ବିରୋଧୀ ଦଳରେ ଭାବମୂର୍ତ୍ତୀ ସଂକଟ ବିଜେଡ଼ିକୁ ଅହଂକାରୀ କରିଛି !
ପ୍ରସାଦ ରାଓ
ଭୁବନେଶ୍ୱର
ନଭେମ୍ବର ୧୨
କଳାହାଣ୍ଡି ଜିଲ୍ଲା ମହାଲିଂଗ ସନସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର (୨୩)ଙ୍କୁ ହତ୍ୟା କରାଯିବାର ଏକ ମାସରୁ ଅଧିକ ସମୟ ବିତିଲାଣି । ଗଲା ଅକ୍ଟୋବର ୮ ତାରିଖ ଦିନ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । ସ୍କୁଲ୍ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ, ତାଙ୍କ ସହଯୋଗୀମାନେ ମମିତାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ସ୍ୱାକାର କରି ଜେଲରେ ଅଛନ୍ତି । ପୁଲିସ ହତ୍ୟା ରହସ୍ୟ ଉନ୍ମୋଚନ କରିସାରି ଥିବା ଦାବି କରୁଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମଧ୍ୟ ପୁଲିସ ନିକଟରେ ନିଜର ଅପରାଧକୁ ସ୍ୱୀକାର କରି ମମିତାଙ୍କୁ କିଭଳି ଭାବରେ ସେ ହତ୍ୟା କରି ପ୍ରମାଣ ନଷ୍ଟ ଉଦ୍ୟମ କରିଛନ୍ତି ତାହାର ବିସ୍ତୃତ ‘ଡେମୋ’ ପୁଲିସକୁ ଦେଖାଇ ସାରିଛନ୍ତି । ଏଭଳି ପରିସ୍ଥିତିରେ ମମିତା ହତ୍ୟାକାଣ୍ଡରେ ପୁଲିସ ତଦନ୍ତରେ ପୂର୍ଣ୍ଣଚ୍ଛେଦ ପଡିବା ସ୍ୱାଭାବିକ । ତେବେ, ଏହି ହତ୍ୟାକାଣ୍ଡକୁ ନେଇ ବିରୋଧୀଙ୍କ ତୁମ୍ବିତୋଫାନ ଜାରି ରହିଛି । ପୁଲିସ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରି ଥିଲେ ସୁଦ୍ଧା ଏହା ପଛରେ ଥିବା କଥିତ ଷଡଯନ୍ତ୍ରର ଅନ୍ୟତମ କାରପଟଦାର୍ କୁହାଯାଉଥିବା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଦର୍ଶାଇ ତାଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ ଚଳାଇଛନ୍ତି ।
ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ରାଜ୍ୟରେ କଂଗ୍ରେସ ଓ ବିଜେପି ପକ୍ଷରୁ ପାଖାପାଖି ମାସେ ହେଲା ‘ବନ୍ଦ’ ପାଳନ, ବିକ୍ଷୋଭ, ଶୋଭାଯାତ୍ରା, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ, ମନ୍ତ୍ରୀମାନଙ୍କୁ ବର୍ଜନ ଓ ସେମାନଙ୍କ ଗସ୍ତ ସମୟରେ ଅଣ୍ଡା ଫିଙ୍ଗିବା ଭଳି କାର୍ଯ୍ୟକ୍ରମମାନ ଚାଲୁ ରହିଛି । ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ରାଜ୍ୟ ସାରା ଛଅ ଘଂଟିଆ ଧର୍ମଘଟ ହୋଇଛି । ଏସବୁ ସତ୍ତ୍ୱେ ଓଡ଼ିଶାରେ କ୍ଷମତାସୀନ ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ପାସଙ୍ଗକୁ ନେଉ ନଥିବା ହିଁ ଆଲୋଚନାର ବିଷୟ ହୋଇଛି । ମୁଖ୍ୟମନ୍ତ୍ରୀ ନିଜେ ବିବାଦୀୟ ମନ୍ତ୍ରୀଙ୍କୁ ପାଖରେ ବସାଇ କଳାହାଣ୍ଡିରେ ସରକାରୀ ସଭା କରିବା ପରେ ତାଙ୍କ ଅଜାଣରେ ସବୁ କିଛି ଚାଲିଛି ବୋଲି ବିରୋଧୀଙ୍କ ଧାରଣା ଭୁଲ ପ୍ରମାଣିତ ହୋଇଛି ।
ଏହା ସତ୍ୟ ଯେ, ମମିତଙ୍କୁ ହତ୍ୟା କରିବା ପଛରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମନ୍ଦ ଉଦେ୍ଦଶ୍ୟ ନିହିତ ଥିଲା । ତାଙ୍କ ମାଲିକାନାରେ ଚାଲି ଥିବା ମହାଲିଂଗ ସନସାଇନ୍ ପବ୍ଲିକ ସ୍କୁଲରେ ଯେଉଁ ଯୌନ କେଲେଂକାରୀ ଚାଲି ଥିଲା ତାହାର ରହସ୍ୟ ମମିତା ତାଙ୍କ ମୋବାଇଲ ଓ ପେନ୍ ଡ୍ରାଇଭରେ କଏଦ କରି ରଖି ଥିଲେ । ମମିତାଙ୍କ ସହ ସାଲିସ ଉଦ୍ୟମ ବିଫଳ ହେବା ପରେ ଗୋବିନ୍ଦ ତାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବା ସକାଶେ ଏହି ହତ୍ୟାକାଣ୍ଡର ସଂରଚନା କରିଥିଲେ । ତେବେ, ଏହି ଷଡଯନ୍ତ୍ରରେ କେବଳ ଗୋବିନ୍ଦ ସାମିଲ ଥିଲେ ନା ଯୌନ କେଲେଂକାରୀରେ ଜଡିତ ଅନ୍ୟମାନେ ମଧ୍ୟ ସାମିଲ ଥିଲେ (?), ତାହା ଏପର୍ଯ୍ୟନ୍ତ ରହସ୍ୟବୃତ୍ତ ରହିଛି । ତଦନ୍ତକାରୀ ପୁଲିସ ଅଧିକାରମାନଙ୍କ ନୀରବତା ଜନସାଧାରଣରେ ସରକାରୀ ସଂପୃକ୍ତିକୁ ନେଇ ସନ୍ଦେହର ବାତାବରଣ ସୃଷ୍ଟି କରିଛି ।
ମମିତା ହତ୍ୟା ସହ ତାଙ୍କର କୌଣସି ସଂପୃକ୍ତି ନାହିଁ, ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଘଟଣାର ୨୧ ଦିନ ପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ମାଧ୍ୟମରେ ସ୍ପଷ୍ଟୀକରଣ ଦେଇଥିଲେ ସୁଦ୍ଧା ବିରୋଧୀ ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଏହାର କାରଣ ହେଉଛି, ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀଙ୍କ ରହିଥିବା ଘନିଷ୍ଟ ସଂପର୍କ । କଳାହାଣ୍ଡି ଜିଲ୍ଲା ମହାଲିଂଗ ଗ୍ରାମ ଓ ସେଠାରେ ଥିବା ସନସାଇନ୍ ପବ୍ଲିକ ସ୍କୁଲ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ । କେବଳ ଗୃହ ରାଷ୍ଟ୍ରମନ୍ତ୍ରୀ ନୁହନ୍ତି, ରାଜ୍ୟର ଅନ୍ୟ କିଛି ମନ୍ତ୍ରୀ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ଭିଡ଼ିଓ ଫୁଟେଜ୍ ରହିଛି ।
ବିଭିନ୍ନ ସମୟରେ ମହାଲିଂଗ ଯାଇଥିବା ମନ୍ତ୍ରୀ ସେଠାରେ ରାତ୍ରୀଯାପନ କରିଥିଲେ ବୋଲି ଅଭିଯୋଗ ସରକାରଙ୍କ ପାଇଁ ଅଡୁଆରେ ପକାଇଛି । ଏହାଛଡା, ଗୋବିନ୍ଦ ସାହୁଙ୍କ ଶିକ୍ଷାନୁଷ୍ଠାନ ଓ ଠିକାଦାରୀ କାର୍ଯ୍ୟକୁ ସରକାରୀ କଳ ଅବିଶ୍ୱସନୀୟ ଭାବେ ଆର୍ଥିକ ଅନୁଦାନ ଯୋଗାଇ ଥିବା ଅଭିଯୋଗ ମଧ୍ୟ ଗୋବିନ୍ଦଙ୍କ ସହ ମନ୍ତ୍ରୀଙ୍କ ପ୍ରତି ଘନିଷ୍ଟତା ପ୍ରତି ଅଂଗୁଠି ଉଠାଇବାରେ ବିରୋଧୀଙ୍କୁ ବଳ ଯୋଗାଇଛି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହ ଘନିଷ୍ଠତାକୁ ପୁଂଜି କରି ଗୋବିନ୍ଦ ସାହୁ ନିଜ ଅଂଚଳରେ ପ୍ରଭାବଶାଳୀ ହୋଇଥିଲେ ଏବଂ ତାଙ୍କ ଠିକା କାମ ସହ ଶିକ୍ଷା ବ୍ୟବସାୟ ଚଳାଇ ଥିଲେ ବୋଲି ବିରୋଧୀ ଅଭିଯୋଗ କରିବା ସହ ମନ୍ତ୍ରୀଙ୍କ ବହିଷ୍କାର ଦାବିକୁ ଜୋରଦାର କରିଛନ୍ତି । ମନ୍ତ୍ରୀ ଓ ଗୋବିନ୍ଦଙ୍କ ସଂପର୍କକୁ ନେଇ ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ନିରବତା ମାମଲାକୁ ଅଧିକ ସନ୍ଦିଗ୍ଧ କରିଛି ।
ମମିତା ହତ୍ୟାକାରୀ ଏଭଳି ବର୍ବର କାଣ୍ଡ ଘଟାଇବାର କରଣ କଥିତ ଯୌନ କେଲେକାଂରୀ ସଂପର୍କିତ ମୋବାଇଲ୍ ରେକଡିଂ କୁହାଯାଉଥିବା ବେଳେ ମମିତାଙ୍କ ସହ ତାଙ୍କ ମୋବାଇଲକୁ ଜାଳି ଦିଆଯାଇଥିବା ଯୋଗୁଁ ପୁଲିସ ହାତରେ କେବଳ ତରଳ ପ୍ଲାଷ୍ଟିକ୍ ଟୁକୁଡା ଲାଗିଛି ବୋଲି କଳାହାଣ୍ଡି ଓ ବଲାଙ୍ଗୀର ପୁଲିସ କହୁଛନ୍ତି । ତେବେ, ହତ୍ୟାକାରୀଙ୍କୁ ଅଦାଲତ ଫାସରୁ ଖସାଇବା ସକାଶେ ଏହା ଏକ ବିଧିବଦ୍ଧ ଷଡଯନ୍ତ୍ର ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବରଖାସ୍ତ କରାଯିବା ଏବଂ ରାଜ୍ୟ କ୍ରାଇମ୍ ବ୍ରାଂଚ୍ ବା କୌଣସି ଜାତୀୟ ଅପରାଧ ତଦନ୍ତକାରୀ ଏଜେନ୍ସି ଦ୍ୱାରା ମାମଲାର ନିଷ୍ପକ୍ଷ ତଦନ୍ତ କରାଯିବା ଦାବିକୁ ସରକାର ଗ୍ରହଣ କରୁ ନଥିବାରୁ କଂଗ୍ରେସ ଓ ବିଜେପି ସେମାନଙ୍କ ଆନ୍ଦୋଳନକୁ ତେଜିୟାନ କରି ରାଜ୍ୟରେ ଏକ ଅଶାନ୍ତ ବାତାବରଣ ସୃଷ୍ଟି କରିଛନ୍ତି । ତେବେ, ବିରୋଧୀଙ୍କ ଦାବି ପ୍ରତି ସରକାର ଉଦାସୀନ । ଶାସକ ଓ ବିରୋଧୀ ଆକ୍ଷେପ, ପ୍ରତ୍ୟାକ୍ଷେପରେ ମାତି ଥିବାରୁ ମମିତା ହତ୍ୟାକାଣ୍ଡ ରାଜନୀତିରେ ସୀମିତ ହେଲାଣି ।
ପ୍ରଥମେ ପ୍ରଥମେ ବିରୋଧୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ ନ କରି ତୃତୀୟ ମହଲାକୁ ଟାର୍ଗେଟ୍ କରୁଥିଲେ । ତୃତୀୟ ମହଲାର ବରିଷ୍ଠ ରାଜନୈତିକ ଓ ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ତଥ୍ୟ ଲୁଚାଇ ରଖୁ ଥିବାରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ସେମାନେ ଅନୁମାନ କରୁ ଥିଲେ । ତେବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ କଳାହାଣ୍ଡିରେ ଆୟୋଜିତ ଏକ ସରକାରୀ ସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମଂଚରେ ବସାଇବା ଘଟଣାରୁ ବିରୋଧୀଙ୍କ ଭ୍ରମ ଦୂର ହୋଇଛି । ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ସାଜି ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଏବେ ବିରୋଧୀ ସିଧାସଳଖ ଅଭିଯୋଗ କଲେଣି । ତେବେ, ବିରୋଧୀଙ୍କ ଅଭିଯୋଗକୁ ନେଇ ଶାସକ ବିଜେଡ଼ି ବିଚଳିତ ନୁହେଁ । ୨୦୨୨ରେ ରାଜ୍ୟରେ ପଂଚାୟତ ନିର୍ବାଚନ ହେବାକୁ ଥିବାରୁ ବିରୋଧୀ କଂଗ୍ରେସ, ବିଜେପି ଏହି ଫାର୍ଶ ଚଳାଇଛନ୍ତି ବୋଲି ଓଲଟା ବିଜେଡ଼ି ମୁଖପାତ୍ରମାନେ ଆକ୍ଷେପ କରୁଛନ୍ତି । ରାଜ୍ୟରେ କଂଗ୍ରେସ ବିଜେପିର ହାତବାରିସି ସାଜି କାର୍ଯ୍ୟ କରୁଛି ବୋଲି ବିଜେଡ଼ି ମୁଖପାତ୍ରମାନେ ଅଭିଯୋଗ କରିବା ସହ ଚାଲିଥିବା ଆନ୍ଦୋଳନ ଉଦ୍ଦେଶ୍ୟ ପ୍ରଣୋଦିତ କହୁଥିବା ବୋଲି ବିଜେପି ଓଲଟା କଂଗ୍ରେସ-ବିଜେଡ଼ି ସଂପର୍କକୁ ନେଇ କଟାକ୍ଷ କରୁଛି । ଫଳରେ, ରାଜ୍ୟ ରାଜନୀତି ଏକ ରୋଚକ ମୋଡ଼ରେ ପହଂଚିଛି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପରସ୍ପର ବିରୋଧରେ ଯେଉଁ ଆକ୍ଷେପ, ପ୍ରତ୍ୟାକ୍ଷେପ ଚଳାଇଛନ୍ତି ତାହା ମମିତା ହତ୍ୟାକାଣ୍ଡକୁ ରାଜନୈତି ମୋଡ ଦେଲାଣି, ଯାହାକି ତଦନ୍ତକୁ ବାଟବଣା କରି ଦୋଷୀଙ୍କୁ ଖସାଇବାର ଉଦ୍ୟମ ବୋଲି କୁହାଯାଉଛି ।
ରାଜ୍ୟବାସୀ ଚାହୁଁଛନ୍ତି ମମିତା ମେହେର ହତ୍ୟାକାରୀଙ୍କୁ କଠୋର ଦଣ୍ଡ ମିଳୁ । କିନ୍ତୁ, ଶାସକ ଓ ବିରୋଧୀ ଏହି ହତ୍ୟାକାଣ୍ଡର ଯେଭଳି ରାଜନୀତିକରଣ କଲେଣି ମମିତାଙ୍କ ପରିବାର ନ୍ୟାୟ ପାଇବା ନେଇ ସନ୍ଦେହ ପ୍ରକାଶ ପାଇଲାଣି । ନ୍ୟାୟ ମିଳିବା ଦୂର କଥା, ହତ୍ୟାକାରୀଙ୍କୁ ନିର୍ଦୋଷରେ ଖଲାସ କରାଇବାର ଏହା ଏକ ଷଡଯନ୍ତ୍ର ବୋଲି ସନ୍ଦେହ ଦିନକୁ ଦିନ ଦ୍ୟଢ ହେଉଛି । ମମିତା ହତ୍ୟାକାଣ୍ଡ ପୂର୍ବରୁ ମଧ୍ୟ ରାଜ୍ୟରେ ଏକାଧିକ ଦୁଷ୍କର୍ମ, ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଘଟଣା ଘଟିଛି । ବିରୋଧୀ ଏସବୁ ଘଟଣାରେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକଙ୍କୁ ଟାର୍ଗେଟ୍ କରି ଆନ୍ଦୋଳନ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ ମଧ୍ୟ ତାହାକୁ ନିର୍ଣ୍ଣାୟକ ମୋଡ଼ ଦେବାରେ ସକ୍ଷମ ହୋଇ ନାହାନ୍ତି । ନିର୍ବାଚନ ସମୟ ଆସିଲେ ସେସବୁ ପ୍ରସଙ୍ଗ ଉଠୁଛି । ଭୋଟ ସରିବା ପରେ ମଉଳି ଯାଉଛି । ବିଜେପି ବା କଂଗ୍ରେସ ଦଳ ତାହାକୁ ଜନଆନ୍ଦୋଳନ ରୂପାନ୍ତରିତ କରିବାରେ ବିଫଳ ହେଉ ଥିବାରୁ ଶାସକ ଦଳ ଫାଇଦାରେ ରହୁଛନ୍ତି । ସାଧାରଣ ନିର୍ବାଚନ ହେଉ ବା ଉପ ନିର୍ବାଚନ ବା ଗ୍ରାମାଂଚଳ ନିର୍ବାଚନ ସବୁଠି ଶାସକ ବିଜେଡ଼ିର ଆଶାତୀତ ବିଜୟ ବିରୋଧୀଙ୍କୁ ହତୋତ୍ସାହିତ କରିଛି ।
ମମିତା ମେହେର ହତ୍ୟା ଘଟଣାରେ ମଧ୍ୟ ସେହି ଏକା ଚିତ୍ର ଦେଖିବାକୁ ମିଳୁଛି । ଏହାର କାରଣ ହେଉଛି, ବିରୋଧୀ ଦଳର ଭାବମୂର୍ତ୍ତୀ ସଂକଟ । ୨୦୦୦ ନିର୍ବାଚନ ପରଠାରୁ ରାଜ୍ୟରେ କଂଗ୍ରେସର ସ୍ଥିତି ସଂକୁଚିତ ହୋଇ ରାଜ୍ୟ ରାଜନୀତିରେ ଦଳ ତୃତୀୟ ସ୍ଥାନକୁ ଖସି ଥିବା ବେଳେ ବିଜପି ଏବେ ମୁଖ୍ୟ ବିରୋଧୀ ଦଳ ଭୂମିକାରେ । ତେବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ହେବା ଭଳି ଦଳରେ କେହି ନେତା ନଥିବାରୁ ଜନସାଧାରଣ ବିଶ୍ୱାସକୁ ନେଇ ପାରୁ ନାହାନ୍ତି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନରେ ଚାଲି ଥିବା ସରକାରଙ୍କ କିଛି ଜନବିରୋଧୀ ନୀତି ମଧ୍ୟ ରାଜ୍ୟ ଜନମତକୁ ପ୍ରଭାବିତ କରୁଛି । ଜନସାଧାରଣଙ୍କ ଦୃଦୟକୁ ଛୁଇଁଲା ଭଳି ନେତୃତ୍ୱର ଅଭାବ ଉଭୟ କଂଗ୍ରେସ ଓ ବିଜେପି ପାଇଁ ବିଫଳତାର କାରଣ ହୋଇଥିବା ବେଳେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀ ଏପର୍ଯ୍ୟନ୍ତ ଅମଳିନ ରହିଛି । ଯାହାକି, ବିରୋଧୀଙ୍କ ଆନ୍ଦୋଳନ ଓ ସରକାର ବିରୋଧୀ ଅଭିଯୋଗ ସବୁକୁ ଫଳହୀନ କରୁଛି । ନବୀନଙ୍କ ନେତୃତ୍ୱ ଥିବା ଯାଏଁ ବିରୋଧୀଙ୍କ ଚାଲ୍ ଶାସକ ଦଳ ପାଇଁ କିଛି ଫରକ ପକାଇବ ନାହିଁ, ଏହା ବିଜେଡ଼ି ନେତୃତ୍ୱ ଜାଣନ୍ତି । ତେଣୁ, ତାହା ଦଳର ଅହଂକାରର କାରଣ ହୋଇଛି । ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ବିରୋଧୀଙ୍କ ଆନ୍ଦୋଳନ ପଂଚାୟତ ନିର୍ବାଚନ ସରିବା ଯାଏଁ ଚାଲିଲେ ମଧ୍ୟ ପ୍ରଭାବହୀନ ରହିବ ବୋଲି ଜାଣି ଥିବା ଶାସକ ଦଳ କାହାକୁ କାହିଁକି ବା ଭୟ କରିବ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS