ଆର୍ଯ୍ୟନ ଘରୁ ମନିଅର୍ଡର ପାଇଲେ, ପିତା ଶାହରୁଖ ଓ ମା’ଗୌରୀଙ୍କ ସହ ଭିଡ଼ିଓ କଲିଂରେ କଥା ହେଲେ
ପ୍ରସାଦ ରାଓ
ଅକ୍ଟୋବର ୧୫
ଏନଡ଼ିପିଏସ୍ ଆଇନରେ ଗିରଫ ହୋଇ ମୁମ୍ବାଇର ଆର୍ଥର ରୋଡ଼ ଜେଲରେ ବିଚାରାଧୀନ ବନ୍ଦୀ ଥିବା ଆର୍ଯ୍ୟନ ଖାନଙ୍କୁ ସୋମବାର ଦିନ ଘରୁ ୪,୫୦୦ ଟଙ୍କାର ମନିଅର୍ଡର ମିଳିଛି । ଆର୍ଯ୍ୟନ ମଂଗଳବାର ଦିନ ଜେଲରୁ ଭିଡ଼ିଓ କଲିଂ କରି ପିତା ବଲିଉଡ୍ ଅଭିନେତା ଶାହରୁଖ ଖାନ୍ ଓ ମା’ ଗୌରୀଙ୍କ ସହ ୧୦ ମିନିଟ କଥା ହୋଇଛନ୍ତି । ଜେଲରେ ଥିବା ଯେକୌଣସି ବ୍ୟକ୍ତି ନିଜ ଖାଦ୍ୟ ଓ ଅନ୍ୟ ସାମଗ୍ରୀ ଖର୍ଦ୍ଦି ପାଇଁ ସର୍ବାଧିକ ୪,୫୦୦ଟଙ୍କା ଘରୁ ମଗାଇ ପାରିବେ ବୋଲି ନିୟମ ରହିଛି । ସେହିଭଳି, କୋଭିଡ଼ ପରିସ୍ଥିତି ଦୃଷ୍ଟିରୁ ଜେଲରେ ଥିବା କଏଦୀମାନେ ସପ୍ତାହକୁ ଦୁଇ ଥର ନିଜ ପରିବାର ସହ ଭିଡ଼ିଓ କଲ୍ ମାଧ୍ୟମରେ କଥା ହୋଇ ପାରିବେ ବୋଲି ହାଇକୋର୍ଟଙ୍କ ନିର୍ଦେଶନାମା ରହିଛି । ଆର୍ଯ୍ୟନ ସୋମବାର ଘରୁ ମନିଅର୍ଡର ପାଇ ଥିବା ବେଳେ ମଙ୍ଗଳବାର ପ୍ରଥମ ଥର ପାଇଁ ପରିବାର ସହ କଥା ହେବାକୁ ଭିଡ଼ିଓ କଲିଂ ସୁବିଧାର ଉପଯୋଗ କରିଛନ୍ତି ବୋଲି ଜେଲ୍ ସୂତ୍ରରୁ ଜଣାପଡିଛି । ତେବେ, ଆର୍ଥର ରୋଡ଼ ଜେଲ ସୁପରିଟେଣ୍ଡେଂଟ ନୀତିନ ୱାଇଚଲ ସ୍ପଷ୍ଟ କରିଛନ୍ତି ଯେ, ଆର୍ଯ୍ୟନ ଷ୍ଟାର ପୁତ୍ର ହୋଇ ଥିବାରୁ ତାଙ୍କ ପାଇଁ କୌଣସି କୋହଳତା ପ୍ରଦର୍ଶନ କରାଯାଉ ନାହିଁ । ତାଙ୍କୁ ଜେଲ ଖାଦ୍ୟ ହିଁ ଦିଆଯାଉଛି । ଘର ଖାଦ୍ୟ ବା ବାହାରୁ ଖାଦ୍ୟ ମଗାଇ ଖାଇବାକୁ ହେଲେ ଏଥିସକାଶେ କୋର୍ଟଙ୍କ ଅନୁମତି ଅନିବାର୍ଯ୍ୟ । ମୁମ୍ବାଇ-ଗୋଆ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଗିରଫ ହୋଇ ଏନଡ଼ିପିଏସ୍ ଆଇନରେ ଜେଲ୍ ଯିବା ପରେ ଗତକାଲି ଚତୁର୍ଥ ପାଇଁ ତାଙ୍କ ଜାମିନ ଆବେଦନ କରି ବିଫଳ ହୋଇଛନ୍ତି । ମୁମ୍ବାଇର ଏକ ସେସନ୍ସ ଅଦାଲତରେ ଗତକାଲି ତାଙ୍କ ଜାମିନ ଆବେଦନର ଶୁଣାଣୀ କରିଥିଲେ । ଆର୍ଯ୍ୟନଙ୍କ ଓକିଲ ଓ ଏନସିବିର ଓକିଲ ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂହଙ୍କ ଯୁକ୍ତି ଶୁଣିବା ପରେ ସେସନ୍ସ କୋର୍ଟ ଅକ୍ଟୋବର ୨୦ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି । ପାର୍ବଣ ଋତୁରେ ଅଦାଲତ ଛୁଟି ଥିବାରୁ ଆର୍ଯ୍ୟନଙ୍କ ପାଇଁ ୨୦ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବା ଛଡା ଅନ୍ୟ ବିକଳ୍ପ ନାହିଁ । ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଦିନ ସେସନ୍ସ କୋର୍ଟ ବିଚାରପତି ତାଙ୍କ ରାୟ ସଂରକ୍ଷିତ ରଖିବା ପରେ ତାଙ୍କୁ କୋଭିଡ଼ ଟେଷ୍ଟ୍ କରାଯାଇ ଜେଲ୍ କୁ ଫେରାଇ ନିଆଯାଇଥିଲା । ତାଙ୍କ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଥିବାରୁ ତାଙ୍କୁ ଅଲଗା ସେଲ୍ ରେ ରଖା ନଯାଇ ଅନ୍ୟ ବିଚାରାଧୀନ କଏଦୀଙ୍କ ସହ ବ୍ୟାରେକରେ ରଖା ଯାଇଛି । ମୁମ୍ବାଇ କ୍ରୁଜ୍ ଡ଼୍ରଗ୍ସ୍ ମାମଲାରେ ଏନସିବି ଶାହରୁଖ ପୁତ୍ର ଆର୍ଯ୍ୟନଙ୍କୁ ଏକ ନମ୍ବର ଅଭିଯୁକ୍ତ ଦର୍ଶାଇ ସେ ନିୟମିତ ଭାବେ ଡ୍ରଗ୍ସ୍ ନେଉଥିଲେ ଏବଂ ବିଦେଶରୁ ବେଆଇନ ମାଦକ ଦ୍ରବ୍ୟ ଆଣୁ ଥିବା କିଛି ଲୋକଙ୍କ ସହ ତାଙ୍କର ପ୍ରତ୍ୟକ୍ଷ ସଂପର୍କ ରହିଛି ବୋଲି ଅଦାଲତରେ ଅଭିଯୋଗ କରିଥିବାରୁ ଆର୍ଯ୍ୟନଙ୍କ ଅଡୁଆ ବଢିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS