ଆର୍ଯ୍ୟନଙ୍କୁ ନେଇ ସେନା-ବିଜେପି ମୁହାଁମୁହିଁ, ସୁପ୍ରିମ କୋର୍ଟରେ ପହଂଚିଲା ମାମଲା
ପ୍ରସାଦ ରାଓ
ଅକ୍ଟୋବର ୧୯
ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି । ଆର୍ଯ୍ୟନ ଖାନଙ୍କ ସପକ୍ଷରେ ମହାରାଷ୍ଟ୍ର ଶାସକ ମେଂଟର ଦୁଇ ପ୍ରମୁଖ ଦଳ ଶିବସେନା ଓ ଏନସିପି ଖୋଲାଖୋଲି ସାମ୍ନାକୁ ଆସି ଥିବା ବେଳେ ବିଜେପି ରକ୍ଷାତ୍ମକ ଭୂମିକାରେ ରହିଛି । ଶିବସେନାର ଜଣେ ମନ୍ତ୍ରୀ କିଶୋର ତିୱାରୀ ସୁପ୍ରମି କୋର୍ଟରେ ଏକ ପିଟିସନ୍ ଦାଖଲ କରି ଆର୍ଯ୍ୟନ ଡ୍ରଗ୍ସ୍ ସେବନ କରୁଥିବା ବା ଡ୍ରଗ୍ସ୍ କାରବାରରେ ସଂପୃକ୍ତ ଥିବା ନେଇ ଏନସିବି ନିକଟରେ କୌଣସି ଠୋସ୍ ପ୍ରମାଣ ନଥିବା ବେଳେ ଦୀର୍ଘ ୧୭ ଦିନ ହେଲା ତାଙ୍କୁ ଜେଲରେ ଅଟକ ରଖାଯିବାର ବୈଧତାକୁୁ ନେଇ ପ୍ରଶ୍ନ ଉଠାଇବା ସହ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିବା ଏବଂ ଏତେ ଦିନ ଧରି ଜାମିନ ନ ମିଳୁ ନଥିବାରୁ ସେ ଜେଲରେ ଅଟକ ରହିବା ପଛରେ କେନ୍ଦ୍ର ସରକାର ଏବଂ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ତିୱାରୀ ଅଭିଯୋଗ କରିବା ସହ ସଂପୂର୍ଣ୍ଣ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦେବାକୁ ସୁପ୍ରିମ କୋର୍ଟଙ୍କୁ ନିବେଦନ କରିଛନ୍ତି ।
କୌଣସି ତଥ୍ୟ, ପ୍ରମାଣ ନଥାଇ ଆର୍ଯ୍ୟନଙ୍କୁ ଦୀର୍ଘ ଦିନ ଧରି ଜେଲରେ ଅଟକ ରଖାଯିବା ତାଙ୍କ ମାନବାଧିକାରକୁ କ୍ଷୁର୍ଣ୍ଣ କରିଛି । ଏନସିବିର ଜନୈକ ଅଧିକାରୀ ନିଜ ଅଭିନେତ୍ରୀ ପତ୍ନୀଙ୍କୁ ବଲିଉଡ଼ରେ ପହଂଚାଇବାରେ ବିଫଳ ହେବାରୁ ରାଗ ଶୁଝାଇବା ପାଇଁ ବଲିଉଡ୍ ସେଲେବି୍ରିଟିଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ତିୱାରୀ ତାଙ୍କ ପିଟିସନ୍ ରେ ଦର୍ଶାଇ ଥିବା ସୂଚନା ମିଳିଛି ।
ଅକ୍ଟୋବର ୨ ତାରିଖ ରାତିରେ ଏନସିବି ଅଧିକାରୀମାନେ କୌଣସି ସୂତ୍ରରୁ ସୂଚନା ପାଇଁ ଯାତ୍ରୀ ଭାବେ ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ୍ (ଜାହାଜ)ରେ ପ୍ରବେଶ କରିଥିଲେ ଏବଂ ସେଠାରେ ଚାଲି ଥିବା ‘ରେଭ୍ ପାର୍ଟି’ ଉପରେ ଚଢାଉ କରି ଆର୍ଯ୍ୟନ ଖାନଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲେ । ମାଦକ ଦ୍ରବ୍ୟ ସେବନ ଓ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା । ମୁମ୍ବାଇସ୍ଥିତ ଏନସିବି କାର୍ଯ୍ୟାଳୟରେ ସମସ୍ତଙ୍କୁ ଜେରା କରାଯିବା ପରେ ଦୁଇ ପର୍ଯ୍ୟାୟରେ ଅଦାଲତରେ ହାଜର କରାଯାଇଥିଲା । ଏନଡ଼ିପିଏସ ଆଇନରେ ସମସ୍ତଙ୍କୁ ଗିରଫ କରାଯାଇ ଥିବାରୁ ସେମାନେ ଜେଲରେ ଅଛନ୍ତି । ତେବେ, ଆର୍ଯ୍ୟନ ନିକଟରୁ ଏନସିବି କାଣିଚାଏ ମଧ୍ୟ ମାଦକ ଦ୍ରବ୍ୟ ଜବତ କରି ନାହାନ୍ତି ବା ଗିରଫ ସମୟରେ ସେ ମାଦକ ଦ୍ରବ୍ୟ ସେବନ କରିଥିବା ନେଇ ଡ଼ାକ୍ତରୀ ଯାଂଚ କରାଇ ନାହାନ୍ତି । ଏହାସତ୍ତ୍ୱେ ଆର୍ଯ୍ୟନଙ୍କୁ ଗତ ୮ ତାରିଖରୁ ଜେଲରେ ଅଟକ ରଖାଯିବା ଏବଂ ବାରମ୍ବାର ତାଙ୍କ ଜାମିନ ଆବେଦନକୁ ଖାରଜ କରାଯିବା ଅମାନବୀୟ ବୋଲି କୁହାଯାଇଛି ।
ଏଠାରେ ଉଲ୍ଲେଖନୀୟ ଯେ, ମୁମ୍ବାଇର ଏକ ମାଜିଷ୍ଟ୍ରେଟ୍ କୋର୍ଟ ନିକଟରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ କରି ଅଦାଲତ ଦଶହରା ଛୁଟି ପାଇଁ ବନ୍ଦ ଥିବାରୁ ୨୦ ତାରିଖ ପର୍ଯ୍ୟନ୍ତ ରାୟକୁ ସଂରକ୍ଷିତ ରଖିଛନ୍ତି । ଆସନ୍ତା କାଲି ଅଦାଲତ ଖୋଲିଲେ ରାୟ ପ୍ରକାଶ ପାଇବା ଆଶା କରାଯାଉଛି । ଆର୍ଯ୍ୟନ ଏବେ ମୁମ୍ବାଇର ଆର୍ଥର ରୋଡ଼ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ସାଧାରଣ ସେଲରେ ଅବସ୍ଥାନ କରୁଛନ୍ତି । ଶିବସେନା ଓ ଏନସିପି ପକ୍ଷରୁ ଅଭିଯୋଗ ହୋଇଛି ଯେ, ଆର୍ଯ୍ୟନଙ୍କୁ ଗିରଫ କରି ଜେଲରେ ରଖାଯିବା ପଛରେ ବଡ଼ ଷଡଯନ୍ତ୍ର ରହିଛି । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ଇଂଗିତରେ ଏନସିବି ଅଧିକାରୀମାନେ ଆର୍ଯ୍ୟନଙ୍କୁ ଟାର୍ଗେଟ୍ କରିଛନ୍ତି । ଗଲା କିଛି ଦିନ ହେଲା ବରିଷ୍ଠ ଏନସିପିର ନେତାମାନେ ଏହି ଅଭିଯୋଗ କରି ଆସୁଛନ୍ତି । ସେମାନେ କହିବା ଅନୁସାରେ, ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ଜବତ ହୋଇଥିବା ହଜାର ହଜାର କୋଟି ଟଙ୍କାର ନିଷିଦ୍ଧ ମାଦକ ଦ୍ରବ୍ୟ ଉପରୁ ଜନସାଧାରଣଙ୍କ ନଜର ହଟାଇବା ପାଇଁ ବଲିଉଡ୍ ତାରକାମାନଙ୍କୁ ଟାର୍ଗେଟ କରାଯାଉଛି । ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ତ ଏନସିବିର ‘ବଳୀର ଛାଗଳ’ ହୋଇଛନ୍ତି । ଗୁଜରାଟର ମୁନ୍ଦ୍ରା ବନ୍ଦର ହେଉଛି ଆଦାନୀ ଗୃପର ।
ଅପରପକ୍ଷରେ, ଶିବସେନା ମନ୍ତ୍ରୀ ତିୱାରୀ ସୁପ୍ରିମ କୋର୍ଟରେ ଦାଖଲ କରିଥିବା ପିଟିସନରେ ଯେଉଁ ଏନସିବି ଅଧିକାରୀଙ୍କୁ ଟର୍ଗେଟ୍ କରିଛନ୍ତି ସେ ହେଉଛନ୍ତି ଏନସିବିର ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାଂଖଡେ । ୱାଂଖଡେଙ୍କ ପତ୍ନୀ ହେଉଛନ୍ତି ଜଣେ ମରାଠୀ ଫିଲ୍ମ ଅଭିନେତ୍ରୀ । ତାଙ୍କୁ ବଲିଉଡ୍ରେ ପୁରାଇବାରେ ବିଫଳ ହୋଇ ୱାଂଖଡେ ରାଗ ଶୁଝାଇବାକୁ ବଲିଉଡ୍ ବ୍ୟକ୍ତିତ୍ୱ ଓ ମଡେଲମାନଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ତିୱାରୀଙ୍କ ଆବେଦନରେ ଦର୍ଶାଯାଇଛି । କିଶୋର ତିୱାରୀ ସୁପ୍ରିମ କୋର୍ଟ ଯିବା ପୂର୍ବରୁ ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆର୍ଯ୍ୟନଙ୍କ ଗିରଫଦାରୀ ଏବଂ ଜେଲରେ ଅଟକ ରଖାଯିବା ଉପରେ ପ୍ରଶ୍ନ ଉଠାଇ ସାରିଛନ୍ତି । ଏନସିବି କେବଳ କାହିଁକି ସେଲେବ୍ରିଟିଙ୍କୁ ଧରିବାରେ ଆଗ୍ରହ ପ୍ରକାଶ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଶବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଓ ଏନସିପିର ବରିଷ୍ଠ ନେତାମାନେ ଆର୍ଯ୍ୟନଙ୍କ ଗିରଫଦାରୀକୁ ନେଇ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ବିଜେପି ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛି ।
ଶିବସେନା ମନ୍ତ୍ରୀ ତିୱାରୀ ସୁପ୍ରିମ କୋର୍ଟରେ କରିଥିବା ଆବେଦନ ଉପରେ ମହାରାଷ୍ଟ୍ର ବିଜେପି ମୁଖପାତ୍ର ରାମ କଦମ ପ୍ରତିକ୍ରିୟା ରଖିଛନ୍ତି । ମହାରାଷ୍ଟ୍ର ସରକାର କାହିଁକି ‘ଡ୍ରଗ୍ ମାଫିଆ’ଙ୍କୁ ସମର୍ଥନ କରୁଛନ୍ତି (?) ବୋଲି ସେ ପ୍ରଶ୍ନ କରିଛନ୍ତି । ‘ଆମେ ଅର୍ଯ୍ୟନ ବା କୌଣସି ବ୍ୟକ୍ତବିଶେଷଙ୍କ ବିରୋଧୀ ନୁହଁ । ଶାହାରୁଖ ଖାନଙ୍କ ଅଭିନୟ ଦକ୍ଷତା ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି । ତେବେ, ମହାରାଷ୍ଟ୍ର ସରକାର ଡ୍ରଗ୍ସ୍ ମାଫିଆଙ୍କୁ ସମର୍ଥନ କରିବା ଏବଂ ଏନସିବିକୁ ଟାର୍ଗେଟ୍ କରିବା ପଛରେ କି କାରଣ ରହିଛି ? ସରକାର ଏହା ବଦଳରେ ମୋଟା ଅଙ୍କର ବଟି ପାଉଛନ୍ତି କି (?)’ ବୋଲି କଦମ ପ୍ରଶ୍ନ କରିଛନ୍ତି । ମୁମ୍ବାଇ କ୍ରୁଜ୍ ଚଢାଉ ଘଟଣାରେ ଏନସିବି ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଗିରଫ କଲାଣି । ତେବେ, ଆର୍ଯ୍ୟନଙ୍କ ନିକଟରୁ କାଣିଚାଏ ମାଦକ ଦ୍ରବ୍ୟ ଜବତ ହୋଇ ନଥିଲେ ବି ‘ହ୍ୱାଟସ୍ ଆପ୍’ ଚାଟ୍ ଦେଖାଇ ଆର୍ଯ୍ୟନଙ୍କ ବିରୋଧରେ ଅଦାଲତରେ ଯୁକ୍ତି ରଖୁଛି ।
ଆର୍ଯ୍ୟନ ନିଷିଦ୍ଧ ମାଦକ ଦ୍ରବ୍ୟ କାରବାର ସହ ମୋଟେ ସଂପୃକ୍ତ ନୁହଁନ୍ତି । ସେ ଡ଼୍ରଗ୍ସ୍ ସେବନ କରୁଥିବା ନେଇ ମଧ୍ୟ ଏନସିବି ନିକଟରେ କାଣିଚାଏ ପ୍ରମାଣ ନାହିଁଁ । ଆର୍ଯ୍ୟନଙ୍କ ଓକିଲ ବାରମ୍ବାର କୋର୍ଟରେ ଏହି ଯୁକ୍ତି ରଖୁ ଥିଲେ ମଧ୍ୟ ଆର୍ଯ୍ୟନଙ୍କୁ ଜାମିନ ମିଳୁ ନାହିଁ । ଜଣେ ୨୩ ବର୍ଷ ବୟସର ଯୁବକକୁ ଠୋସ୍ ପ୍ରମାଣ ନଥାଇ ୧୭ ଦିନ ହେଲା ଜେଲରେ ଅଟକ ରଖା ଯିବା ଯନ୍ତ୍ରଣାଦାୟକ । ଏଭଳି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଏନସିବି ଅଧିକାରୀ ଜଣକ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି ବୋଲି ମହାରାଷ୍ଟ୍ର ମନ୍ତ୍ରୀ ତିୱାରୀ ସୁପ୍ରିମ କୋର୍ଟରେ ଦାଖଲ କରିଥିବା ପିଟିସନରେ ଦର୍ଶାଇଛନ୍ତି । ଘଟଣାର ବିଚାର ବିଭାଗୀୟ ତଦନ୍ତ ଆଦେଶ ପାଇଁ ତିୱାରୀ ସର୍ବୋଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିବାରୁ ସୁପ୍ରିମ କୋର୍ଟ ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS