ଆର୍ଯ୍ୟନଙ୍କ ଜାମିନ ଆବେଦନ ନାମଂଜୁର, ଆଉ କିଛି ଦିନ ଜେଲରେ ରହିବେ
ପ୍ରସାଦ ରାଓ
ଅକ୍ଟୋବର ୨୦
ମୁମ୍ବାଇ-ଗୋଆ କ୍ରୁଜ୍ ମାମଲାରେ ଗିରଫ ହୋଇ ଅକ୍ଟୋବର ୮ ତାରିଖରୁ ମୁମ୍ବାଇର ଆର୍ଥର ରୋଡ଼ ଜେଲରେ ଅଟକ ଥିବା ଶାହାରୁଖ-ପୁତ୍ର ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଅଜି ନାମଂଜୁର ହୋଇଛି । ନିଷିଦ୍ଧ ମାଦକ ଦ୍ରବ୍ୟ ସେବନ ଓ କାରବାର ସହ ସଂପୃକ୍ତ ଥିବା ଅଭିଯୋଗରେ ଗତ ଅକ୍ଟୋବର ୨ ତାରିଖ ବିଳମ୍ବିତ ରାତ୍ରୀରେ ଆର୍ଯ୍ୟନ ଓ ଅନ୍ୟ ୭ ଜଣଙ୍କୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର ମୁମ୍ବାଇ ଶାଖା ମୁମ୍ବାଇ-ଗୋଆ କ୍ରୁଜ୍ ରୁ ଧରି ଆଣିଥିଲା । ୩ ତାରିଖ ଦିନ ସେମାନେ ଗିରଫ ହୋଇ ଜେଲରେ ଅଛନ୍ତି । ଆଜି ଜାମିନ ନାମଂଜୁର ହୋଇଥିବାରୁ ଆର୍ଯ୍ୟନ ବର୍ତ୍ତମାନ ପାଇଁ ଜେଲରେ ରହିବା ସୁନିଶ୍ଚିତ ହୋଇଛି । ଏହି ରାୟ ବିରୋଧରେ ଆର୍ଯ୍ୟନଙ୍କ ଓକିଲ ମୁମ୍ବାଇ ହାଇକୋର୍ଟକୁ ଯିବେ ବୋଲି ଜଣାପଡିଛି । ଅକ୍ଟୋବର ୨ ତାରିଖ ରାତିରେ ମୁମ୍ବାଇରୁ ଗୋଆ ଯାଉଥିବା ଏକ ଅଭିଜାତ ସଂପନ୍ନ ଜାହାଜ ବା କ୍ରୁଜ୍ରେ ‘ରେଭ୍ ପାର୍ଟି’ ଚାଲି ଥିବା ବେଳେ ଏନସିବି ଅତର୍କିତ ଚଢାଉ କରି ଆର୍ଯ୍ୟନ, ତାଙ୍କ ବନ୍ଧୁ ଅର୍ବାଜ ମର୍ଚ୍ଚେଂଟ, ମୁନମୁନ ଧମେଚା ଓ ଅନ୍ୟ ୫ ଜଣଙ୍କୁ ଧରି ଆଣି ଥିଲା । ପରେ ସମସ୍ତଙ୍କୁ ଗିରଫ କରାଯାଇ ଜେଲରେ ରଖା ଯାଇଛି । ଏନସିବି ଆର୍ଯ୍ୟନଙ୍କ ନିକଟରୁ କାଣିଚାଏ ହେଲେ ମାଦକ ଦ୍ରବ୍ୟ ଜବତ କରି ନଥିବା ବେଳେ ତାଙ୍କୁ ଗିରଫ କରାଯାଇ ଏତେଦିନ ଧରି ଜେଲରେ ରଖା ଯିବା ଅମାନୁଷିକ ବୋଲି ତାଙ୍କ ଓକିଲ ସତୀଶ ମାନସିନେ୍ଧ ଓ ଅମିତ ଦେଶାଇ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ଆର୍ଯ୍ୟନଙ୍କ ‘ହ୍ୱାଟସ୍ ଆପ୍’ ଚାଟ୍ ରୁ ସେ ଆନ୍ତର୍ଜାତିକ ଡ୍ରଗ୍ସ୍ ମାଫିଆଙ୍କ ସହ ସଂପର୍କରେ ଥିବା ଏବଂ ସେମାନଙ୍କଠାରୁ ରିତିମତ ଡ୍ରଗ୍ସ୍ ଆଣୁ ଥିବାର ବଳିଷ୍ଠ ପ୍ରମାଣ ରହିଛି ବୋଲି ଏନସିବି ଯୁକ୍ତି ରଖିଛି । କୋର୍ଟ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣୀ କରି ଦଶହରା ଛୁଟି ସରିବା ଯାଏଁ ରାୟ ସଂରକ୍ଷିତ ରଖି ଥିଲେ । ପୂଜା ଛୁଟି ସରି ଆଜି କୋର୍ଟ ଖୋଲିବା ପରେ ମାଜିଷ୍ଟ୍ରାଟ୍ ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ରାୟ ଦେଇ ତାହାକୁ ନାମଂଜୁର କରିଛନ୍ତି । ଫଳରେ, ୨୩ ବର୍ଷ ବୟସ୍କ ଆର୍ଯ୍ୟନ ଆଉ କିଛି ଦିନ ଆର୍ଥର ରୋଡ଼ ଜେଲରେ ରହିବା ଥୟ ହୋଇଛି । ଆର୍ଯ୍ୟନଙ୍କୁ ଏନସିବି ଡ୍ରଗ୍ସ୍ ମାମଲାରେ ଗିରଫ କରିବା ଏବଂ କୌଣସି ବଳିଷ୍ଠ ପ୍ରମାଣ ନଥାଇ କୋର୍ଟ ତାଙ୍କ ଜାମିନ ଆବେଦନକୁ ବାରମ୍ବାର ନାମଂଜୁର କରିବା ଘଟଣା ବଲିଉଡ୍ ଓ ରାଜନୈତିକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର୍ ଧରିଛି, ଯାହାକି ଏତେଶୀଘ୍ର ଥମିବା ଆଶା ଦିଶୁ ନାହିଁ । ବଲିଉଡ୍ ଅଭିନେତା ଶାହାରୁଖ ଖାନ ଓ ମା’ ଗୌରୀ ଗତ ଶୁକ୍ରବାର ଦିନ ପୁଅ ଆର୍ଯ୍ୟନଙ୍କ ସହ ଭିଡ଼ିଓ କଲିଂରେ କଥା ହୋଇଥିଲେ ମଧ୍ୟ ସର୍ବସାଧାରଣରେ କୌଣସି ବିବୃତି ରଖି ନାହାନ୍ତି । ତେବେ, ବଲିଉଡ୍ ର ପ୍ରଯୋଜକ, ନିର୍ଦେଶକ, ଅଭିନେତା ଓ ଅଭିନେତ୍ରୀମାନେ ଆର୍ଯ୍ୟନଙ୍କ ସପକ୍ଷରେ ବିବୃତି ଦେବା ଜାରି ରଖିଛନ୍ତି । ଅଭିନେତା ସଲମନ ଖାନ୍, ହ୍ରିତି୍ରକ୍ ରୋଷନ, ପ୍ରଯୋଜିକା ଫାରହା ଖାନ ପ୍ରମୁଖ ଆର୍ଯ୍ୟନଙ୍କ ଗିରଫଦାରୀ ଓ ବିନା କାରଣରେ ଜେଲରେ ଅଟକ ରଖାଯିବା ପଛରେ ରାନୈତିକ ଅଭିସନ୍ଧି ଥିବା ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ଆଡୁ ମଧ୍ୟ ଏକା ଅଭିଯୋଗ ହୋଇଛି । କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ଇଂଗିତରେ ଏନସିବି କାର୍ଯ୍ୟ କରୁଛି ଓ ବଲିଉଡ୍ ସେଲେବ୍ରିଟିଙ୍କୁ ଟାର୍ଗେଟ କରୁଛି ବୋଲି ଶାସକ ଶିବସେନା ଓ ଏନସିପି ପକ୍ଷରୁ ଅଭିଯୋଗ ହୋଇଛି । ଫଳରେ, ଆର୍ଯ୍ୟନଙ୍କୁ ନେଇ ରାଜନୈତିକ ବାଦ ବିବାଦ ମଧ୍ୟ ଘନାଇଛି । ଗତ ବର୍ଷ ଜୁନ ମାସରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦଗ୍ଧ ଆତ୍ମହତ୍ୟା ପରଠାରୁ ଏନସିବି ବିଲିଉଡ୍ ସହ ଯୋଡି ହୋଇଥିବା ଅନେକ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ମଡେଲଙ୍କୁ ଡ୍ରଗ୍ସ୍ ମାମଲାରେ ଛନ୍ଦି ଛନ୍ଦି ଜେରା ନାମରେ ହାରାଶ କରୁଥିବା ଅଭିଯୋଗ କରି ବଲିଉଡ୍ ଶିଳ୍ପ କ୍ଷୋଭ ପ୍ରକାଶ କରୁଛି । ଅପରପକ୍ଷରେ, ମହାରାଷ୍ଟ୍ର ସରକାର ଡ୍ରଗ୍ସ୍ ମାଫିଆଙ୍କ ପ୍ରତି କାହିଁକି ସହାନୁଭୂତିଶୀଳ ବୋଲି ବିଜେପି ପ୍ରଶ୍ନ କରିବା ସହ ମୋଟା ଅଂକର ବଟି ନେଉଥିବା ଅଭିଯୋଗ କରିଛି । ଗତକାଲି ମହାରାଷ୍ଟ୍ର ଶିବସେନା ସରକାରର ମନ୍ତ୍ରୀ କିଶୋର ତିୱାରୀ ସୁପ୍ରମି କୋର୍ଟରେ ଏକ ପିଟିସନ୍ ଦାଖଲ କରି ଆର୍ଯ୍ୟନ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି । ସୁପ୍ରିମ କୋର୍ଟ ସଂପୂର୍ଣ୍ଣ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେବାକୁ ସେ ଆବେଦନ କରିଥିବା ବେଳେ କୋର୍ଟଙ୍କ ପଦକ୍ଷେପ କଣ ହେବ ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS