୨୦୦୨ ଗୁଜରାଟ ଦଙ୍ଗା: ଏସଆଇଟି ତଦନ୍ତ ଥିଲା ଉପର ଠାଉରିଆ ?
ନୂଆଦିଲ୍ଲୀ
ନଭେମ୍ବର ୧୦
୨୦୦୨ରେ ଘଟି ଥିବା ଗୁଜରାଟ ଦଙ୍ଗାକୁ ନେଇ ଏସଆଇଟି ତଦନ୍ତ ଥିଲା ଉପର ଠାଉରିଆ । ତଦନ୍ତକାରୀ ଦଳ ଦଙ୍ଗା ପଛରେ କେଉଁମାନଙ୍କ ହାତ ଅଛି ତାହାର ଯଥେଷ୍ଟ ପ୍ରମାଣ ପାଇ ଥିଲେ ସୁଦ୍ଧା କାହାରି ବୟାନ ଲିପିବଦ୍ଧ କରି ନଥିଲେ । ସେହି ସମୟରେ ବ୍ୟବହୃତ ହୋଇଥିବା ଫୋନଗୁଡିକ ସବୁ ଜବତ କରାଯାଇନଥିଲା । ଦଙ୍ଗାରେ ବ୍ୟବହୃତ ବୋମା ସବୁ କେଉଁଠି ପ୍ରସ୍ତୁତ ହୋଇଥିଲା ତାହାର ମଧ୍ୟ ଏସଆଇଟି ଯାଂଚ ହୋଇନଥିଲା । ଏସଆଇଟି ଉପର ଠାଉରିଆ ଭାବେ ତଦନ୍ତ ସାରି ୨୦୧୨ ଫେବୃୟାରୀରେ କ୍ଲୋଜର୍ ରିପୋର୍ଟ ଦାଖଲ କରିଥିଲେ । ରିପୋର୍ଟରେ ସେହି ସମୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୬୩ ଜଣଙ୍କୁ କ୍ଲିନଚିଟ୍ ଦିଆଯାଇ ମାମଲାର ତଦନ୍ତ ବନ୍ଦ କରି ଦିଆଯାଇଥିଲା ବୋଲି ଦୀର୍ଘ ୨୦ ବର୍ଷ ହେଲା ନ୍ୟାୟ ପାଇଁ ସଂଘର୍ଷ କରୁଥିବା ୮୧ ବର୍ଷ ବୟସ୍କା ଜାକିଆ ଜାଫ୍ରି ଆଜି ସୁପ୍ରିମ କୋର୍ଟରେ ଅଭିଯୋଗ କରିଛନ୍ତି । ଜାକିଆ ହେଉଛନ୍ତି ୨୦୦୨ ଗୁଜରାଟ ଦଙ୍ଗାରେ ପ୍ରାଣ ହରାଇ ଥିବା କଂଗ୍ରେସ ସାଂସଦ ଏହସାନ୍ ଜାଫ୍ରିଙ୍କ ବିଧବା ପତ୍ନୀ । ୨୦୦୨ ଫେବୃୟାରୀରେ ଗୁଜରାଟର ଗୋଧ୍ରାଠାରେ ସାବରମତୀ ଏକ୍ସପ୍ରେସର ଏସ-୬ କୋଚରେ ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେବାର ଗୋଟିଏ ଦିନ ପରେ, ଅର୍ଥାତ ୨୦୦୨ ଫେବୃୟାରୀ ୨୮ ତାରିଖ ଦିନ ଅହମ୍ମଦାବାଦର ଗୁଲବର୍ଗ ସୋସାଇଟିରେ ସାଂପ୍ରଦାୟିକ ଦଙ୍ଗାରେ ଏହସାନ୍ ଜାଫ୍ରିଙ୍କ ସମେତ ୬୮ ଜଣଙ୍କ ପ୍ରାଣହାନୀ ଘଟିଥିଲା । ପୂର୍ବ ଦିନ ସାବରମତୀ ଏକ୍ସପ୍ରେସ୍ ଏସ୍-୬ କୋଚରେ ନିଆଁ ଲଗାଇ ଦିଆଯିବାରୁ ୫୯ ଜଣଙ୍କ ମୃତ୍ୟୁ ଘଟିବା ପରେ ଅହମ୍ମଦାବାଦ ଗୁଲବର୍ଗ ସୋସାଇଟିରେ ଏହି ଦଙ୍ଗା ହୋଇଥିଲା । ଦଙ୍ଗାର ତଦନ୍ତ କରୁଥିବା ଏସଆଇଟି ଦୀର୍ଘ ୧୦ ବର୍ଷ କାଳ ତଦନ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ମୋଦୀ ଓ ଅନ୍ୟ ଅଭିଯୁକ୍ତଙ୍କୁ ଦଣ୍ଡିତ କଲା ଭଳି କୌଣସି ପ୍ରମାଣ ହସ୍ତଗତ ହୋଇ ନଥିବା ଦର୍ଶାଇ ୨୦୧୨ରେ ମାମଲାକୁ ବନ୍ଦ କରି ଦେଇଥିଲେ । ମୋଦୀ ଓ ଅନ୍ୟ ଅଭିଯୁକ୍ତଙ୍କୁ କ୍ଲିନଚିଟ୍ ଦେଇ ଏସଆଇଟି ତଦନ୍ତ ବନ୍ଦ କରି ଦେବା କଥାକୁ ଚ୍ୟାଲେଂଜ କରି ଜାକିଆ ଜାଫ୍ରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ କୋର୍ଟରେ ଏକାଧିକ ଥର ମାମଲାରେ ଶୁଣାଣୀ ସ୍ଥଗିତ ରହିବା ପରେ ଏବେ ତାହାର ଶୁଣାଣୀ ଆରମ୍ଭ ହୋଇଛି । ଜାକିଆ ଜାଫ୍ରିଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ମାମଲା ପରିଚାଳନା କରୁଛନ୍ତି । ବିଚାରପତି ଜଷ୍ଟିସ ଏ.ଏମ.ଖାନୱିଲକର୍, ଜଷ୍ଟିସ ଦୀନେଶ ମହେଶ୍ୱରୀ ଓ ଜଷ୍ଟିସ ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣୀ ଚାଲିଛି । ବରିଷ୍ଠ ଆଇନଜୀବୀ ସିବଲ୍ ଆଜି ଜାକିଆଙ୍କ ପକ୍ଷରୁ ଖଣ୍ଡପୀଠରେ ହାଜର ହୋଇ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତବିଶେଷଙ୍କ ବିରୋଧରେ ଦଣ୍ଡବିଧାନ ହେବାରେ ତାଙ୍କ ମହକିଲ ଆଗ୍ରହୀ ନୁହନ୍ତି । ସେଦିନ ଅହମ୍ମଦାବାଦ ଗୁଲବର୍ଗ ସୋସାଇଟିରେ ଯାହା ଘଟିଲା ସେସବୁ ଆଇନ ଶୃଙ୍ଖଳାର ଚରମ ବିଫଳତା ଓ ପ୍ରଶାସନିକ ନିଷ୍କ୍ରିୟତାର ଚରମ ନିଦର୍ଶନ । ତାଙ୍କ ମହକିଲ ତାହା ବିରୋଧରେ ଲଢେଇ ଜାରି ରଖିଛନ୍ତି । ପୁଲିସ ଓ ପ୍ରଶାସନିକ ନିଷ୍କ୍ରିତା ଯୋଗୁ ୨୦୦୨ ଫେବୃୟାରୀ ୨୮ ତାରିଖ ଦଙ୍ଗାରେ ଯେଉଁ ଗଣହତ୍ୟା ଘଟିଲା ତାହାର ନିଷ୍ପକ୍ଷ ତଦନ୍ତ ହେବା ତାଙ୍କ ମହକିଲ ଚାହୁଁଛନ୍ତି । ଘଟଣା ପଛରେ ବୃହତ୍ ଷଡଯନ୍ତ୍ର, ପୁଲିସ ଓ ପ୍ରଶାସନିକ ନିଷ୍କ୍ରିୟତା ଏବଂ ଭାଷଣ ମଧ୍ୟମରେ ଘୃଣାର ପ୍ରସାର ପ୍ରମୁଖ ଭୂମିକାରେ ଥିଲା । ୨୩୦୦୦ ପୃଷ୍ଠାର କ୍ଲୋଜର୍ ରିପୋର୍ଟରେ ଯାହା କିଛି ପ୍ରମାଣ ରହିଛି ସେସବୁକୁ କୌଣସି ଅଦାଲତ ଦେଖିବାକୁ ଚାହିଁ ନାହାନ୍ତି । ତେଣୁ, ଗଣତନ୍ତ୍ର ଓ ମାନବାଧିକାରକୁ ଦୃଷ୍ଟିରେ ରଖି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପକ୍ଷ ତଦନ୍ତ କରାଇବେ ବୋଲି ଜାକିଆଙ୍କ ପକ୍ଷରୁ ଓକିଲ ସିବଲ୍ ଯୁକ୍ତି ବାଢିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS