ଗାଲୁଆଙ୍କ ବାର ବାଟି ଚାଷ !


ପ୍ରସାଦ ରାଓ
ନୂଆଦିଲ୍ଲୀ
ନଭେମ୍ବର ୧୩
୧୯୪୭ରେ ଭାରତକୁ ସ୍ୱାଧୀନତା ଭିକରେ ମିଳିଛି । ବାସ୍ତବ ସ୍ୱାଧୀନତା ୨୦୧୪ରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମିଳିଛି । ବଲିଉଡ୍ ଅଭିନେତ୍ରୀ କଂଗନା ରଣାୱତ ଏକ ଟେଲିଭିଜନ ସାକ୍ଷାତକାରରେ ଦେଇଥିବା ଏହି ମନ୍ତବ୍ୟ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । କଂଗନାଙ୍କ ମନ୍ତବ୍ୟ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମେତ ଭାରତର ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରିଥିବା ସମସ୍ତ ସ୍ୱାଦୀନତା ସେନାନୀଙ୍କ ପ୍ରତି ଅପମାନ ବୋଲି ସାର୍ବଜନୀତ ମତ ପ୍ରକାଶ ପାଇବା ସହ କଂଗନାଙ୍କୁ ନିକଟରେ କେନ୍ଦ୍ର ସରକାର ଦେଇଥିବା ‘ପ୍ରଦ୍ମଶ୍ରୀ’ ସମ୍ମାନ ପ୍ରତ୍ୟାହାର କରାଯିବାକୁ ଏବଂ ତାଙ୍କୁ ଦେଶଦ୍ରୋହରେ ଆଇନ ବଳରେ ଗିରଫ କରାଯିବାକୁ ଦାବି ଜୋର୍ ଧରି ଥିବା ବେଳେ କଂଗନା ଗାଲୁଆଙ୍କ ଭଳି ଆଜି ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । କଂଗନା ତାଙ୍କ ଇନଷ୍ଟାଗ୍ରାମ୍ ଆପ୍ ରେ ଏକ ଫଟୋ ସେୟାର କରି ଲେଖିଛନ୍ତି, ସେ ତାଙ୍କ ସାକ୍ଷାତକାରରେ ୧୮୫୭ରେ ଆରମ୍ଭ ହୋଇଥିବା ଭାରତର ସ୍ୱାଧୀନତା ଆନ୍ଦୋଳନ ଏବଂ ସ୍ୱାଧୀନତା ଆନ୍ଦୋଳନରେ ସୁବାଷ ଚନ୍ଦ୍ର ବୋଷ, ରାଣୀ ଲକ୍ଷ୍ମୀବାଇ ଓ ବୀର ସାବରକରଜୀଙ୍କ ବଳିଦାନ ସଂପର୍କରେ ବିସ୍ତୃତ ଭାବେ କହିଛନ୍ତି । ୧୮୫୭ କଥା ସେ ଜାଣିଛନ୍ତି, ତେବେ ୧୯୪୭ରେ କେଉଁ ଯୁଦ୍ଧ ହୋଇଥିଲା ତାଙ୍କର ଧାରଣା ନାହିଁ । ଯଦି କେହି ଜାଣିଛନ୍ତି ତାଙ୍କୁ ସଚେତନ କଲେ ସେ ‘ପଦ୍ମଶୀ’ ସମ୍ମାନ ଫେରାଇ ଦେବା ସହ ତାଙ୍କ ‘ଆଜାଦୀ’କୁ ନେଇ କ୍ଷମା ମାଗିବାକୁ ପ୍ରସ୍ତୁତ । ‘ଦୟାକରି ମୋର ସହାୟତା କରନ୍ତୁ’ ବୋଲି କଂଗନା ତାଙ୍କ ପୋଷ୍ଟ୍ ରେ ଉଲ୍ଲେଖ କରିଥିବା ଜଣାପଡିଛି । ୩୪ ବର୍ଷ ବୟସ୍କା କଂଗନାଙ୍କ ଦକ୍ଷିଣପନ୍ଥୀ ବିଚାରଧାରା ଜଣାଶୁଣା । ଅତୀତରେ ଏଭଳି କିଛି ପୋଷ୍ଟ୍ ପାଇଁ ‘ଟ୍ୱିଟର୍’ ତାଙ୍କୁ ନିଷିଦ୍ଧ କରିଥିଲା । କଂଗନା ଆଜି ବୁଝାଇବାକୁ ଉଦ୍ୟମ କରିଛନ୍ତି ଯେ, ସେ କଂଗ୍ରେସ ଦଳକୁ ‘ଭିକାରୀ’ କହିବାକୁ ଚାହିଁ ଥିଲେ । କେତେକ ଇତିହାସ ବହିରେ ସେଭଳି ଉଲ୍ଲେଖ ରହିଛି । ତେବେ, କେଉଁ ବହିରେ ସେଭଳି ଉଲ୍ଲେଖ ଅଛି ତାହା ସେ କହି ପାରି ନାହାନ୍ତି । କଂଗନାଙ୍କ ‘ଆଜାଦୀ’ ମନ୍ତବ୍ୟକୁ ନେଇ ଦୁଇ ଦିନ ହେଲା ଦେଶରେ ରାଜନୈତିକ ଝଡ ଚାଲିଛି । ତାଙ୍କ ମନ୍ତବ୍ୟ ଭାରତୀୟ ସ୍ୱାଧୀନତା ସେନାନୀଙ୍କ ପ୍ରତି ଅପାମନସୂଚକ ହୋଇଥିବାରୁ କଂଗନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବାକୁ ବହୁ ରାଜନେତା ଦାବି କରିଛନ୍ତି । କଂଗନା ୨୦୧୯ରେ ‘ମଣିକର୍ଣ୍ଣିକା: ଦି କୁଇନ୍ ଅଫ୍ ଝାନ୍ସୀ’ରେ ଭାରତର ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ସେନାନୀ ରାଣୀ ଲକ୍ଷ୍ମୀବାଇଙ୍କ ଭୂମିକାରେ ଅଭିନୟ କରିଛନ୍ତି । କଂଗନା କହିଛନ୍ତି, ଏହି ଫିଲ୍ମ ନିର୍ମାଣ ସମୟରେ ସେ ୧୮୫୭ରେ ହୋଇଥିବା ସ୍ୱାଧୀନତା ଆନ୍ଦୋଳନ ସଂପର୍କରେ ଗଭୀର ଗବେଷଣା କରିଥିଲେ । ଜାତୀୟତାବାଦ ପ୍ରସଙ୍ଗ ଉଠାଇ, ତାହାର କାହିଁକି ମୃତ୍ୟୁ ଘଟିଲା, ମହାତ୍ମା ଗାନ୍ଧୀ କାହିଁକି ଭଗତ ସିଂହଙ୍କୁ ମରିବାକୁ ଛାଡି ଦେଲେ, ନେତାଜୀ ସୁବାଷ ଚନ୍ଦ୍ର ମୋଷ ମରି ଗଲେ ସିନା କେବେ ଗାନ୍ଧୀଜୀଙ୍କ ସମର୍ଥନ ପାଇଲେ ନାହିଁ କାହିଁକି ଭଳି ପ୍ରଭୃତି ପ୍ରଶ୍ନ ଉଠାଇ ସେସବୁ ଉତ୍ତର ଚାହିଁଛନ୍ତି । କଂଗନାଙ୍କ ମନ୍ତବ୍ୟ ବାଚାଳାମୀ ନା ଦେଶଦ୍ରୋହ (?) ବୋଲି ପ୍ରଥମରୁ ବିଜେପି ସାଂସଦ ବରୁଣ ଗାନ୍ଧୀ ପ୍ରଶ୍ନ କରିଛନ୍ତି । ବର୍ତ୍ତମାନ କଂଗନା ନିଜ ଉକ୍ତିକୁ ସାବ୍ୟସ୍ତ କରିବା ପାଇଁ ଯେଭଳି ବିତଣ୍ଡା ଯୁକ୍ତି କରୁଛନ୍ତି ତାହା ଗାଲୁଆଙ୍କ ବାର ବାଟି ଚାଷ’ କହିବା ଅତ୍ୟୁକ୍ତି ହେବ ନାହିଁ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS