ମମିତା ମେହେର ହତ୍ୟାକାଣ୍ଡ, ଉତ୍ତରାଂଚଳ ଡ଼ିଆଇଜିଙ୍କୁ ଘେରିଲେ ପୂର୍ବତନ ପୁଲିସ ଡ଼ିଜି
ପ୍ରସାଦ ରାଓ
ଭୁବନେଶ୍ୱର
ନଭେମ୍ବର ୧୫
କଳାହାଣ୍ଡି ଜିଲ୍ଲାରେ ଅକ୍ଟୋବର ୮ ତାରିଖ ଦିନ ଘଟି ଥିବା ମମିତା ମେହେର ହତ୍ୟାକାଣ୍ଡର ପୁଲିସ ତଦନ୍ତର ନିରପେକ୍ଷତାକୁ ନେଇ ସନ୍ଦେହ ବଢୁଛି । ମମିତାଙ୍କୁ ହତ୍ୟା କରାଯାଇଥିବା ସ୍ଥାନ ଓ ତାଙ୍କ ପ୍ରାୟତଃ ଦଗ୍ଧ ମୃତଦେହ ମିଳି ଥିବା ସ୍ଥାନ କଳାହାଣ୍ଡି ଜିଲ୍ଲାରେ ହୋଇଥିବାରୁ ତାହାର ତଦନ୍ତ ପରିସର ଦକ୍ଷିଣ-ପଶ୍ଚିମାଂଚଳ ରେଂଜ୍ ପୁଲିସ ଡ଼ିଆଇଜିଙ୍କ ଅଧିନରେ ଆସୁଛି । ତେବେ, ସମ୍ବଲପୁରରେ ଅବସ୍ଥାପିତ ଥିବା ଉତ୍ତରାଂଚଳ ରେଂଜ୍ ପୁଲିସ ଡ଼ିଆଇଜି ଦୀପକ କୁମାର ମାମଲାର ତଦନ୍ତ କରୁଛନ୍ତି । ଶନିବାର ଦିନ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ପୁଲିସ ତଦନ୍ତ ଠିକ୍ ବାଟରେ ଚାଲିଛି ବୋଲି ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ପୁଲିସ ଓ ସରକାରଙ୍କୁ କ୍ଲିନ୍ ଚିଟ୍ ଦେଲା ଭଳି ହୋଇଛି । ଆଜି ରାଜ୍ୟର ପୂର୍ବତନ ପୁଲିସ ମହାନିର୍ଦେଶକ ତଥା ବର୍ତ୍ତମାନର ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର ଏହି ପ୍ରସଙ୍ଗ ଉତ୍ଥାପନ କରି ରାଜ୍ୟ ସରକାର ଓ ଉତ୍ତରାଂଚଳ ରେଂଜ୍ ଡ଼ିଆଇଜି ଦୀପକ କୁମାରଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ସହ କଥିତ ସଂପୃକ୍ତି ଥିବା ଅଭିଯୋଗରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ଓ କଂଗ୍ରେସ ରାଜ୍ୟ ମନ୍ତ୍ରୀ ପରିଷଦରୁ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଜୋରଦାର ଆନ୍ଦୋଳନ ଚଳାଇ ଥିବା ବେଳେ ଉତ୍ତରାଂଚଳ ରେଂଜ୍ ପୁଲିସ ଡ଼ିଆଇଜି ସାମ୍ବାଦିକ ସମ୍ମିଳନୀ କରି ‘ତଦନ୍ତ ଠିକ୍ ବାଟରେ ଚାଲିଛି’ ବୋଲି ଗଣମାଧ୍ୟମରେ ମନ୍ତବ୍ୟ ରଖିବା ବଲାଂଗୀର ପୁଲିସକୁ କ୍ଲିନ୍ ଚିଟ୍ ଦେଲା ଭଳି ହୋଇଛି । ଏହା ମଧ୍ୟ ଉତ୍ତରାଂଚଳ ଡ଼ିଆଇଜି ଅଧିକାର ପରିସର ବାହାରେ ବୋଲି ପୂର୍ବତନ ପୁଲିସ ଡ଼ିଜି ମିଶ୍ର ଗଣମାଧ୍ୟମକୁ କହିଛନ୍ତି । ଉତ୍ତରାଂଚଳ ରେଂଜ୍ ପୁଲିସ ଡ଼ିଆଇଜି ଦୀପକ କୁମାର ଶନିବାର ଦିନ ଏହି ସାମ୍ବାଦିକ ସମ୍ମିଳନୀ କରି ଥିଲେ । ମିଶ୍ର କହିଛନ୍ତି, ମମିତା ମେହେର ହତ୍ୟାକାଣ୍ଡ ଭଳି ଏକ ସ୍ପର୍ଶକାତର ଘଟଣାର ତଦନ୍ତ ଚାଲୁ ରହି ଥିବା ବେଳେ ଉତ୍ତରାଂଚଳ ଡ଼ିଆଇଜି ଦୀପକ କୁମାର ଗଣମାଧ୍ୟମ ନିକଟରେ ଏଭଳି ମନ୍ତବ୍ୟ ରଖିବା ବଲାଂଗୀର ପୁଲିସକୁ କ୍ଲିନ୍ ଚିଟ୍ ଦେଲା ଭଳି ହୋଇଛି । ଏହାଦ୍ୱାରା, ପୁଲିସ ତଦନ୍ତକୁ ବାଟବଣା କରୁଛନ୍ତି ଏବଂ ହତ୍ୟାକାଣ୍ଡ ସହ ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ ଘଂଟ ଘୋଡାଇବା ଉଦ୍ୟମ କରୁଛନ୍ତି ବୋଲି ସନ୍ଦେହ ସୃଷ୍ଟି ହୋଉଛି । ନିକଟରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଗଣମାଧ୍ୟମକୁ ଭେଟି ଅନୁରୂପ ଅଭିଯୋଗ କରିଥିଲେ । ମିଶ୍ର କହିଛନ୍ତି, ଉତ୍ତରାଂଚଳ ଡ଼ିଆଇଜି ଦୀପକ କୁମାରଙ୍କ ସାମ୍ବାଦିକ ସମ୍ମିଳନୀ ଓ ‘ତଦନ୍ତ ଠିକ୍ ବାଟରେ ଚାଲିଛି’ ବୋଲି ମନ୍ତବ୍ୟ ତଥ୍ରାଭିଜ୍ଞ ମହଲକୁ ବିସ୍ମିତ କରିଛି । ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ବଲଂଗୀର ଜିଲ୍ଲା ପୋଲିସରେ ମାମଲା ରୁଜୁ ହୋଇଥିବା ବେଳେ ବାସ୍ତବରେ ହତ୍ୟାକାଣ୍ଡ ଏବଂ ଯେଉଁ ଷ୍ଟାଡିୟମରୁ ତାଙ୍କ ଦଗ୍ଧ ଶରୀରର ଅଂଶ ମିଳିଛି ତାହା ଆସୁଛି କଳାହାଣ୍ଡି ଜିଲ୍ଲା ପୁଲିସ ଅଧିନରେ । ଯେଉଁ ଶିକ୍ଷାନୁଷ୍ଠାନରେ ଯୌନକେଲେଂକାରୀ ଅଭିଯୋଗକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ସଂପୃକ୍ତ ଶିକ୍ଷାନୁଷ୍ଠାନ (ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲ)ର ଅବସ୍ଥିତି ରହିଛି କଳାହାଣ୍ଡି ଜିଲ୍ଲାରେ । ପୂର୍ବରୁ ଜାତୀୟ ମହିଳା କମିସନ୍ (ଏନସିଡବ୍ଲ୍ୟୁ) ବଲାଂଗୀର ଏସପିଙ୍କୁ ଯେତେବେଳେ ସମନ କରିଥିଲେ ଓ ମମିତା ମେହେର ହତ୍ୟାକାଣ୍ଡ ସଂପର୍କରେ ରିପୋର୍ଟ ମାଗି ଥିଲେ ସେତେବେଳେ ବଲାଂଗୀର ଏସପି କମିସନଙ୍କୁ ଜଣାଇ ଥିଲେ ଯେ, ହତ୍ୟାକାଣ୍ଡ ଘଟିଥିବା ଓ ମୃତ ଦେହର ଅଂଶବିଶେଷ ଜବତ ହୋଇଥିବା ସ୍ଥଳ କଳାହାଣ୍ଡି ଜିଲ୍ଲା ହୋଇଥିବାରୁ ମମିତା ହତ୍ୟା ଘଟଣା ତାଙ୍କ ତଦନ୍ତ ପରିସରରେ ଆସୁ ନାହିଁ । ସେ ତଦନ୍ତରେ ହସ୍ତକ୍ଷେପ କରିପାରିବେ ନାହିଁ । ବାସ୍ତବିକତା ମଧ୍ୟ ସେୟା । ହତ୍ୟାକାଣ୍ଡ ଘଟିଛି କଳାହାଣ୍ଡି ଜିଲ୍ଲାରେ, ଯାହାକି ଉତ୍ତରାଂଚଳ ରେଂଜ୍ ପୁଲିସ ଡ଼ିଆଇଜି (ସମ୍ବଲପୁର)ଙ୍କ ତଦନ୍ତ ପରିସର ବାହାରେ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ-ପଶ୍ଚିମାଂଚଳ ରେଂଜ୍ ପୁଲିସ ଡ଼ିଆଇଜି (କୋରାପୁଟ)ଙ୍କ ଅଧିନରେ ରହିଛି । ତେବେ, ଏତଲା ବଲାଂଗୀର ପୁଲିସରେ ହୋଇଥିବାରୁ ସେଠାକାର ପୁଲିସ ଘଟଣାର ତଦନ୍ତ କରୁଛି । ତେବେ, ରେଂଜ୍ ଜୁରିସ୍ଡ଼ିକ୍ସନ୍ ଦୃଷ୍ଟିରୁ ମମିତା ହତ୍ୟାକାଣ୍ଡର ତଦନ୍ତକୁ ନେଇ ଉତ୍ତରାଂଚଳ ଡ଼ିଆଇଜି ଦୀପକ କୁମାର ଗଣମାଧ୍ୟମରେ କୌଣସି ମନ୍ତବ୍ୟ ରଖିବା ଅଧିକାର ରଖୁ ନାହାନ୍ତି ବୋଲି ପୂର୍ବତନ ଡ଼ିଜି ମିଶ୍ର କହିଛନ୍ତି । ଯେଉଁଠି ଗୋଟିଏ ଅପରାଧ ଘଟଣାକୁ ନେଇ ଦୁଇଟି ଜିଲ୍ଲାର ସଂପୃକ୍ତି ଆସୁଛି ସେଠି ତଦନ୍ତ ପରିସରକୁ ନେଇ ବିବାଦ ଉପୁଜିବା ସ୍ୱାଭାବିକ । ଏଭଳି କ୍ଷେତ୍ରରେ ରାଜ୍ୟ ସରକାର ମାମଲାକୁ କ୍ରାଇମ୍ ବ୍ରାଂଚକୁ ହସ୍ତାନ୍ତର କରିଥିଲେ ଏହି ବିବାଦର ଅବକାଶ ନଥା’ନ୍ତା । କିନ୍ତୁ, ରାଜ୍ୟ ସରକାର ପ୍ରଥମରୁ କ୍ରାଇମ୍ ବ୍ରାଂଚ ତଦନ୍ତ ଦାବିକୁ ଏଡାଇ ଚାଲିଛନ୍ତି ବୋଲି ମିଶ୍ର କହିଛନ୍ତି । ମମିତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଅନ୍ୟ ସଂପୃକ୍ତଙ୍କୁ ଖସାଇ କରାଇବା ଦିଗରେ ରାଜ୍ୟ ସରକାର ଓ ପୁଲିସ ପ୍ରୟାସ କରୁଛନ୍ତି ବୋଲି ମିଶ୍ର ଅଭିଯୋଗ କରିଥିବା ବେଳେ ବିଜେଡ଼ି ଏହି ଅଭିଯୋଗକୁ ଅସ୍ୱୀକାର କରିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS