ଲକ୍ଷ୍ମୀପୁର ଖେରି ହିଂସା, ୟୁପି ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନୁହନ୍ତି ସୁପ୍ରିମ କୋର୍ଟ
ପ୍ରସାଦ ରାଓ
ଅକ୍ଟୋବର ୦୮
ଗତ ରବିବାର (ଅକ୍ଟୋବର ୩ ତାରିଖ) ଦିନ ଉତ୍ତର ପ୍ରଦେଶର ଲକ୍ଷୀପୁର ଖେରିରେ ଘଟି ଥିବା ଅମାନୁଷିକ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଏଯାବତ୍ ପର୍ଯ୍ୟାପ୍ତ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଦେଖି ସୁପ୍ରମି କୋର୍ଟ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ୟୁପି ସରକାରଙ୍କ ପକ୍ଷରୁ ଆଜି ସଂପୃକ୍ତ ଘଟଣାରେ ଏପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ କୋର୍ଟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ ହୋଇଛି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତାହାର ଅନୁଧ୍ୟନ କରି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ପୁଲିସ ଆଜି ସୁଦ୍ଧା ଗିରଫ କରି ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ମାମଲା ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବା ଦୃଷ୍ଟିରୁ ୟୁପି ସରକାର ଓ ପୁଲିସ ଅଧିକ ଦାୟିତ୍ୱ ସଂପନ୍ନ ଭାବେ କାର୍ଯ୍ୟ କରିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରମଣା ଆଶା ବ୍ୟକ୍ତ କରିବା ସହ ଦଶହରା ଛୁଟି ପରେ ଅଦାଲତ ଖୋଲିଲେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି କହିଛନ୍ତି । ୟୁପି ସରକାର ଓ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ଖଣ୍ଡପୀଠ ସନ୍ତୁଷ୍ଟ ନଥିଲେ ମାମଲା ସିବିଆଇକୁ ହସ୍ତାନ୍ତର କରି ପାରନ୍ତି ବୋଲି ୟୁପି ସରକାରଙ୍କ ଓକିଲ ହରିଶ ସାଲଭେ ପ୍ରଧାନ ବିଚାରପତିଙ୍କ ନିକଟରେ ମତ ରଖି ଥିଲେ । ତେବେ, ମାମଲା ସହ ଯେଉଁ ସବୁ ବ୍ୟକ୍ତିବିଶେଷ ସଂପୃକ୍ତ ରହିଛି ସିବିଆଇକୁ ତଦନ୍ତ ଦାୟିତ୍ୱ ଦେବା ଠିକ୍ ହୋଇ ନପାରେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରମଣା କହିବା ସହ ଦଶହରା ଛୁଟି ପରେ କୋର୍ଟ ଖୋଲିଲେ ଏସଂପର୍କରେ ଯାହା କିଛି ନିଷ୍ପତ୍ତି ହେବ ବୋଲି ସ୍ପଷ୍ଟ କରିଛନ୍ତି । ସେପର୍ଯ୍ୟନ୍ତ ରାଜ୍ୟ ସରକାର ଓ ପୁଲିସର ତଦନ୍ତକାରୀ ସଂସ୍ଥା (ଏସଆଇଟି) ଦାୟିତ୍ୱର ସହ ଘଟଣାର ତଦନ୍ତକୁ ଆଗେଇ ନେବାକୁ ସେ କହିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଗତ ରବିବାର ଲକ୍ଷ୍ମୀପୁର ଖୋରିର ଟିକୁନିଆଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ଜାଣି କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ତାଙ୍କୁ କଳାପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିବା ସକାଶେ ସେଠାରେ ହଜାର ହଜାର ସଂଖ୍ୟାରେ ଏକାଠି ହୋଇ ଥିଲେ । ଟିକୁନିଆ ହେଉଛି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମାଶ୍ରାଙ୍କ ଗ୍ରାମ । ଚାଷୀମାନେ କଳାପତାକା ଦେଖାଇ ଫେରୁ ଥିବା ସମୟରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଓ ତାଙ୍କ ସହଯୋଗୀମାନେ ଦୃତ ଗତିରେ ଗାଡି ଚଳାଇ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲେ । ଏହି କାର୍ଯ୍ୟରେ ତିନିଟି ଗାଡି (ଏସୟୁଭି ଓ ସ୍କ୍ରପିଓ) ବ୍ୟବହାର ହୋଇଥିବା ଜଣାପଡିଛି । ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରି ଫେରୁଥିବା ଚାଷୀଙ୍କ ଉପରେ ପଛ ଆଡୁ ଗାଡ଼ି ମାଡି ଯିବାରୁ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି । ସେହିଭଳି, ଏହାର ପ୍ରତିବାଦରେ ହୋଇଥିବା ହିଂସାକାଣ୍ଡ ଓ ଜଳାପୋଡାରେ ଆଉ ୪ ଜଣ ମରିଛନ୍ତି । ମୃତଙ୍କ ମଧ୍ୟରେ ଜଣେ ଟିଭି ସାମ୍ବାଦିକ ଓ ୩ ଜଣ ବିଜେପି କର୍ମୀ ଥିବା କୁହାଯାଉଛି ।
ରବିାବର ଘଟଣା ତୁରନ୍ତ ରାଜନୈତିକ ମୋଡ ନେଇ ସୋମବାର ଦିନ ବିସ୍ଫୋରକ ହୋଇଥିଲା । ମନ୍ତ୍ରୀଙ୍କ ପୁଅର ଗାଡି ଚକା ତଳେ ଓ ଗୁଳି ମାଡ଼ରେ ପ୍ରାଣ ହରାଇ ଥିବା ଚାଷୀ ଓ ଟିଭି ସାମ୍ବାଦିକଙ୍କ ପରିବାରକୁ ଭେଟିବା ପାଇଁ ଲକ୍ଷ୍ମୀପୁର ଖେରି ଯିବାକୁ ଚାହୁଁଥିବା ବିରୋଧୀ ଦଳ ନେତା ଓ ସାମ୍ବାଦିକମାନଙ୍କୁ ପୁଲିସ ରାସ୍ତାରୁ ରୋକି ଦେଇ ଗିରଫ କରି ନେବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହେଲା । ପରେ, ସୁପ୍ରିମ କୋର୍ଟ ନିଜ ଆଡୁ ଏହି ମାମଲା ବିଚାର ପାଇଁ ଗ୍ରହଣ କରି ସଂପୂର୍ଣ୍ଣ ଘଟଣା ଓ ସରକାରଙ୍କ ଆଡୁ ନିଆଯାଇ ଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ଏକ ପୂର୍ଣ୍ଣାଂଗ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଗତକାଲି ୟୁପି ସରକାରଙ୍କୁ ନୋଟିସ ଜାରି କଲେ । ୟୁପି ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଆଜି ଅଦାଲତରେ ସରକାରଙ୍କ ଆଡୁ ହୋଇଥିବା କାର୍ଯ୍ୟାନୁଷ୍ଠାନର ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି । ମାମଲାର ମୁକ୍ତ ଓ ନିରପେକ୍ଷ ତଦନ୍ତ ହେଉଥିବା ଓ ଗତକାଲି ମାମଲରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଷ୍ଟାଟସ୍ ରିପୋର୍ଟରେ ଦର୍ଶାଯାଇଛି ।
ରବିବାର ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସରକାର କହିଛନ୍ତି । ପ୍ରତିବାଦକାରୀ ଚାଷୀଙ୍କ ଆଡୁ ମଧ୍ୟ ସେଦିନ ଦଙ୍ଗା, ଜଳାପୋଡା ହୋଇଛି । ସେଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଅପରପକ୍ଷଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ଅନ୍ୟମାନଙ୍କ (ଚାଷୀଙ୍କ ବିରୋଧରେ) ବିରୋଧରେ ମଧ୍ୟ ମାମଲା ରୁଜୁ କରିଛନ୍ତି । ଚାଷୀଙ୍କ ଉପରେ ଗାଡ଼ି ମାଡି ଯିବା ଏବଂ ପରବର୍ତ୍ତୀ ହିଂସାରେ ୮ ଜଣଙ୍କ ମୃତ ଘଟି ଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାର ୪୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି । ଷ୍ଟାଟସ୍ ରିପୋର୍ଟରେ ସରକାର ଦର୍ଶାଇ ଥିବା ତଥ୍ୟକୁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରମଣା ଅନୁଧ୍ୟାନ କରିବା ପରେ କହିଛନ୍ତି, ଏଯାବତ୍ ଯାହା କିଛି କାର୍ଯ୍ୟାନୁଷ୍ଠାନ ହୋଇଛି ସନ୍ତୋଷଜନକ ନୁହେଁ । ଲକ୍ଷ୍ମୀପୁର ଖେରି ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ପୁଅ ଆଶିଷ ମିଶ୍ରା ଘଟଣାର ୪ ଦିନ ପରେ ମଧ୍ୟ ଗିରଫ ହୋଇ ନାହାନ୍ତି । ଅନ୍ୟ କେହି ହୋଇଥିଲେ ସରକାର ଏଭଳି କୋହଳ ମନୋଭାବ ଦେଖାଇ ଥାଆନ୍ତେ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ।
ଆଶିଷ ମିଶ୍ରା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ହୋଇ ଥିବାରୁ ୟୁପି ସରକାର ଓ ପୁଲିସ ତାଙ୍କୁ ଘଂଟ ଘେଡାଉଛନ୍ତି ବୋଲି ରିତିମତ ଅଭିଯୋଗ ହେବା ପରେ ଏବଂ ସୁପ୍ରିମ କୋର୍ଟ ନିଜ ଆଡୁ ମାମଲାକୁ ବିଚାର ପାଇଁ ଗ୍ରହଣ କରି ୟୁପି ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିବା ପରେ ଗତକାଲି ମାମଲାର ତଦନ୍ତ କରୁଥିବା ଏସଆଇଟି ଆଶିଷ ମିଶ୍ରାଙ୍କୁ ଥାନାରେ ହାଜର ହେବାକୁ ନୋଟିସ କରିଛି । ଆଜି ସେ ଏସଆଇଟି ସାମ୍ନାରେ ହାଜର ହୋଇ ଜେରାର ସମ୍ମୁଖୀନ ହେବା କଥା । କିନ୍ତୁ, ଆଶିଷ ଏସଆଇଟି ନିର୍ଦେଶକୁ ଉପେକ୍ଷା କରିଛନ୍ତି । ଅନ୍ୟ ମାମଲାରେ ମଧ୍ୟ ପୁଲିସ କଣ ଅଭିଯୁକ୍ତଙ୍କ ପ୍ରତି ଏତେ କୋହଳ ହେଉଛି (?) ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରମଣା ପ୍ରଶ୍ନ କରି ସରକାରଙ୍କୁ ଅଡୁଆରେ ପକାଇଛନ୍ତି । ଏହି ମାମଲାରେ ୟୁପି ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟାପ୍ତ ନଥିବା ସରକାରଙ୍କ ଓକିଲ ସାଲଭେ ସ୍ୱୀକାର କରିବା ସହ ଦଶହରା ଛୁଟି ପରେ କୋର୍ଟ ଖୋଲିଲେ ମାମଲାର ପରବର୍ତ୍ତୀ ଶୁଣାଣୀ କରିବାକୁ ପ୍ରଧାନ ବିଚାରପତିଙ୍କୁ ନିବେଦନ କରିଥିଲେ । ସେହି ସମୟ ମଧ୍ୟରେ ସରକାର ଯଦି ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥା’ନ୍ତି ତେବେ ମାମଲା ସିବିଆଇକୁ ସମର୍ପି ଦେବାକୁ ସେ ପ୍ରସ୍ତାବ ରଖି ଥିଲେ ।
ତେବେ, ପ୍ରଧାନ ବିଚାରପତି ଜଷ୍ଟିସ ରମଣା ସାଲେଭଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଥିବା ଜଣାଇ ମାମଲର ଗୁରୁତ୍ୱ ଦୃଷ୍ଟିରୁ ୟୁପି ସରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ମାମଲାଟି ଅତ୍ୟନ୍ତ ସ୍ପର୍ଶକାତର । ତେଣୁ, ଅଦାଲତ ହଠାତ କିଛି ମନ୍ତବ୍ୟ ରଖିବାକୁ ଚାହୁଁ ନାହାନ୍ତି । ମାମଲାରେ ଯେଉଁ ପ୍ରକାର ବ୍ୟକ୍ତିବିଶେଷଙ୍କ ସଂପୃକ୍ତି ରହିଛିି ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବା ଉଚିତ ହୋଇ ନପାରେ ବୋଲି ପ୍ରଧାନ ବିଚାରପତି ମନ୍ତବ୍ୟ ଦେବା ସହ ଦଶହରା ପରେ କୋର୍ଟ ଖୋଲିଲେ ତାହା ଉପରେ ବିଚାର କରାଯିବ ବୋଲି କହିଛନ୍ତି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରମଣା ଷ୍ଟାଟସ୍ ରିପୋର୍ଟରେ ଥିବା ଏସଆଇଟି ଟିମ୍ କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଟିମ୍ ରେ ଥିବା ଡ଼ିଆଇଜି, ଏସପି ଓ ସର୍କଲ ଅଫିସରମାନେ ସ୍ଥାନୀୟ ଲୋକ । ତେଣୁ, ସ୍ଥାନୀୟ ଲୋକଙ୍କୁ ତଦନ୍ତରେ ନିୟୋଜିତ କଲେ ଯାହା ହେବା କଥା ହେଉଛି । ଗୁଳି ମାଡ଼ରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟି ଥିବା ଅଭିଯୋଗ ସମେତ ଅନ୍ୟାନ୍ୟ ଅଭିଯୋଗ ଅତ୍ୟନ୍ତ ଗୁରୁତର ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରମଣା କହିଥିବା ବେଳେ ମୃତ ଚାଷୀଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଗୁଳିମାଡ କଥା ଉଲ୍ଲେଖ ନାହିଁ ବୋଲି ସରକାରଙ୍କ ଓକିଲ ସାଲଭେ ଯୁକ୍ତି ରଖି ଥିଲେ ।
ତେବେ, ଚାଷୀଙ୍କ ଉପରେ ଯେଉଁ ଭଳି ଭାବେ ଗାଡ଼ି ମଡାଇ ଦିଆଯାଇଥିବା ଦେଖିବାକୁ ମିଳୁଛି ତାହା ଆଇପିସିର ୩୦୨ ଦଫା (ହତ୍ୟା)କୁ ଆକୃଷ୍ଟ କରୁଛି ବୋଲି କହିଥିଲେ । ଅଭିଯୁକ୍ତଙ୍କ ବିରୋଧରେ ଯାହା ସବୁ ଅଭିଯୋଗ ଆସିଛି ସବୁ (ଗୁଳି ମାଡ ସମେତ) ଅତ୍ୟନ୍ତ ଗୁରୁତର । ଆଇପିସିର ୩୦୨ ଦଫାକୁ ତାହା ଆକୃଷ୍ଟ କରୁଥିବା ଦୃଷ୍ଟିରୁ ସେହି ଅନୁସାରେ ମାମଲା ବିଚାରକୁ ନେବା ଠିକ୍ ନୁହେଁ କି (?) ବୋଲି ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ହୀମା କୋହଲି ପ୍ରଶ୍ନ କରିବାରୁ ସାଲଭେ କହିଥିଲେ – ସମ୍ଭବତଃ ଉଚିତ । ତେବେ, ଅଭିଯୁକ୍ତ କୋର୍ଟରେ ହାଜର ହୋଇ ବୟାନ ରଖିବା ପୂର୍ବରୁ ସେ ଏନେଇ କିଛି ମତ ରଖିବାକୁ ଚାହୁଁ ନାହାନ୍ତି ବୋଲି ଆଜି ଅଦାଲତଙ୍କୁ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS