ସଂସଦ ଭବନରେ ପଣ୍ଡିତ ନେହେରୁଙ୍କୁ ଅପମାନିତ କଲେ ସରକାର !
ପ୍ରସାଦ ରାଓ
ନୂଆଦିଲ୍ଲୀ
ନଭେମ୍ବର ୧୪
ଆଜି ସଂସଦରେ ଅନୁଷ୍ଠାନିକ ଭାବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ ପାଳନ ହୋଇଛି । କିନ୍ତୁ, ସଂସଦ ଭବନର ସେଂଟ୍ରାଲ ହଲରେ ଅନୁଷ୍ଠିତ ଉତ୍ସବରେ ଲୋକସଭା ବାଚସ୍ପତି ଓମ୍ ବିରଳା, ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଂକାୟା ନାଇଡୁଙ୍କ ସମେତ କେନ୍ଦ୍ର ସରକାରର କୌଣସି ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ନ ରହିବା କଂଗ୍ରେସ ନେତୃବର୍ଗଙ୍କୁ କ୍ଷୁବ୍ଧ କରିଛି । ପ୍ରତି ବର୍ଷ ନଭେମ୍ବର ୧୪ ତାରିଖ ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଜନ୍ମ ଦିନ ପାଳନ କରାଯାଏ ଏବଂ ପାର୍ଲାମେଂଟର ସେଂଟ୍ରାଲ ହଲରେ ଥିବା ତାଙ୍କ ପୋର୍ଟରେଟରେ ପୁଷ୍ପଗୁ୍ଚ୍ଛ ପ୍ରଦାନ କରାଯାଇ ଶ୍ରଦ୍ଧାଂଜଳୀ ଅର୍ପଣ କରାଯାଇଥାଏ । ଆଜିର ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି, ରାଜ୍ୟସଭା ଅଧ୍ୟକ୍ଷ ଓ କେନ୍ଦ୍ର ସରକାରଙ୍କ ବିରିଷ୍ଠ ମନ୍ତ୍ରୀମାନେ ଅନୁପସ୍ଥିତ ରହିବା ଏକ ବିରଳ ଘଟଣା ବୋଲି ରାଜ୍ୟସଭାରେ କଂଗ୍ରେସ ମୁଖ୍ୟ ସଚେତକ ଥିବା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍ ମାଧ୍ୟମରେ ମନ୍ତବ୍ୟ ରଖିଛନ୍ତି । ନେହେରୁଙ୍କ ପ୍ରତି ଏହାଠାରୁ ବଡ଼ ଅପମାନ କଣ ହୋଇପାରେ (?) ବୋଲି ସେ ପ୍ରଶ୍ନ କରିଛନ୍ତି । ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି)ର ବରିଷ୍ଠ ନେତା ତଥା ସାଂସଦ ଡେରେକ୍ ଓ’ବ୍ରେନ୍ ଏକ ବିବୃତିରେ କହିଛନ୍ତି, ଆଜିର ଘଟଣାରେ ସେ ବିସ୍ମିତ ନୁହନ୍ତି । କେନ୍ଦ୍ରରେ କ୍ଷମତାସୀନ ଦଳ ପ୍ରତି ଦିନ ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକୁ ଧ୍ୱଂସ କରି ଚାଲିଛି । ସଂସଦ ମଧ୍ୟ ବାଦ୍ ପଡିନି । ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ପ୍ରତି ହୋଇଥିବା ଅପମାନକୁ ନିନ୍ଦା କରିଛନ୍ତି । ଆଜି ସକାଳେ ସଂସଦର ସେଂଟ୍ରାଲ ହଲରେ ଅନୁଷ୍ଠିତ ପଣ୍ଡିତ ନେହେରୁଙ୍କ ଜନ୍ମ ବାର୍ଷିକୀ ଉତ୍ସବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଭାନୁ ପ୍ରତାପ ସିଂହ ବର୍ମା, ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା ମଲ୍ଲିକାର୍ଜୁନ ଖର୍ଗେ, କଂଗ୍ରେସ ମୁଖ୍ୟା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ସମତେ କଂଗ୍ରେସ ସାଂସଦମାନେ ଯୋଗ ଦେଇଥିଲେ । ପାର୍ଲାମେଂଟର ସେଂଟ୍ରାଲ ହଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ପୋର୍ଟରେଟ୍ ୧୯୬୬ ମସିହାମେ’ ୫ ତାରିଖ ଦିନ ତତ୍କାଳୀନ ରାଷ୍ଟ୍ରପତି ଡ଼କ୍ଟର ଏସ.ରାଧାକ୍ରିଷ୍ଣନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର ଦେଶବ୍ୟାପୀ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ପ୍ରତି ସରକାରଙ୍କ ଆଡୁ ଏଭଳି ଅସୂୟା ଭାବ ପ୍ରଦର୍ଶନ କରାଯିବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସହ ସଂପୃକ୍ତ ‘ଇଂଡିଆନ କାଉନସିଲ୍ ଅଫି ହିଷ୍ଟ୍ରି ରିସର୍ଚ୍ଚ’ ପକ୍ଷରୁ ଦେଶର ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରସ୍ତୁତ କରାଯାଇଥିବା ‘ଆଜାଦୀ କି ଅମୃତ ମହୋତ୍ସବ’ ପୋଷ୍ଟରରୁ ମଧ୍ୟ ପଣ୍ଡିତ ନେହେରୁଙ୍କ ଫଟୋ ଗାଏବ ଥିଲା । ଏହାକୁ ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କ ନିକଟରେ ଦୃଢ ପ୍ରତିବାଦ କରାଯାଇଥିଲା । ଆଇସିଏଚଆରର ଏଭଳି କାର୍ଯ୍ୟକୁ ‘ନୀଚ’ ଓ ନିନ୍ଦନୀୟ ବୋଲି ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁର ଟ୍ୱିଟ୍ କରି ମନ୍ତବ୍ୟ ଦେଇଥିଲେ । ତେବେ, ଆଇସିଏଚଆରର ସ୍ପଷ୍ଟିକରଣ ଥିଲା, ପୋଷ୍ଟରରେ ଅନେକ ସ୍ୱଧୀନତା ସଂଗ୍ରାମୀଙ୍କ ଫଟୋ ସ୍ଥାନ ପାଇ ନାହିଁ । ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ଫଟୋ ସହ ପଣ୍ଡିତ ନେହେରୁଙ୍କ ଫଟୋ ଛପା ହେବ । ଆଜି ସଂସଦ ଭବନର ସେଂଟ୍ରାଲ ହଲରେ ଯାହା ଘଟିଲା ତାହା କେନ୍ଦ୍ର ସରକାରଙ୍କ ହୀନମନ୍ୟତାକୁ ପ୍ରତିଫଳିତ କରୁଛି ବୋଲି ବିରୋଧୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS