କେନ୍ଦ୍ର ସରକାରଙ୍କ ଟାର୍ଗେଟରେ ପଂଜାବ ଓ ପଶ୍ଚିମ ବଂଗ !
ପ୍ରସାଦ ରାଓ
ଅକ୍ଟୋବର ୧୪
କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଗତ ସୋମବାର ଦିନ ଏକ ସଂଶୋଧିତ ଗେଜେଟ୍ ବିଜ୍ଞପ୍ତି ଜାରି କରି ଆନ୍ତର୍ଜାତିକ ସୀମାରେ ସୁରକ୍ଷା ଦାୟିତ୍ୱରେ ଥିବା ସୀମା ସୁରକ୍ଷା ବାହୀନୀ ବା ବିଏସଏଫ୍ ର କ୍ଷେତ୍ରାଂଚଳ ବୃଦ୍ଧି କରିଥିବା ଏକ ନୂଆ ବିବାଦର ସୂତ୍ରପାତ କରିଛି । ୨୦୧୪ ଜୁଲାଇ ୩ ତାରିଖରେ ଜାରି ସରକାରୀ ବିଜ୍ଞପ୍ତିରେ ମଣିପୁର, ମିଜେରାମ, ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ସଂପୂର୍ଣ୍ଣ ଭାବେ, ଗୁଜରାଟରେ ଆନ୍ତର୍ଜାତିକ ସୀମାର ୮୦ କିମି ବ୍ୟାସାର୍ଦ୍ଧ ଅଂଚଳ, ରାଜସ୍ଥାନର ୫୦ କିମି ଏବଂ ସୀମା ସଂଲଗ୍ନ ପଂଜାବ, ପଶ୍ଚିମ ବଂଗ ଏବଂ ଆସାମର ୧୫ କିମି ବ୍ୟାସାର୍ଦ୍ଧ ଅଂଚଳରେ ସୀମା ସୁରକ୍ଷା ବାହାନୀର କର୍ତ୍ତୃତ୍ୱ ରହି ଆସିଛି । ଗଲା ସୋମବାର ଜାରି ସଂଶୋଧିତ ଗେଜେଟ୍ ବିଜ୍ଞପ୍ତିରେ ସରକାର ପଂଜାବ, ପଶ୍ଚିମ ବଂଗ ଓ ଆସାମରେ ବିଏସଏଫ୍ କ୍ଷେତ୍ରାଂଚଳ ୧୫ କିମିରୁ ୫୦ କିମିକୁ ବଢାଇ ଦେଇଥିବା ବେଳେ ବିଏସଏଫ୍ ର ସଂପୂର୍ଣ୍ଣ କର୍ତ୍ତୃତ୍ୱରେ ରାଜ୍ୟ ମଣିପୁର, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ ସହ କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀର ଓ ଲଦାଖକୁ ଯୋଡି ଦେଇଛନ୍ତି । ଅପରପକ୍ଷରେ, ଗୁଜରାଟରେ ବିଏସଏଫର କ୍ଷେତ୍ରାଂଚଳ ୮୦ କିମିରୁ ୫୦ କିମିକୁ କମାଇଛନ୍ତି । ପଡୋଶୀ ଦେଶଙ୍କ ସହ ଥିବା ଆନ୍ତର୍ଜାତିକ ସୀମାନ୍ତରେ ବିଏସଏଫର କ୍ଷମତା ବୃଦ୍ଧି କରାଯାଇ ଅସ୍ତ୍ରଶସ୍ତ୍ର ଓ ମାଦକ ଦ୍ରବ୍ୟର ଚୋରା ଚାଲାଣକୁ ସଫଳତାର ସହ ରୋକିବା ସକାଶେ ଏହି ସଂଶୋଧନ କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ କହିଛି । ମନ୍ତ୍ରଣାଳୟର ଜଣେ ମୁଖପତ୍ରଙ୍କ କହିବା ଅନୁସାରେ, ଆନ୍ତର୍ଜାତିକ ସୀମା ସଂଲଗ୍ନ ରାଜ୍ୟମାନଙ୍କରେ ବିଏସଏଫର କାର୍ଯ୍ୟ ପରିସରରେ ସମତା ରକ୍ଷା ଉଦେ୍ଦଶ୍ୟରେ ସୀମା ସୁରକ୍ଷା ବାହିନୀର ସୁପାରିଶକ୍ରମେ ଏହା କରାଯାଇଛି । ବିଏସଏଫ୍ ଆକ୍ଟ, ୧୯୬୮ ଅନୁଯାୟୀ ସଂଶୋଧିତ ିଜ୍ଞପ୍ତି ଜାରି ହୋଇଛି । ତେବେ, ଗୃହ ମନ୍ତ୍ରଣାଳୟର ଏହି ବିଜ୍ଞପ୍ତିକୁ ନେଇ ପଂଜାବ ଓ ପଶ୍ଚିମ ବଂଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ‘ଅସନ୍ତୁଳିତ’ ଏବଂ ‘ସଂଘୀୟ ବ୍ୟବସ୍ଥା’ ପ୍ରତି ସିଧାସଳଖ ଆକ୍ରମଣ ବୋଲି ଦୁଇ ରାଜ୍ୟର ବିରୋଧୀ ଦଳ ଶାସିତ ସରକାର ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାର କେନ୍ଦ୍ରୀୟ ଏଜେନ୍ସୀଙ୍କ ମାଧ୍ୟମରେ ରାଜ୍ୟମାନଙ୍କରେ କର୍ତ୍ତୃତ୍ୱ ଜାହିର କରିବା ପାଇଁ ପ୍ରୟାସ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ପଂଜାବ ମୁଖ୍ୟମନ୍ତ୍ରୀ ଚରନଜିତ୍ ସିଂହ ଚେନ୍ନି ଟ୍ୱିଟ୍ ମାଧ୍ୟମରେ ସରକାରଙ୍କ ନିଷ୍ପତ୍ତି ‘ଏକପାଖିଆ’ କହିବା ସହ ତାହାର ଦୃଢ ବିରୋଧ କରିଛନ୍ତି । ଆନ୍ତର୍ଜାତିକ ସୀମାନ୍ତରେ ବିଏସଏଫକୁ ଯେଉଁ ଅଧିକ କ୍ଷମତା ପ୍ରଦାନ କରାଯାଇଛି ତାହା ପ୍ରତ୍ୟାହାର କରି ନେବାକୁ ସେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ସଂଘୀୟ ବ୍ୟବସ୍ଥା ପ୍ରତି ଏହା କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ଆକ୍ରମଣ ବୋଲି ଚନ୍ନି ଅଭିଯୋଗ କରିଛନ୍ତି । ପଶ୍ଚିମ ବଂଗ ପରିବହନ ମନ୍ତ୍ରୀ ତଥା ବରିଷ୍ଠ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ନେତା ଫିରହାଦ ହକିମ ମଧ୍ୟ ସୋମବାର କେନ୍ଦଅ ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଉପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ସରକାର ଏହି ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ବିଏସଏଫର କ୍ଷେତ୍ରାଂଚଳ ବୃଦ୍ଧି କରି ଦେଶର ସଂଘୀୟ ବ୍ୟବସ୍ଥାର ଉଲଂଘନ କରିଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟ ଭିତରେ ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କର । କେନ୍ଦ୍ର ସରକାର କେନ୍ଦ୍ରୀୟ ଏଜେନ୍ସୀଙ୍କ ମାଧ୍ୟମରେ ସେଥିରେ ହସ୍ତକ୍ଷେପ ଉଦ୍ୟମ କରୁଛନ୍ତି ବୋଲି ହକିମ ଅଭିଯୋଗ କରିଛନ୍ତି । କଂଗ୍ରେସ ସାଂସଦ ମନିଷ ତିୱାରୀ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତିକୁ ବିରୋଧ କରି ରାଜ୍ୟ ଭିତରେ ଆଇନ ଶୃଙ୍ଖଳା ପରିଚାଳନା ରାଜ୍ୟମାନଙ୍କ ସାମ୍ବିଧାନିକ କ୍ଷମତା ଅନ୍ତର୍ଭୁକ୍ତ ହୋଇଥିବା ବେଳେ ସୋମବାର ପ୍ରକାଶିତ ସଂଶୋଧିତ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସରକାର ସୀମାନ୍ତ ରାଜ୍ୟରେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ସରକାରଙ୍କ ଏହି ବିଜ୍ଞପ୍ତି ଯୋଗୁଁ ପଂଜାବର ଅଧା ଅଂଚଳ ବିଏସଏଫ୍ କର୍ତ୍ତୃତ୍ୱକୁ ଚାଲି ଯିବ । ବିଏସଏଫ୍ ଆଇନର ଧାରା ୧୩୯ (କ) ଓ (ଖ)ରେ ବିଏସଏଫ୍ ତାହାର କ୍ଷେତ୍ରାଂଚଳ ମଧ୍ୟରେ ସ୍ଥାନୀୟ ପୁଲିସ ସହ କୌଣସି ପ୍ରକାର ପରାମର୍ଶ ନକରି ଆଖିବୁଜା ପ୍ରତିଷେଧକ ଗିରଫଦାରୀ କ୍ଷମତା ରଖୁଛି ବୋଲି ସାଂସଦ ତିୱାରୀ କହିଛନ୍ତି । ପଂଜାବର ଗୃହ ମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧୱା ମଧ୍ୟ ସଂଶୋଧିତ ଗେଜେଟ୍ ବିଜ୍ଞପ୍ତିକୁ ‘ଆଭ୍ୟନ୍ତରୀଣ ଜରୁରୀ ପରିସ୍ଥିତି’ ଜାରି ସହ ତୁଳନା କରିଛନ୍ତି । ପଂଜାବ ଶିରୋମଣୀ ଅକାଳୀ ଦଳର ସଭାପତି ସୁଖବୀର ସିଂହ ବାଦଲ ଉଭୟ କେନ୍ଦ୍ର ଓ ପଂଜାବ ସରକାରଙ୍କୁ ଏଥିପାଇଁ ଦୋଷ ଦେଇ ପଂଜାବରେ ଏହା କେନ୍ଦ୍ରୀୟ ଶାସନ ଜାରି ସଦୃଶ ହେବାକୁ ଯାଉଛି ବୋଲି କହିଛନ୍ତି । ତେବେ, ନିକଟରେ ପଂଜାବ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହୋଇଥିବା କ୍ୟାପଟେନ୍ ଅମରିନ୍ଦର ସିଂହ କେନ୍ଦ୍ର ସରକାରଙ୍କ ସଂଶୋଧିତ ଗେଜେଟ୍ ବିଜ୍ଞପ୍ତିକୁ ସମର୍ଥନ କରି ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି – ‘କଶ୍ମୀରରେ ଆମ ଯବାନ ହତ୍ୟାର ଶିକାର ହେଉଛନ୍ତି । ପାକ୍ ପ୍ରୟୋଜିତ ଆତଙ୍କବାଦୀ ପଂଜାବରେ ଅଧିକରୁ ଅଧିକ ଅସ୍ତ୍ରଶସ୍ତ୍ର ଓ ମାଦକ ଦ୍ରବ୍ୟ ପ୍ରବେଶ କରାଉଛନ୍ତି । ରାଜ୍ୟରେ ବିଏସଏଫର ଅଧିକ ମାତ୍ରାରେ ଉପସ୍ଥିତି ଓ କ୍ଷମତା ବୃଦ୍ଧି ଦ୍ୱାରା ରାଜ୍ୟର ସୁରକ୍ଷା ବଢିବ । ଅଯଥାରେ ଆମେ କେନ୍ଦ୍ରୀୟ ସଶସ୍ତ୍ର ବଳକୁ ରାଜନୀତିକୁ ଟାଣିବା ଉଚିତ ନୁହେଁ ।’ କ୍ୟାପଟେନ୍ ସିଂହଙ୍କ ବିବୃତି ପଛରେ ଥିବା କାରଣ କାହାରିକୁ ଅଛପା ନାହିଁଁ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗେଜେଟ୍ ବିଜ୍ଞପ୍ତି ପଛରେ ତାଙ୍କରି ହିଁ ହାତ ରହିଛି ବୋଲି ପଂଜାବ କଂଗ୍ରେସର ନେତାମାନେ ଅନୁମାନ କରୁଛନ୍ତି । ପୂର୍ବତନ ହକି ଅଲଂପିକ୍ ତାରକା ତଥା କ୍ୟାବିନେଟ୍ ମନ୍ତ୍ରୀ ପରଗତ ସିଂହ ଖୋଲାଖୋଲି ଅମରିନ୍ଦିର ସିଂହଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ପଂଜାବରେ ଆଇନ ଶଅଙ୍ଖଳା ପରିସ୍ଥିତି ବିପନ୍ନ କହି ରାଜ୍ୟରେ ରାଜ୍ୟପାଳ ଶାସନ ଜାରି କରାଇବା ଦିରେ ବିଜେପି ଏଭଳି ଏକ ଷଡଯନନ୍ର କରିଛି । ସିଂହ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହେବା ପରେ ପ୍ରଥମ ଦିଲ୍ଲୀ ଗସ୍ତରେ ଯାଇ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଥିଲେ । ସେ ଫେରିବା ପରେ ରାଜ୍ୟରେ ଧାନ ସଂଗ୍ରହ ୧୦ ଦିନ ବିଳମ୍ବିତ ହୋଇଥିଲା । ଏହି ଦ୍ୱିତୀୟ ଥର ସିଂହ ଦିଲ୍ଲୀ ଗସ୍ତରେ ଯିବା ପରେ ପଂଜାବରେ ବିଏସଏଫର କ୍ଷେତ୍ରାଂଚଳ ବୃଦ୍ଧି କରାଯାଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ପଂଜାବବାସୀଙ୍କୁ ସଂପ୍ରଦାୟିକ ଭିତ୍ତିରେ ବାଂଟିବାର ଯେଉଁ ଷଡଯନ୍ତ୍ର ଚାଲିଛି ତାହା ସଫଳ ହେବାକୁ ଦିଆଯିବ ନାହିଁ ବୋଲି ପରଗତ ସିଂହ କହିଛନ୍ତି । ବିରୋଧୀଙ୍କ ଅଭିଯୋଗ ସବୁ କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ଖଣ୍ଡନ କରିଥିଲେ ମଧ୍ୟ ଏହି ବିବାଦ ଏତେଶୀଘ୍ର ଛିଡ଼ିଲା ଭଳି ଲାଗୁ ନାହିଁ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS