୧୬ରେ କଂଗ୍ରେସ କାର୍ଯ୍ୟକାରୀଣୀ, ନେତୃତ୍ୱ ପ୍ରସଙ୍ଗରେ ଆଲୋଚନା ହେବ ତ ?
ପ୍ରସାଦ ରାଓ
ଅକ୍ଟୋବର ୦୯
ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତୀୟ ଜାତୀୟ କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ତୀବ୍ର ଆନ୍ତଃରିଣ କନ୍ଦଳ ଦେଇ ଗତି କରୁଥିବା ବେଳେ ଆସନ୍ତା ୧୬ ତାରିଖ ଦିନ ଦଳର ଜାତୀୟ କାର୍ଯ୍ୟକାରୀଣୀ ବୈଠକ ବସିବାକୁ ଯାଉଛି । ବୈଠକରେ ଦଳର ଅସନ୍ତୁଷ୍ଟ ଗୋଷ୍ଠୀ ପକ୍ଷରୁ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗକୁ ପ୍ରାଧାନ୍ୟ ଦିଆଯାଇ ପାରେ ବୋଲି ଆଶା କରାଯାଉଥିବା ବେଳେ ଦଳର ଆଭ୍ୟନ୍ତରୀଣ ସମସ୍ୟା ଏବଂ ୨୦୨୨ରେ ହେବାକୁ ଥିବା ୟୁପି, ପଂଜାବ, ଗୁଜରାଟ ସମେତ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ଆଲୋଚନା ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । କଂଗ୍ରେସ ନେତୃତ୍ୱରେ ସ୍ଥାଣୁ ଅବସ୍ଥା ଯୋଗୁଁ ଇତିମଧ୍ୟରେ ଦଳର ବହୁ ତୁଙ୍ଗ ନେତା ଦଳ ଛାଡି ଅନ୍ୟ ଦଳକୁ ପଳାଇଛନ୍ତି । ତାହା କଂଗ୍ରେସ ଅସନ୍ତୁଷ୍ଟ ଗୋଷ୍ଠୀକୁ କ୍ଷୁବ୍ଧ କରିଛି । ତେଣୁ, ଦଳର ନେତୃତ୍ୱ ତୁରନ୍ତୁ ସିଡ଼ବ୍ଲୁସି ବୈଠକ ଡାକି ଏହି ପ୍ରସଙ୍ଗ ଉପରେ ଖୋଲା ଆଲୋଚନାର ସୁଯୋଗ ସୃଷ୍ଟି କରୁ ଅସନ୍ତୁଷ୍ଟ ଗୋଷ୍ଠୀ ନେତା ଗୁଲାମ ନବୀ ଆଜାଦ ନିକଟରେ ଦଳର ଅନ୍ତଃରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦାବି ଉପସ୍ଥାପନ କରିଥିଲେ । ଜି-୨୩ ଗୋଷ୍ଠୀ ‘ଜି ହଜୁର ଗୋଷ୍ଠୀ’ ନୁହେଁ ବୋଲି କହି ଦଳର ଅନ୍ୟତମ ବରିଷ୍ଠ ନେତା କପିଲ ସିବଲ୍ ମଧ୍ୟ ଗାନ୍ଧୀ ପରିବାରକୁ ସିଧାସଳଖ ଆକ୍ରମଣ କରିଥିଲେ । ଏଭଳି ପରିସ୍ଥିତିରେ ୧୬ ତାରିଖ ସିଡବ୍ଲୁସି ବେଂଠକ ଡକାଯିବା ବେଶ୍ ରାଜନୈତିକ ଗୁରୁତ୍ୱ ବହନ କରୁଛି ।
୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ଲଜ୍ୟାଜନକ ପରାଜୟ ପରେ ରାହୁଲ ଗାନ୍ଧୀ ଏଆଇସିସି ସଭାପତି ପଦରୁ ଇସ୍ତଫା ଦେଇ ଗାନ୍ଧୀ ପରିବାର ବାହାରୁ କାହାକୁ ଦଳର ସଭାପତି କରାଯିବାକୁ ସିଡ଼ବ୍ଲୁସି ନିକଟରେ ପ୍ରସ୍ତାବ ରଖି ଥିଲେ । ତେବେ, ସିଡ଼ବ୍ଲୁସି ପ୍ରଥମେ ରାହୁଲଙ୍କୁ ମନାଇବାକୁ ଚେଷ୍ଟା କରିଥିଲା । ସେ ରାଜି ନ ହେବାରୁ ୨୦ ବର୍ଷ ଧରି ଦଳର ସଭାପତି ରହି ଆସିଥିବା ସୋନିଆ ଗାନ୍ଧୀଙ୍କୁ ପୁନର୍ବାର ଅନ୍ତଃରୀଣ ସଭାପତି କରାଯାଇ ଦଳର ମଂଗ ଧରାଇ ଦିଆଯାଇଥିଲା । ସୋନିଆ ମଂଗ ଧରିବା ପରେ ମଧ୍ୟ ଦଳର ଅବସ୍ଥା ସୁଧୁରି ନାହିଁ । ଅପରପକ୍ଷରେ, ଗାନ୍ଧୀ ପରିବାର ଭିତରେ ଏକାଧିକ ନେତାଙ୍କ କର୍ତ୍ତୃତ୍ୱ ସଂକଟ ସମୟରେ ନେତୃତ୍ୱ ନେବାର ଦକ୍ଷତାକୁ ସୀମିତ କରି ଦେବା ସହ ଦଳରେ ସ୍ଥାଣୁ ଅବସ୍ଥା ସୃଷ୍ଟି କରିଛି । ସଂକଟ ସମୟରେ ଦଳର ନେତୃତ୍ୱ ତ୍ୱରିତ ନିଷ୍ପତ୍ତି ନେଇ ନପାରି ସଂକଟକୁ ଝୁଲାଇ ରଖୁ ଥିବାରୁ ଦଳରେ ଅସନ୍ତୋଷ ବଢିଛି ଏବଂ ଦଳର ବହୁ ତୁଙ୍ଗ ନେତା କଂଗ୍ରେସ ଛାଡି ଅନ୍ୟ ଦଳକୁ ପଳାଉଛନ୍ତି । କେବଳ ଶାସକ ବିଜେପି ନୁହେଁ, ନିକଟରେ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି (ତୃଣମୂଳ କଂଗ୍ରେସ ପାର୍ଟି) ମଧ୍ୟ କଂଗ୍ରେସ ଦଳରେ ଛିଦ୍ର କରି କିଛି କଂଗ୍ରେସ ନେତାଙ୍କୁ ନିଜ ଆଡକୁ ଟାଣି ନେଲାଣି, ଯାହାକି କଂଗ୍ରେସ ଅସନ୍ତୁଷ୍ଟ ଗୋଷ୍ଠୀକୁ ଦଳର ନେତୃତ୍ୱ ବିରୋଧରେ ସ୍ୱରକୁ ଶାଣୀତ କରିବାକୁ ସୁଯୋଗ ସୃଷ୍ଟି କରିଛି ।
ନିକଟରେ, କଂଗ୍ରେସ ନେତୃତ୍ୱ ନବଜୋତ ସିଂହ ସିଦ୍ଧୁଙ୍କ ଚାପରେ କ୍ୟାପଟେନ୍ ଅମରିନ୍ଦିର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦଳିତ ନେତା ଚରନଜିତ ସିଂହ ଚେନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି । ସିଦ୍ଧୁଙ୍କୁ ପିସିସି ସଭାପତି କରାଯିବା ଏବଂ କ୍ୟାପଟେନ୍ ସିଂହଙ୍କୁ ଅପମାନିତ କଲା ଭଳି ମୁଖ୍ୟମନ୍ତ୍ରୀ ପଦରୁ ହଟା ଯିବା ୨୩ ଜଣିଆ ଅସନ୍ତୁଷ୍ଟ ଗୋଷ୍ଠୀ (ଜି-୨୩)କୁ କ୍ଷୁବ୍ଧ କରିଛି । ପଂଜାବରେ ୨୦୨୨ ଫେବୃୟାରୀ ଆଡକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କ୍ୟାପଟେନ୍ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦଳରେ ଅସ୍ଥିରତା ସୃଷ୍ଟି କରାଯିବା କେତେଦୂର ଗ୍ରହଣୀୟ ବୋଲି ଏହି ଗୋଷ୍ଠୀ ପ୍ରଶ୍ନ କରିଛନ୍ତି । ସବୁ ବିଷୟରେ ଆଲୋଚନା ପାଇଁ ତୁରନ୍ତ ଦଳର ଜାତୀୟ କାର୍ଯ୍ୟକାରୀଣୀ ବୈଠକ ଡାକିବାକୁ ଦଳର ନେତୃତ୍ୱକୁ ବାଧ୍ୟ କରିଛନ୍ତି । ଇତିମଧ୍ୟରେ, ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରେ ଘଟି ଥିବା ଚାଷୀ ହତ୍ୟା ଘଟଣାରେ ୟୁପି ସରକାରଙ୍କୁ ଘେରିବାରେ ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ମିଳିତ ନେତୃତ୍ୱ ଏବଂ ସେଥିରେ ପଂଜାବ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସ୍ୱତଃ ଯୋଗଦାନ ଏଆଇସିସି ନେତୃତ୍ୱକୁ ଉତ୍ସାହିତ କରିଥିଲେ ମଧ୍ୟ ୧୬ ତାରିଖ ସିଡବ୍ଲୁସି ବୈଠକକୁ ଏହା କେତଦୂର ପ୍ରଭାବିତ କରିବ ତାହା ବୈଠକରେ ହିଁ ଜଣାପଡିବ ।
ଦେଶରେ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଆଖିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ନେତୃତ୍ୱାଧୀନ ବିଜେପି ସରକାର ବିରୋଧରେ ଏକ ବିକଳ୍ପ ବିରୋଧୀ ମେଂଟ ଗଠନ ପ୍ରକ୍ରିୟା ବର୍ତ୍ତମାନ ତରଳ ଅବସ୍ଥାରେ ଥିବା ବେଳେ କଂଗ୍ରେସର ଆଭ୍ୟନ୍ତରୀଣ ସ୍ଥିତି ଏହା ଉପରେ ପ୍ରତିକୂଳ ପ୍ରଭାବ ପକାଉ ଥିବା ଦେଖିବାକୁ ମିଳୁଛି । କଂଗ୍ରେସ ଦଳ ଜାତୀୟସ୍ତରରେ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଥିବାରୁ କଂଗ୍ରେସକୁ ନେଇ ବିଜେପି ବିରୋଧରେ ଏକ ମିଳିତ ମୋର୍ଚ୍ଚା ଗଠନର ଆଶା ଥିଲା । ତେବେ, କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଏବଂ ନିଷ୍ପତ୍ତି ନେବାରେ ବିଫଳତା ଜାତୀୟ ରାଜନୀତିକୁ ଆଖେଇ ଥିବା ଅନ୍ୟ ଅଣ-ବିଜେପି ଦଳଙ୍କୁ ବିତସ୍ପୃହ କରିଛି । କଂଗ୍ରେସକୁ ତା’ ବାଟରେ ଛାଡି ଦେଇ ବିକଳ୍ପ ବିରୋଧୀ ମେଂଟ ଗଠନ କରାଗଲେ ତାହା ସେତେଦୂର ଫଳପ୍ରଦ ହେବ ନାହିଁ ଏବଂ ମୋଦୀ ସରକାର ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ସୁନିଶ୍ଚିତ ହୋଇଯିବ, ତାହା ସମସ୍ତେ ଅନୁଭବ କରୁଥିଲେ ମଧ୍ୟ ନାଚାର । ତଥାପି, ଲକ୍ଷ୍ମୀପୁର ଖେରି ଘଟଣା ବିରୋଧୀଙ୍କୁ ଏକାଠି ହେବାର ଆଉ ଏକ ସୁଯୋଗ ସୃଷ୍ଟି କରିଛି । ସେମାନେ ସେଥିରୁ କେତେଦୂର ରାଜନୈତିକ ଫାଇଦା ନେଇ ପାରୁଛନ୍ତି ତାହା ଉପରେ ଅନେକ କିଛି ନିର୍ଭର କରୁଛି ।
୨୦୧୪ ସାଧାରଣ ନିର୍ବାଚନ ପରଠାରୁ ଦେଶରେ କଂଗ୍ରେସର ସ୍ଥିତି ନିଷ୍ପ୍ରଭ ହେବାରେ ଲାଗିଛି । କଂଗ୍ରେସରେ ସ୍ଥାଣୁ ଅବସ୍ଥା ଯୋଗୁଁ ଦଳର ପ୍ରଭାବଶାଳୀ ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡି ବିଜେପିକୁ ଯିବା ପରେ ବିଜେପି ଜାତୀୟ କାର୍ଯ୍ୟକାରୀଣୀରେ ସ୍ଥାନ ପାଇଛନ୍ତି । ସେହିଭଳି, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସହ ଦଳର ଯୁବ ନେତା ସଚିନ ପାଇଲଟଙ୍କ ବିବାଦର ଅବସାନ ଘଟୁ ନାହିଁ । ସଚିନ କଂଗ୍ରେସ ହାଇକମାଣ୍ଡଙ୍କ ବିରୋଧରେ ବିଦ୍ରୋହ କରି ଜ୍ୟୋତିରାଦିତ୍ୟଙ୍କ ଭଳି ଦଳ ଛାଡିବା ଯୋଜନା କରିଥିଲେ ମଧ୍ୟ ସଫଳ ହୋଇ ନାହାନ୍ତି । ତେଣୁ, ଦଳରେ ମାଡି, ମକଚି ରହିଛନ୍ତି । କଂଗ୍ରେସରେ ସ୍ଥାଣୁ ଅବସ୍ଥା ଯୋଗୁ ପୂର୍ବତନ ମନ୍ତ୍ରୀ ଜିତେନ୍ ପ୍ରସାଦ ଦଳ ଛାଡି ବିଜେପିକୁ ଯାଇଥିବା ବେଳେ ଆସାମରୁ ସାଂସଦ ଥିବା ସୁସ୍ମିତା ଦେଓ ନିକଟରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି । ୨୦୧୭ରେ ଅକାଳୀ ଳଦ-ବିଜେପି ମେଠଯ ସରକାରକୁ କ୍ଷମତାଚ୍ୟୁତ କରି ପଂଜାବରେ କଂଗ୍ରେସ ଦଳକୁ କ୍ଷମତାକୁ ଆଣିଥିବା କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇ ବିଦ୍ରୋହୀ ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଓ ତାଙ୍କ ସମର୍ଥକ ବିଧାୟକ ଚରନଜିତ୍ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରିବା ପରେ କ୍ୟାପଟେନ୍ ଦଳ ଛାଡିଛନ୍ତି । ଚନ୍ନି ମୁଖ୍ୟମନ୍ତ୍ରୀ ହେବାର ସପ୍ତାହେ ଭିତରେ ଚନ୍ନି-ସିଦ୍ଧୁ ବିବାଦ ହେବା ଏବଂ ସିଦ୍ଧୁ ପଂଜାବ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ନାଟକ କରିବା ସମଗ୍ର ଦେଶ ଦେଖିଛି ।
ଛତିଶଗଡ଼ରେ ମଧ୍ୟ ଏକା ପରିସ୍ଥିତି । ରାଜ୍ୟରେ ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମୁଖ୍ୟମନ୍ତ୍ରୀ ଦୂପେଶ ବଘେଲ ଓ ଦଳର ଅନ୍ୟତମ ବରିଷ୍ଠ ନେତା ଟି.ଏସ.ସିଂହଦେଓଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ଛତିଶଗଡ଼ରେ କଂଗ୍ରେସକୁ ପତନ ଆଡକୁ ନେଉଛି । ଉଭୟ ପକ୍ଷର ବିଧାୟକ ଦିଲ୍ଲୀରେ ଡ଼େରା ପକାଇ ଲୋକହସା ହେଉଛନ୍ତି । ୨୦୨୨ରେ ପଂଜାବ, ୟୁପି ଓ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୟୁପିରେ କଂଗ୍ରେସ ଏକାକୀ ଯୋଗୀ ସରକାରଙ୍କୁ ଟକ୍କର ଦେଲା ଭଳି ଅବସ୍ଥାରେ ନାହିଁ । ଗୁଜରାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ ଭାବେ ପରିଚିତ । ଏହି ଗଡ଼କୁ ବଂଚାଇବା ପାଇଁ ମୋଦୀ ୨୦୧୭ରୁ ମୁଖ୍ୟମନ୍ତ୍ରୀ ଥିବା ବିଜୟ ରୂପାନୀଙ୍କୁ ହଟାଇ ତାଙ୍କ ସ୍ଥାନରେ ବିଶେଷ ଅଭିଜ୍ଞତାନଥିବା ଭୂପିନ୍ଦର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି । ୨୦୨୨ ନିର୍ବାଚନରେ ମୋଦୀ ନିଜେ ଗୁଜରାଟର ମଂଗ ଧରିବେ, ତାହା ଏଥରୁ ସ୍ପଷ୍ଟ ହେଉଛି । ୨୦୧୭ ଗୁଜରାଟ ନିର୍ବାଚନରେ ରହୁଲ ଗାନ୍ଧୀ କଂଗ୍ରେସର ମଂଗ ଧରି ଥିଲେ । ୧୮୨ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସକୁ ୭୭ ଆସନ ମିଳି ଥିବା ବେଳେ ବିଜେପି ୯୯ ଆସନରେ ସନ୍ତୁଷ୍ଟ ହୋଇଥିଲା । ଏନସିପି ଅଣ ବିଜେପି ଭୋଟ ବିଭାଜନ କରିବାରୁ କଂଗ୍ରେସ କ୍ଷତିଗ୍ରସ୍ତ ହେଇଥିଲେ ସୁଦ୍ଧା ବିଜେପିକୁ କଡା ଟକ୍କର ଦେଇଥିଲା ।
ଏବେ ଗୁଜରାଟରେ କଂଗ୍ରେସ ନେତୃତ୍ୱ ଦିଗହରା । ଚଳିତ ବର୍ଷ ପ୍ରାରମ୍ଭରେ କ୍ଷେତ୍ରୀ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ନିଜକ ଦାୟୀ କରି ଗୁଜରାଟ କଂଗ୍ରେସ ସଭାପତି ଅମିତ ଚାଭଡା ଇସ୍ତଫା ଦେବା ପରେ ଦଳର କେହି ସ୍ଥାୟୀ ସଭାପତି ନାହାନ୍ତି । କଂଗ୍ରେସ ଦଳ ରାଜ୍ୟର ଲୋକପ୍ରିୟ ଯୁବ ନେତା ହାର୍ଦ୍ଦିକ ପଟେଲଙ୍କୁ କାର୍ଯ୍ୟକାରୀ ସଭାପତି କରିଛି । କିନ୍ତୁ, ଦଳର କୌଣସି ବରିଷ୍ଠ ନେତା ତାଙ୍କୁ ସହଯୋଗ କରୁ ନଥିବା ସେ ଅଭିଯୋଗ କରୁଛନ୍ତି । କଂଗ୍ରେସରେ ଅନ୍ତଦ୍ୱର୍ନ୍ଦ୍ୱ ଗୁଜରାଟ ସମେତ ପଂଜାବ ଓ ୟୁପିରେ ଆମ୍ ଆଦମୀ ପାର୍ଟିକୁ ଉତ୍ସାହିତ କରିଛି ଓ ଆପ୍ ନିଜର ସ୍ଥିତିକୁ ସୁଦୃଢ କରୁଛି । ଆସନ୍ତା ବିଧାନସଭା ନିର୍ବାଚନରେ ଆପ୍ ଗୁଜରାଟରେ ଅଧିକ ଆସନ ନ ପାଇଲେ ମଧ୍ୟ ଅନେକ ବିଧାନସଭା ଆସନରେ କଂଗ୍ରେସର କ୍ଷତି କରିପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅନୁମାନ କରୁଛନ୍ତି । ଗୋଆରେ ମଧ୍ୟ ଆପ୍ କଂଗ୍ରେସ ପାଇଁ କଂଟା ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି ଏଯାବତ୍ ପଶ୍ଚିମ ବଂଗରେ ସୀମିତ ଥିଲା । ଏବେ, ଜାତୀୟ ଦଳ ହେବାର ଲକ୍ଷ୍ୟ ନେଇ ଆସାମ ଓ ତ୍ରିପୁରାରେ କଂଗ୍ରେସ ଦଳରେ ଛିଦ୍ର କଲାଣି । ଏଭଳି ଏକ ପରିସ୍ଥିତିରେ କଂଗ୍ରେସ କିଭଳି ଭାବେ ବିରୋଧୀ ମେଂଟର ନେତୃତ୍ୱ ନେବ, ତାହା ବଡ଼ ପ୍ରଶ୍ନ ହେଲାଣି ।
କଂଗ୍ରେସର ଅନ୍ତଃରୀଣ ଅବସ୍ଥାକୁ ଦେଖି ବିଜେପି ଖୁସି । ବିଜେପି ବିରୋଧରେ ପ୍ରସ୍ତାବିତ ବିରୋଧୀ ମେଂଟ ଫୁଲ ଧରିବା ଆଗରୁ ଝଡି ଯାଉଥିବା ଦେଖି ଦଳର ମୁଖପାତ୍ରମାନେ ଏତିରୁ ଫାଇଦା ନେବାକୁ ତତ୍ପର । ହଠାତ୍ ସେମାନେ ପଂଜାବର ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ନେଇ ସହାନୁଭୂତିଶୀଳ ହୋଇଛନ୍ତି । କ୍ୟାପଟେନ୍ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ କଂଗ୍ରେସ ଦଳ ‘ଜଣେ ମୁଖ୍ୟମନ୍ତ୍ରୀଙ୍କ ହତ୍ୟା’ କରିଛି ବୋଲି ବିଜେପିର ପ୍ରଚାର ଅଭିଯାନ ଚାଲିଛି । କ୍ୟାପଟେନ ମଧ୍ୟ ବିଜେପି ଚାଣକ୍ୟ ଅମିତ ଶାହାଙ୍କୁ ଭେଟିବା ପରେ ଦଳ ଛାଡିବା ଘୋଷଣା କରି ପଂଜାବରେ କଂଗ୍ରେସ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଛନ୍ତି । ଏହି ସ୍ଥିତିରେ କଂଗ୍ରେସକୁ ଏକ ‘ବୁଡ଼ି ଯାଉଥିବା ଡଙ୍ଗା’ ବୋଲି ଯୁବ ନେତା କହ୍ନେୟା କୁମାର ଆକ୍ଷେପ କରିବା ଏବଂ ବୁଡି ଯାଉଥିବା ଡ଼ଙ୍ଗାକୁ ଉଦ୍ଧାର କରିବା ପାଇଁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି ବୋଲି କହିବା କଂଗ୍ରେସ ପାଇଁ ଲଜ୍ଜାଜନକ ହୋଇଥିଲେ ମଧ୍ୟ ଦଳର ନେତୃତ୍ୱ ନୀରବ । କେବଳ ଜାତୀୟ ସ୍ତରରେ ନୁହେଁ, ବିଭିନ୍ନ ରାଜ୍ୟରେ ମଧ୍ୟ କଂଗ୍ରେସ ସଂଗଠନ ଦୁର୍ବଳ ଓ ବିଦ୍ରୋହର ସମ୍ମୁଖୀନ । କଂଗ୍ରେସ ନେତୃତ୍ୱର ଚରମ ଉଦାସୀନତା ଏଭଳି ପରିସ୍ଥିତି ପାଇଁ ଦାୟି, ଏହା ସମସ୍ତେ କହୁଛନ୍ତି ।
ଏହି ପରିପ୍ରେକ୍ଷୀରେ ଅକ୍ଟୋବର ୧୬ରେ ବସିବାକୁ ଥିବା କଂଗ୍ରେସ ଜାତୀୟ କାର୍ଯ୍ୟକାରୀଣୀ ବୈଠକ ବେଶ୍ ଗୁରୁତ୍ୱ ରଖୁଛି । ତେବେ, ଦିଲ୍ଲୀ କାର୍ଯ୍ୟାଳୟରେ ହେବାକୁ ଥିବା ଏହି ବୈଠକରେ ଦଳ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପରେ ପୁଂଖାନୁପୁଂଖ ଆଲୋଚନା ହୋଇ କିଛି ନିର୍ଣ୍ଣୟ ନିଆଯିବ କି ପୂର୍ବ ବୈଠକଗୁଡିକ ଭଳି ଏଥର ମଧ୍ୟ ନେତୃତ୍ୱ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ବୈଠକ ସରିବ, ତାହା ଦେଖିବାକୁ ବାକି ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS