‘ପଦ୍ମ ଶ୍ରୀ’ ପାଇବାର ଦିନକ ପରେ ‘ଗୁଂଗା ପହଲୱାନ’ ଧାରଣାରେ ବସିଲେ !
ନୂଆଦିଲ୍ଲୀ
ନଭେମ୍ବର ୧୦
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ‘ପଦ୍ମ ଶ୍ରୀ’ ପୁରସ୍କାର ଗ୍ରହଣ କରିବାର ଗୋଟିଏ ଦିନ ପରେ ହରିୟାଣାର ପାରା ରେସଲର୍ ବିରେନ୍ଦ୍ର ସିଂହ ମୁକ, ବଧିରଙ୍କୁ ମଧ୍ୟ ପାରା ଆଥେଲେଟ୍ ମାନ୍ୟତା ଦିଆଯିବା ଦାବିରେ ଦିଲ୍ଲୀ ହରିୟାନା ଭବନ ସମ୍ମୁଖରେ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରିଛନ୍ତି । ରାଜ୍ୟରେ ‘ଗୁଂଗା ପହଲୱାନ’ ଭାବେ ପରିଚିତ ବିରେନ୍ଦ୍ର ୨୦୦୫, ୨୦୧୩ ଓ ୨୦୧୭ରେ ‘ଡ଼ିଫ୍ ଅଲମ୍ପିକ୍ସ’ରେ ସ୍ୱର୍ଣ୍ଣ ଏବଂ ୨୦୦୯ରେ ବ୍ରୋଂଜ୍ ପଦକ ବିଜେତା ହୋଇ ଥିଲେ । ବିଶ୍ୱ ଡ଼ିଫ୍ ରେସଲିଂ ଚଂପିଅନସିପ୍ରେ ମଧ୍ୟ ୨୦୦୮ ଓ ୨୦୧୨ରେ ସେ ରୌପ୍ୟ ଓ ବ୍ରୋଂଜ୍ ପଦକ ବିଜେତା ଏବଂ ୨୦୧୬ରେ ଚଂପିୟନ ଟାଇଟଲ୍ ବିଜେତା ଥିଲେ । ରାଜୀବ ଗାନ୍ଧୀ ଷ୍ଟେଟ୍ ସ୍ପୋର୍ଟସ୍ ଆୱାର୍ଡ଼ ପାଇବା ପୂର୍ବରୁ ସେ ୨୦୧୫ରେ ଅର୍ଜୁନ ପୁରସ୍କାର ବିଜେତା ଥିଲେ । ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ସେ ‘ପଦ୍ମ ଶ୍ରୀ’ ସମ୍ମାନ ପାଇଛନ୍ତି ଏବଂ ଏଥିସକାଶେ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିରେନ୍ଦ୍ର ‘ପଦ୍ମ ଶ୍ରୀ’ ପୁରସ୍କାର ଗ୍ରହଣ କରିବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଟ୍ୱିଟ୍ କରି ରାଜ୍ୟର ଜଣେ ଫ୍ରିଷ୍ଟାଇଲ୍ ରେସଲିଂ ପାରା ଆଥେଲେଟ୍ (ବିରେନ୍ଦ୍ର) ପଦ୍ମଶୀ ସମ୍ମାନରେ ସମ୍ମାନିତ ହୋଇଥିବା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି କହିଥିବା ବେଳେ ୩୫ ବର୍ଷ ବୟସ୍କ ବିରେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ‘ଆପଣ ଯଦି ମୋତେ ‘ପାରା ପ୍ଲୋୟାର’ ଭାବେ ବିଚାର କରୁଛନ୍ତି ତେବେ ଆମକୁ ପାରା ଆଥେଲେଟଙ୍କ ସହ ସମାନ ଅଧିକାର ଦେଉ ନାହାନ୍ତି କାହିଁକି ?’ ବୋଲି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଗଲା ୪ ବର୍ଷ ହେଲା ସେ ନିଜ ହାତରୁ ଖର୍ଚ୍ଚ କରି ଖାଉଛନ୍ତି, ଜୁନିୟର କୋଚ୍ ହିଁ ରହିଛନ୍ତି ଏବଂ ପାରା ଆଥେଲେଟଙ୍କୁ ମିଳୁ ଥିବା ପୁରସ୍କାର ରାଶି ମଧ୍ୟ ତାଙ୍କୁ ମିଳୁ ନାହିଁ । ଏହି ବିଷୟରେ ସେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ‘ଏବେ ଆପଣ ଏହାର ନିର୍ଣ୍ଣୟ କରନ୍ତୁ’ ବୋଲି ବିରେନ୍ଦ୍ର ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ଉଦେ୍ଦଶ୍ୟରେ କହିଛନ୍ତି । ହରିୟାଣା ସରକାର ମୁକ, ବଧିରଙ୍କୁ ପାରା ଆଥେଲେଟଙ୍କ ସହ ସମାନ ଅଧିକାର ଓ ସମ୍ମାନ ଦେଉ ନଥିବା ଦର୍ଶାଇ ଦିଲ୍ଲୀ ହରିୟାନା ଭବନ ସାମ୍ନାରେ ସେ ଅନିର୍ଦ୍ଧିଷ୍ଟକାଳ ପାଇଁ ଧାରଣା ଆରମ୍ଭ କରି ଥିବା ଫଟୋ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ‘କେନ୍ଦ୍ର ସରକାର ଯଦି ଆମକୁ ସମାନ ଅଧିକାର ଦେଉଛନ୍ତି ଆପଣ କାହିଁକି ଦେଉ ନାହାନ୍ତି ?’ ବୋଲି ସେ ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ପ୍ରଶ୍ନ କରିଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS