ସିଂଘୁ ସୀମାନ୍ତରେ ଯୁବକଙ୍କୁ ହତ୍ୟା, ଏହା ପଛରେ ଷଡଯନ୍ତ୍ର ଥିବା ସନ୍ଦେହ କରୁଛି ଏସକେଏମ୍
ପ୍ରସାଦ ରାଓ
ଅକ୍ଟୋବର ୧୫
ତିନି କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ସିଂଘୁ ସୀମାନ୍ତରେ ଆନ୍ଦୋଳନ ଜାରି ରଖି ଥିବା ଚାଷୀଙ୍କ ଆନ୍ଦୋଳନ ସ୍ଥଳରୁ ଆଜି ସକାଳେ ଲଖବୀର ସିଂହ ନାମକ ଜଣେ ୩୫ ବର୍ଷ ବୟସ୍କ ଯୁବକଙ୍କ ମୃତ ଦେହ ମିଳିବା ଘଟଣା ରାଜନୀତିକୁ ସରଗରମ କରିଛି । ଆନ୍ଦୋଳନ ସ୍ଥଳରେ ଓଲଟି ଯାଇ ଥିବା ପୁଲିସର ଏକ ବ୍ୟାରିକେଡ଼ରେ ଲଖବୀରଙ୍କ ହାତ ବାନ୍ଧି ଦିଆଯାଇ ନୃଶଂସ ଭାବେ ହତ୍ୟା କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଲଖବୀର ହେଉଛନ୍ତି ପଂଜାବ ତରନତରନ ଜିଲ୍ଲା ଚିମା କାଲାନ ଗ୍ରାମର ବାସନ୍ଦା । ସ୍ଥାନୀୟ ଜଣେ ସରପଂଚ ଅଭନ କୁମାର ଓ ସେଠାକାର ପୁଲିସ ଡ଼ିଏସପି ସୁଚା ସିଂହ ତାଙ୍କୁ ଚିହ୍ନଟ କରିଛନ୍ତି । ଏହି ହତ୍ୟା ପଛରେ ନିହାଂଗ ଶିଖଙ୍କ ହାତ ଥିବା ପୁଲିସ ସନ୍ଦେହ କରୁଛି । ଲଖବୀର ସେମାନଙ୍କ ପବିତ୍ର ଧର୍ମଗ୍ରନ୍ଥକୁ ଅପମାନିତ କରିଥିବା ସନ୍ଦେହରେ ନିହାଂଗ ଶିଖଙ୍କ ଏକ ଗୋଷ୍ଠୀ ଏହି ହତ୍ୟାକାଣ୍ଡ ଭିଆଇ ଥିବା ପୁଲିସ ଘଟଣା ସ୍ଥଳରୁ ମିଳି ଥିବା ଏକାଧିକ ଭିଡ଼ିଓକୁ ଆଧାର କରି ଦାବି କରୁଛି । ସିଂଘୁ ସୀମାନ୍ତରେ ବର୍ଷେରୁ ଅଧିକ ସମୟ ହେଲା ତିନି କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଚାଲିଛି । ନିହାଂଗ ଶିଖ୍ ଙ୍କ ଗୋଟିଏ ଗୋଷ୍ଠୀ ଏହି ଆନ୍ଦୋଳନରେ ସାମିଲ ଅଛନ୍ତି । ତେଣୁ, ଚାଷୀ ଆନ୍ଦୋଳନକୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ହୋଇ ପାରେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ୍) ପକ୍ଷରୁ କୁହାଯାଇଛି । ପୁଲିସ ହାତରେ ପଡିଥିବା ଭିଡ଼ିଓ ଗୁଡ଼ିକୁ ଆଧାର କରି ନିହାଙ୍ଗ ଶିଖ୍ ସଂପ୍ରଦାୟର ରେ ଗୋଟିଏ ଗୋଷ୍ଠୀ ଏହି ନୃଶଂସ ହତ୍ୟା ଘଟଣାରେ ସଂପୃକ୍ତ ଥିବା କୁହାଯାଉଛି । ଆନ୍ଦୋଳନ ସ୍ଥଳରେ ଲେଉଟି ପଡି ଥିବା ଏକ ପୁଲିସ ବ୍ୟାରିକେଡରେ ଲଖବୀରଙ୍କ ହାତ ବାନ୍ଧି ଦିଆଯାଇ ଗୋଟିଏ ହାତର ପାପୁଲିକୁ ହାଣି ଦିଆଯାଇଛି ଏବଂ ଆଂଠୁ, ଗୋଡ ଭାଂଗି ଦିଆଯାଇଛିି । ଚାଷୀ ଆନ୍ଦୋଳନ ସ୍ଥଳରେ ଜଣେ ବ୍ୟକ୍ତିଙ୍କୁ ଲେଉଟି ପଡି ଥିବା ଏକ ବ୍ୟାରିକେଡରେ ବାନ୍ଧି ଦିଆଯାଇ ନିସ୍ତୁକ ମାଡ଼ ମରା ଯାଇଥିବା ନେଇ କୁଣ୍ଡଳି ଥାନା ପୁଲିସକୁ ଆଜି ଭୋର ୫ଟାରେ ଖବର ମିଳି ଥିଲା । ପୁଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଂଚି ଲଖବୀରଙ୍କୁ ଉଦ୍ଧାର କରିବା ସହ ସିଭିଲ ହସପିଟାଲକୁ ସ୍ଥାନାନ୍ତର କରିଥିଲେ । ଲଖବୀର ମୃତ ବୋଲି ହସପିଟାଲରେ ଜଣାପଡିଥିଲା । ପୁଲିସ କିଛି ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି ବୋଲି ସୋନେପାଟ୍ ଏସପି ଯଶନଦୀପ ସିଂହ ରନ୍ଧୱା କହିଛନ୍ତି । ନିହାଂଗ ଶିଖ୍ ଙ୍କ ଏକ ଗୋଷ୍ଠୀ ସେମାନଙ୍କ ପବିତ୍ର ଧର୍ମଗ୍ରନ୍ଥକୁ ଅପମାନିତ କରାଯାଇଥିବା ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟାଇ ଥିବା ଦାବି କରୁଥିବା ମିଳି ଥିବା ଏକାଧିକ ଭିଡ଼ିଓରୁ ଜଣାପଡିଛି ବୋଲି ରନ୍ଧୱା କହିଛନ୍ତି । ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ରକ୍ତ ଜୁଡୁବୁଡୁ ହୋଇ ପଡି ରହିଛି । ବ୍ୟକ୍ତି ଜଣକର ଗୋଟିଏ ହାତ ଲେଉଟି ପଡି ଥିବା ବ୍ୟାରିକେଡରେ ବନ୍ଧା ଥିବା ବେଳେ ବାମ ହାତର ପାପୁଲିକୁ ହାଣି ଦିଆଯାଇଛି । କଟା ପାପୁଲି ବ୍ୟକ୍ତି ଜଣକର ମୁହଁ ପାଖରେ ପଡି ରହିଛି ଏବଂ ଏକାଧିକ ବ୍ୟକ୍ତି ସେଠାରେ ଉପସ୍ଥିତ ଥାଇ ଗୁରୁତର ଆହତ ବ୍ୟକ୍ତିଙ୍କୁ ପ୍ରଶ୍ନ କରିବାରେ ଲାଗିଛନ୍ତି । ଗୋଟିଏ ଭିଡ଼ିଓରେ ଏଭଳି ଦୃଶ୍ୟ ଥିବା ବେଳେ ସେମାନଙ୍କ ପବିତ୍ର ଧର୍ମଗ୍ରନ୍ଥକୁ ଅପମାନିତ କରିଥିବାରୁ ସେମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି କିଛି ଲୋକ ଦାବି କରୁଥିବାର ଭିଡ଼ିଓ ମଧ୍ୟ ପୁଲିସର ହସ୍ତଗତ ହୋଇଥିବା କୁହାଯାଉଛି । ୟୁପିର ଲକ୍ଷ୍ମୀପୁର ଖେରି ଘଟଣାରେ ଆନ୍ଦୋଳନକାରୀ ଚାଷୀମାନେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ବରଖାସ୍ତ ଓ ଗିରଫଦାରୀ ଦାବି କରୁଥିବା ବେଳେ ସିଂଘୁ ସୀମାନ୍ତରେ ଆଜି ଚାଷୀଙ୍କ ଆନ୍ଦୋଳନ ସ୍ଥଳ ନିକଟରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯିବା ଏବଂ ଯୁବକ ଜଣକୁ ଚାଷୀ ଆନ୍ଦୋଳନରେ ସାମିଲ ଥିବା ଗୋଟିଏ ଗୋଷ୍ଠୀ ନୃଶଂସ ଭାବେ ହତ୍ୟା କରିଥିବା ପୁଲିସ ଦାବି କରିବା ପଛରେ ଷଡଯନ୍ତ୍ର ଥିବାର ସନ୍ଦେହ କରାଯାଉଥିବା ବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା ଘଟଣାର ପୁଂଖାନୁପୁଂଖ ତଦନ୍ତ ହେବା ଦାବି କରିଛି । ଏଠାରେ ଉଲ୍ଲେଖଯୋଗ୍ୟ କି, ୟୁପିର ଲକ୍ଷ୍ମୀପୁର ଖେରି ନିକଟରେ ଥିବା ଟିଗୁନିଆ ଗ୍ରାମ (କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ଗ୍ରାମ) ନିକଟରେ ତିନି କୃଷି ଆଇନକୁ ବିରୋଧ କରି ପ୍ରତିବାଦ ଶୋଭାଯାତ୍ରା କରୁଥିବା ଚାଷୀଙ୍କ ଉପରେ ଏସୟୁଭି ଗାଡି ଚଢାଇ ଦିଆଯାଇ ୪ ଜଣ ଆନ୍ଦୋଳନକାରୀ ଚାଷୀଙ୍କୁ ହତ୍ୟା କରାଯାଇଥିଲା । ଏହାର ପ୍ରତିକ୍ରିୟା ସ୍ୱରୂପ ତ୍ୱରିତ ହିଂସାରେ ତିନି ଜଣ ବିଜେପି ସମର୍ଥକ ଓ ଜଣେ ଟିଭି ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଚାଷୀଙ୍କ ଉପରେ ଗାଡି ଚଢାଇ ଦିଆଯିବା ଘଟଣାରେ ପୁଲିସ କେନ୍ଦ୍ର ମନ୍ତ୍ରୀ ତେନିଙ୍କ ପୁଅ ଆଶିଷ ମିଶ୍ର ଓ ଗୋଟିଏ ଏସୟୁଭିର ମାଲିକ ଆଶିଷଙ୍କ ବନ୍ଧୁଙ୍କୁ ଗିରଫ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ତେନି ଏହି ଷଡଯନ୍ତ୍ରରେ ସାମିଲ ଥିବା ନେଇ ୟୁପି ପୁଲିସ ଏତଲା ଦାଏର କରିଥିବାରୁ ତେନିଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ ପଦରୁ ବରଖାସ୍ତ କରାଯିବା ଏବଂ ଗିରଫ କରାଯିବା ଦାବିରେ ଚାଷୀ ଆନ୍ଦୋଳନ ଅଧିକ ଜୋରଦାର ହେବାରେ ଲାଗିଛି । ୟୁପି ସରକାର ଘଟଣାର ନ୍ୟାୟିକ ଯାଂଚ୍ ଆଦେଶ ଦେଇ ଥିବାରୁ ତଦନ୍ତ ରିପୋର୍ଟ ମିଳିବା ପରେ ହିଁ ଚାଷୀ ହତ୍ୟାରେ ସଂପୃକ୍ତଙ୍କ ବିରୋଧରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶାସକ ବିଜେପି ଅଡି ବସି ଥିବା ବେଳେ ତେନି ଗୃହ ରାଷ୍ଟ୍ରମନ୍ତ୍ରୀ ଥାଇ ପୁଲିସ ବା ନ୍ୟାୟିକ ଯାଂଚ ନିରପେକ୍ଷ ହେବ ନାହିଁ ବୋଲି ଦର୍ଶାଇ ବିରୋଧୀ ଓ ଚାଷୀ ସଂଗଠନ ତେନିଙ୍କ ବରଖାସ୍ତ ଦାବି ଉପରେ ଯୋର ଦେଉଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାର ପ୍ରତିରକ୍ଷାତ୍ମକ ସ୍ଥିତିରେ ଥିବା ବେଳେ ଆଜି ସକାଳେ ଚାଷୀ ଆନ୍ଦୋଳନ ସ୍ଥଳରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର ହେବା ଏବଂ ଏଥିରେ ନିହାଂଗ ସଂପ୍ରଦାୟର ସଂପୃକ୍ତି ନେଇ ପୁଲିସ ଦାବି କରିବା ପଛରେ କିଛି ନା କିଛି ଷଡଯନ୍ତ୍ର ଥିବା ଚାଷୀ ସଂଗଠନ ଏସକେଏମ୍ ସନ୍ଦେହ କରୁଛି । ହରିୟାନା ପୁଲିସ ଘଟଣାର ତଦନ୍ତ କରୁଛି । ତଦନ୍ତର ଅଗ୍ରଗତି ଉପରେ ସମସ୍ତଙ୍କ ନଜର ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS