ଦିଲ୍ଲୀ ପ୍ରଦୂଷଣକୁ ନେଇ ସୁପ୍ରିମ କୋର୍ଟ କ୍ଷୁବ୍ଧ, ‘ତାଲାବନ୍ଦ’ ପାଇଁ ବିଚାର କରିବାକୁ କେନ୍ଦ୍ରକୁ ନିର୍ଦେଶ
ପ୍ରସାଦ ରାଓ
ନୂଆଦିଲ୍ଲୀ
ନଭେମ୍ବର ୧୩
ଦିଲ୍ଲୀ-ଏନସିଆରରେ ଦୀପାବଳି ପରଠାରୁ ବାୟୁ ପ୍ରଦୂଷଣ ଚରମ ସ୍ତରରେ ପହଂଚି ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇ ଥିବାରୁ ସୁପ୍ରିମ କୋର୍ଟ ଆଜି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଦିଲ୍ଲୀବାସୀ ବାୟୁ ପ୍ରଦୂଷଣ ଯୋଗୁଁ ଅସ୍ତବ୍ୟସ୍ତ ହୋଇ ସେଥିରୁ ରକ୍ଷା ପାଇବା ସକାଶେ ଘର ଭିତରେ ମଧ୍ୟ ମାସ୍କ୍ ପିନ୍ଧିବାକୁ ବାଧ୍ୟ ହେଉଥିବା ଦର୍ଶାଇ କେନ୍ଦ୍ର ସରକାର ଏହି ପରିସ୍ଥିତିରେ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ସ୍ତର କମାଇବା ପାଇଁ ଦୁଇରୁ ତିନି ଦିନ ‘ତାଲାବନ୍ଦ’ କଟକଣା ଲାଗୁ କରିବା ବକଳ୍ପ ବିଚାର କରିବାକୁ ସୁପ୍ରିମ କୋର୍ଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚରମ ସ୍ତରରେ ପହଂଚି ଥିବା ନେଇ ଏକ ପିଟିସନ୍ ଉପରେ ବିଚାର କରି କେନ୍ଦ୍ର ସରକାରଙ୍କୁ ଏହି ପରାମର୍ଶ ଦେଇଛନ୍ତି । ଜଷ୍ଟିସ ରମଣା ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କୁ ପରସ୍ପର ପ୍ରତି ଦୋଷାରୋପ କରିବା ଅପେକ୍ଷା ପ୍ରଦୂଷଣସ୍ତର କମାଇବା ଦିଗରେ ଜରୁରୀ ପଦକ୍ଷେପ ନେବାକୁ ପରାମର୍ଶ ଦେଇ କହିଛନ୍ତି ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଂପ୍ରତି ଚରମ ସ୍ତରରେ ପହଂଚି ଯାଇଥିବା ଗୁରୁତର ସମସ୍ୟା ସୃଷ୍ଟି କରିଛି । ଏହାକୁ ଜରୁରୀକାଳୀନ ଭିତ୍ତିରେ ନିମ୍ନ ସ୍ତରକୁ ଆଣିବା ହେଉଛି ସରକାରଙ୍କ ଦାୟିତ୍ୱ । ‘ଏକ୍ୟୁଆଇ ସ୍ତର ୫୦୦ରୁ ଅନ୍ତତଃ ୨୦୦ ସ୍ତରକୁ କେମିତି ଆଣି ହେବ ତାହା ଜଣାଅ, ଏଥି ସକାଶେ ଦୁଇରୁ ତିନି ଦିନ ‘ତାଲାବନ୍ଦ’ କଟକଣା ଲାଗୁ କରିବ କି ଅନ୍ୟ କୌଣସି ବ୍ୟବସ୍ଥା କରିବ’ ତାହା କୋର୍ଟଙ୍କୁ ଜଣାଅ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ରମଣା ସରକାରଙ୍କୁ କହିଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି, ପଂଜାବ ଓ ହରିୟାଣାରେ ଫସଲ କଟା ପରେ ଯେଉଁ ଖୁଂଟା ସବୁ ରହୁଛି ତାହାକୁ ପୋଡା ଯିବା ଫଳରେ ବାୟୁ ପ୍ରଦୂଷଣ ସ୍ତର ବଢୁ ଥିବା ଜଣାଶୁଣା କଥା । ଏହି ସମସ୍ୟାର ସମାଧାନ ପାଇଁ ଦୀର୍ଘକାଳୀନ ପଦକ୍ଷେପର ଆବଶ୍ୟକତା ରହିଛି । ବର୍ତ୍ତମାନ ଦିଲ୍ଲୀ-ଏନସିଆରର ଯେଭଳି ସ୍ତରରେ ପହଂଚିଲାଣି ଦୁଇ ତିନି ଦିନ ମଧ୍ୟରେ ତାହା ଅଧିକ ଗମ୍ଭୀର ସ୍ତରରେ ପହଂଚି ଯିବ । ତେଣୁ, ପ୍ରଦୂଷର ସ୍ତର କମାଇବା ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ତେଣୁ, ସରକାର ଜରୁରୀକାଳୀନ ଭିତ୍ ତିରେ ନିଷ୍ପତ୍ତି ନିଅନ୍ତୁ ବୋଲି ସୁପ୍ରିମ କୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । କେନ୍ଦ୍ର ଓ ଦିଲ୍ଲୀ ସରକାର ରାଜନୀତିରେ ନ ମାତି ରାଜନୀତିରୁ ଉଦ୍ଧ୍ୱର୍ରେ ରହି ସଂକଟର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅଦାଲତ କହିଛନ୍ତି । ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ସ୍ଥିତିରେ ଉନ୍ନତି ଆସିବା ସମ୍ଭବ ହୋଇ ନପାରେ ବୋଲି ସଲିସିଟର ଜେନେରାଲ ତଷାର ମେହେଟ୍ଟା ଅଦାଲତକୁ ଜଣାଇବାରୁ ବାୟୁ ପ୍ରଦୂଷଣ ସ୍ତର କମାଇବା ସକାଶେ ଅନ୍ତତଃ ଦୁଇ ଦିନ ପାଇଁ ପଂଜାବ ଓ ହରିୟାଣାରେ ନଡା ପୋଡା ବନ୍ଦ ରଖିବାକୁ କେନ୍ଦ୍ର ସରକାର ସଂପୃକ୍ତ ସରକାରଙ୍କୁ ନିର୍ଦେଶ ଦେବାକୁ ମୁଖ୍ୟ ବିଚାରପତି ଜଷ୍ଟିସ ରମଣା ପରାମର୍ଶ ଦେଇଛନ୍ତି । ଫସଲ କଟା ପରେ ବିଲରେ ପଡ଼ି ରହୁ ଥିବା ଫସଲର ଥୁଂଟା ଅଂଶକୁ ଜାଳିବା ସକାଶେ ଅତ୍ୟାଧୁନିକ ମେସିନାରୀ ରହିଛି । ସଂପୃକ୍ତ ଯନ୍ତ୍ରପାତି ଅତ୍ୟନ୍ତ ବ୍ୟୟ ବହୁଳ ହୋଇଥିବାରୁ ସାଧାରଣ ଚାଷୀ ତାହାର ବ୍ୟବହାର କରି ପାରୁ ନାହାନ୍ତି । କେନ୍ଦ୍ର ବା ରାଜ୍ୟ ସରକାର ଚାଷୀଙ୍କୁ ସେସବୁ ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା କରୁ ନାହାନ୍ତି ବା ସେମାନଙ୍କଠାରୁ ଥୁଂଟା ଅଂଶ ସଂଗ୍ରହ କରି ନେବାର ବ୍ୟବସ୍ଥା କରୁ ନାହାନ୍ତି କାହିଁକି (?) ବୋଲି ସୁପ୍ରିମ କୋର୍ଟ ପ୍ରଶ୍ନ କରିଛନ୍ତି । ଦିଲ୍ଲୀ-ଏନସିଆରରେ ଏବେ ଥଣ୍ଡା ପଡି ଥିବା ବେଳେ ବାୟୁ ପ୍ରଦୂଷଣ ଚରମ ସ୍ତରରେ ପହଂଚି ଥିବାରୁ ସମସ୍ୟା ଅଧିକ ଗମ୍ଭୀର ହୋଇଛି । ସରକାର ସ୍କୁଲିବାକୁ ଖୋଲୁଛନ୍ତି । ଏଭଳି ପାଗରେ ଛୋଟ ପିଲା ସ୍କୁଲ କେମିତି ଯିବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ସ୍କୁଲ ଖୋଲିବା ଦ୍ୱାରା ଛୋଟ ଛୋଟ ପିଲ ଥଣ୍ଡା ସହ ବାୟୁ ପ୍ରଦୂଷଣ, ପାଣ୍ଡାମିକ୍ ଓ ଡ଼େଙ୍ଗୁର ସାମ୍ନା କରିବାକୁ ଯାଉଛନ୍ତି ବୋଲି ଏଆଇଆଇଏମଏସ୍ (ଏମ୍ସ୍) ମୁଖ୍ୟ ଡ଼କ୍ଟର ଗୁଲେରିଆ କହି ଥିବାରୁ ‘ଆପଣମାନେ ସ୍କୁଲ୍ ବନ୍ଦ କରିବା ଦିଗରେ କିଛି ପଦକ୍ଷେପ ନେଇଛନ୍ତି ବା ପରିସ୍ଥିତି ସୁଧାରିବାକୁ କିଛି କରିଛନ୍ତି କି (?)’ ବୋଲି ସୁପ୍ରିମ କୋର୍ଟ ପ୍ରଶ୍ନ କରିଛନ୍ତି । ସରକାର ସ୍ମଗ୍ ଟାୱାର ପ୍ରତିଷ୍ଠା କଥା କହୁଥିଲେ । ସ୍ମଗ୍ ଟାୱାରା ପ୍ରତିଷ୍ଠା ହେଲା କି (?), ଯଦି ପ୍ରତିଷ୍ଠା ହୋଇଛି, ସେସବୁ କାମ କରୁଛି କି (?) ବୋଲି ମଧ୍ୟ କୋର୍ଟ ପଚାରିଛନ୍ତି । ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ସ୍ତର କମାଇବା ସଂକ୍ରାନ୍ତରେ ଆଲୋଚନା ପାଇଁ ଆଜି ଅପରାହ୍ନରେ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ଜରୁରୀ ବୈଠକ ହେବାକୁ ଥିବା ସଂପର୍କରେ ସଲିସଟର ଜେନେରାଲ ମେହେଟ୍ଟା ଅଦାଲତଙ୍କୁ ଜଣାଇବାରୁ ବୈଠକରେ କି ନିଷ୍ପତ୍ତି ସବୁ ହେଲା ତାହା ସୋମବାର ଅଦାଲତକୁ ଜଣାଇବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଇତିମଧ୍ୟରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ନେଇ ଏକ ଜରୁରୀ ବୈଠକ କରୁଛନ୍ତି । ସେଥିରେ ଉପ ମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆ, ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ପରିବେଶ ବିଭାଗ ମନ୍ତ୍ରୀ ଗୋପାଳ ରାୟ ଓ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗ ଦେଉଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS