ଏବେ ବଡ଼ ରାଜନୈତିକ ମୁଦ୍ଦାରେ ପରିଣତ ହୋଇଛି । ଚାଷୀଙ୍କୁ ଗାଡି ମଡାଇବା ଏବଂ ଚାଷୀଙ୍କ ଉପରେ ଗୁଳିମାଡ କରିବା ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶୀଷ ସଂପୃକ୍ତ ଥିବା ଚାଷୀମାନେ ସିଧାସଳଖ ଅଭିଯୋଗ କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ତାହାକୁ ଅଗ୍ରାହ୍ୟ କରିଛନ୍ତି । ଆଶୀଷ ଘଟଣା ସ୍ଥଳରେ ନଥିଲା ବୋଲି ସେ କହିଛନ୍ତି । ତେବେ, ଚାଷୀଙ୍କ ଉପରେ କେଉଁମାନେ ଗାଡି ଚଢାଇଲେ ଓ ଗୁଳିମାଡ଼ କଲେ ସେ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ନୀରବ । ତେବେ, ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ଭାବେ କୁହାଯାଇଛି ।
ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ୍) ମୁଖ୍ୟ ରାକେଶ ଟିକାୟତଙ୍କ ଉପସ୍ଥିତିରେ ଚାଷୀଙ୍କ ସହ ସରକାରଙ୍କ ବୁଝାମଣା ହୋଇଥିବା ଖବର ମିଳିଛି । ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଏବଂ ମୃତକଙ୍କ ପରିବାରରୁ ଜଣକୁ ଲେଖାଏଁ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ସରକାରୀ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ତେବେ, ହାତରସ୍ ଘଟଣା ଭଳି ଲକ୍ଷ୍ମୀପୁର ଖେରୀ ଘଟଣାରେ ରାଜ୍ୟ ସରକାର ଘଟଣାସ୍ଥଳକୁ ଯିବାକୁ ଚାହୁଁଥିବା ବିରୋଧୀ ନେତାଙ୍କ ଉପରେ କଟକଣା ଲଗାଇଛନ୍ତି । ଘଟଣାସ୍ଥଳରେ ୧୪୪ ଧାରା ଜାରି ହୋଇଛି ।
ମୃତାହତ ଚାଷୀଙ୍କ ପରିବାରଙ୍କୁ ସହାନୁଭୂତି ଜଣାଇବାକୁ ଯାଇ କଂଗ୍ରେସ ଦଳର ଜାତୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ଅନ୍ୟ ବିରୋଧୀ ନେତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସ ଦ୍ୱାରା ଅଟକ ରହି ଥିବା ସୂଚନା ମିଳିଛି । ରବିବାର ଘଟଣା ‘ଦୁର୍ଘଟଣା ନୁହେଁ’, ହତ୍ୟାକାଣ୍ଡ ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ପ୍ରତିକ୍ରିୟା ରଖିବା ସହ ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କୁ ଗିରଫ କରାଯାଉ ନାହିଁ କାହିଁକି (?) ବୋଲି ପ୍ରଶ୍ନ ଉଠାଇ ଥିବା ବେଳେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ନୀରବ ରହିବା ଚାଷୀଙ୍କ ପ୍ରତି ସରକାରଙ୍କ ମନୋଭାବକୁ ସ୍ପଷ୍ଟ କରୁଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS