ମହିଳାଙ୍କ ଉପରେ ଗାଡ଼ି ଚଢାଇ ଇନିସପେକ୍ଟର ଗିରଫ
ପ୍ରସାଦ ରାଓ
ଅକ୍ଟୋବର ୧୮
ଆଜି ସକାଳେ ପଂଜାବର ଜଳନ୍ଧର ସହରରେ ଏକ ଦୁଃଖଦ ଘଟଣା ଘଟିଛି । ଦୁଇ ଜଣ ଯୁବତୀ ରାସ୍ତା ପାରି ହେବାକୁ ଅପେକ୍ଷା କରିଥିବା ବେଳେ ଦୃତ ଗତିରେ ଗୋଟିଏ କାର୍ ସେମାନଙ୍କ ଆଡକୁ ମାଡି ଆସି ଥିଲା । ଭୟରେ ସେମାନେ ଗୋଟିଏ ପାଦ ପଛକୁ ପଳାଇ ଥିଲେ ସିନା ନିମିଷକେ ମଧ୍ୟରେ କାର୍ ସେମାନଙ୍କୁ ଧକ୍କା ଦେଇ ଦୃତ ଗତିରେ ପଳାଇ ଥିଲା । ଘଟଣା ସ୍ଥଳରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଯୁବତୀ ଜଣକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇ ଥିବା ମାରୁତା ବ୍ରେଜା କାର୍ ଚାଳକ ଜଣେ ପୁଲିସ ଇନିସ୍ପେକ୍ଟର ଥିଲେ । ତାଙ୍କୁ ଗିରଫ କରାଯାଇଛି । ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଯେ, ଯୁବତୀ ଦ୍ୱୟ ରାସ୍ତା କଡରେ ଠିଆ ହୋଇଥିବା ବେଳେ ମାରୁତା ବ୍ରେଜା କାର୍ ସେମାନଙ୍କ ଆଡକୁ ଦୃତ ଗତିରେ ମାଡ଼ି ଆସୁ ଥିଲା । ସେମାନେ ନିଜକୁ ରକ୍ଷା କରିବା ପାଇଁ ପାଦେ ପଛକୁ ଘୁଂଚି ଯାଇ ଥିଲେ ସୁଦ୍ଧା ନିଜକୁ ରକ୍ଷା କରିବାରେ ସକ୍ଷମ ହୋଇ ନଥିଲେ । ଆଜି ସକାଳ ସାଢେ ୮ଟା ସମୟରେ ଜଳନ୍ଧର କ୍ୟାଂଟନମେଂଟ ଅଂଚଳରେ ଏହି ଦୁର୍ଘଟଣା ଘଟିଛି । ମୃତକ ନଭଜୋତ କାଉର ଗୋଟିଏ କାର୍ ସୋ-ରୁମ୍ ରେ କାର୍ଯ୍ୟ କରୁଥିଲେ । ଗୁରୁତର ଆହତ ମହିଳା ଜଣକ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ଘଟଣା ପରେ ଜଳନ୍ଧର-ଫଗୱାରା ହାଇୱେରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ । ଫଳରେ, ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା । ନଭଜୋତ ଏକ ରେଲୱେ କ୍ରସିଂ ନିକଟରେ ରାସ୍ତା ପାରି ହେବାକୁ ଅପେକ୍ଷା କରିଥିବା ବେଳେ ଏହି ଦୁର୍ଘଟଣା ଘଟି ଥିବା ତାଙ୍କ ମା’ ତେଜିନ୍ଦର କାଉର କହିଛନ୍ତି । ସଂପୃକ୍ତ ପୁଲିସ ଅଧିକାରୀ ଅମ୍ରିତ ପାଲ ସିଂହଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ପାଇଁ ଦାବି କରି ଅଂଚଳବାସୀ ରାସ୍ତା ଅବରୋଧ କରିବା ଫଳରେ ସହରରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳ ରୋକୋ..
ୟୁପିର ଲକ୍ଷ୍ମୀପୁର ଖେରି ଚାଷୀ ହତ୍ୟା ଘଟଣାରେ ଅଭିଯୁକ୍ତ ଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ବରଖାସ୍ତ ଓ ଗିରଫ ଦାବି କରି ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ‘ରେଳ ରୋକା’ ଆନ୍ଦୋଳନ ହୋଇଯାଇଛି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ହୋଇଥିବା ‘ରେଳ ରୋକୋ’ର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ପୂର୍ବ ତଟ (ଇଷ୍ଟ କୋଷ୍ଟ୍) ରେଳ ଡ଼ିଭିଜନରେ ୩୦ ମିନିଟରୁ ଘଂଟାଏ ପର୍ଯ୍ୟନ୍ତ ରେଳ ଚଳାଚଳ ବ୍ୟବାହତ ହୋଇଥିବା ବେଳେ ଉତ୍ତରାଂଚଳ ରେଳବାଇ ଜୋନ୍ ଓ ଉତ୍ତର ପଶ୍ଚିମାଂଚଳ ରେଳବାଇ ଜୋନରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମଳିଛି । ତେବେ, କେନ୍ଦ୍ର ସରକାର ଚାଷୀ ସଂଗଠନଙ୍କ ସହ ଏସଂପର୍କରେ କୌଣସି ଆଲୋଚନା କରି ନଥିବା ଭାରତୀୟ କିଷାନ ୟୁନିୟନ ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି । ଅପରପକ୍ଷରେ, ମେଘାୟଳ ରାଜ୍ୟପାଳ ସତପାଲ୍ ମଲ୍ଲିକ କହିଛନ୍ତି, ସେ ଯଦି ଅଜୟ ମିଶ୍ରାଙ୍କ ସ୍ଥାନରେ ଥାଆନ୍ତେ ତେବେ, ଲକ୍ଷ୍ମୀପୁର ଖେରି ଘଟଣା ପରେ ପରେ ଇସ୍ତଫା ଦେଇ ସାରନ୍ତେଣି । କେନ୍ଦ୍ର ସରକାର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ କଥା ଯଦି ନ ଶୁଣିବେ ତେବେ ବିଜେପି ଆଉ କ୍ଷମତାକୁ ଫେରି ପାରବ ନାହିଁ । ସରକାର ଯଦି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିର ଆଇନଗତ ଗ୍ୟାରେଂଟି ଦେବେ ସେ ଚାଷୀଙ୍କ ସହ ଆଲୋଚନାରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ବୋଲି ରାଜ୍ୟପାଳ ମଲ୍ଲିକ କହିଛନ୍ତି । ୟୁପି, ପଂଜାବ, ରାଜସ୍ଥାନ ପ୍ରଭୃତି ରାଜ୍ୟରେ ଚାଷୀଙ୍କ ‘ରେଳ ରୋକୋ’ ଆନ୍ଦୋଳନର ଅଧିକ ପ୍ରଭାବ ପଡ଼ି ଥିବା ରେଳବାଇ ସୂତ୍ରରୁ ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS