ସିବିଆଇ ଓ ଇଡ଼ି ମୁଖ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷକୁ ବଢାଇଲେ କେନ୍ଦ୍ର ସରକାର
ପ୍ରସାଦ ରାଓ
ନୂଆଦିଲ୍ଲୀ
ନଭେମ୍ବର ୧୪
କେନ୍ଦ୍ର ସରକାର ଦୁଇଟି ଅଧ୍ୟାଦେଶ ମାଧ୍ୟମରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ମୁଖ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷକୁ ବୃଦ୍ଧି କରିଛନ୍ତି । ସଂପ୍ରତି ଦୁଇ ମୁଖ୍ୟଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିଛି । ଦୁଇଟି ଯାକ ଅଧ୍ୟାଦେଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଲାଭ କରିଛି । ଏହି ଦୁଇ ଅଧ୍ୟାଦେଶ ବଳରେ କେନ୍ଦ୍ର ସରକାର ସିବିଆଇ ଓ ଇଡ଼ି ନିର୍ଦେଶକଙ୍କ ଦୁଇ ବର୍ଷିଆ କାର୍ଯ୍ୟକାଳ ସରିବା ପରେ ପ୍ରତି ବର୍ଷ କାର୍ଯ୍ୟକାଳ ବୃଦ୍ଧି କରି ତାହା ଆଉ ୩ ବର୍ଷ ଯାଏଁ ବଢାଇ ପାରିବେ । ପ୍ରବର୍ତ୍ତନ ନିର୍ଦେଶାଳୟ ମୁଖ୍ୟଙ୍କ ଦୁଇ ବର୍ଷିଆ କାର୍ଯ୍ୟକାଳ ସରିବା ପରେ ସଂପୃକ୍ତ ନିଯୁକ୍ତି କମିଟିର ସୁପାରିଶ ଏବଂ ଦର୍ଶାଯାଇଥିବା କାରଣକୁ ବିଚାରକୁ ନେଇ ପରବର୍ତ୍ତୀ ତିନି ବର୍ଷ ପର୍ଯ୍ୟନ୍ତ ବର୍ଷେ ଲେଖାଏଁ ବୃଦ୍ଧି କରାଯାଇପାରିବ । ତେବେ, ପାଂଚ ବର୍ଷ କାର୍ଯ୍ୟକାଳ ସରିବା ପରେ ସଂପୃକ୍ତ ଅଧିକାରୀଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି ହେବ ନାହିଁ । ଚଳିତ ମାସ ୧୭ ତାରିଖ ଦିନ ଦୁଇ ବର୍ଷିଆ କାର୍ଯ୍ୟକାଳ ଶେଷ କରୁଥିବା ଇଡ଼ି ନିର୍ଦେଶକ ଏସ.କେ.ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧରେ ସୁପ୍ରିମ କୋର୍ଟରେ ଏକ ମାମଲା ଦାଏର ହୋଇଥିଲା । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏଲ.ଏନ.ରାଓଙ୍କ ଅଧକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ବିଚାର କରି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ହିଁଁ ସରକାର ଏପ୍ରକାର ନିଷ୍ପତ୍ତି ନେବା ଉଚିତ ବୋଲି ରାୟ ଦେଇଥିଲେ । ଏଠାରେ ଉଲ୍ଲେଖନୀୟ ଯେ, କେନ୍ଦ୍ରରେ କ୍ଷମତାରେ ଥିବା ଦଳ ବା ସରକାର ସିବିଆଇ ଓ ଇଡ଼ି ଭଳି କେନ୍ଦ୍ରୀୟ ଏଜେନ୍ସିଙ୍କୁ ନିଜ ରାଜନୈତିକ ସ୍ୱାର୍ଥ ସାଧନରେ ବ୍ୟବହାର କରୁଛନ୍ତି ଏବଂ ବିରୋଧୀ ନେତା ଓ ପୂର୍ବତନ ମନ୍ତ୍ରୀମାନଙ୍କୁ ସିବିଆଇ, ଇଡ଼ି ତଦନ୍ତ ନାମରେ ହାରାଶ କରୁଛନ୍ତି ବୋଲି ବିରୋଧୀ ଦଳଙ୍କ ପକ୍ଷରୁ ଅଭିଯୋଗ ହୋଇ ଆସୁଛି । କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଦୁଇ ଅଧ୍ୟାଦେଶ ଆଗାମୀ ଦିନରେ ଏଭଳି ଅଧିକ ଅଭିଯୋଗ ଆସିବାର ବାଟ ଖୋଲିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS