ବିଜେପିର ବଡ଼ ପ୍ରଦର୍ଶନ, ପୂର୍ବାଂଚଳ ଏକ୍ସପ୍ରେସୱେ ଉଦ୍ଘାଟିତ

ସୁଲତାନପୁର
ନଭେମ୍ବର ୧୬
୨୦୨୨ ଫେବୃୟାରୀ/ମାର୍ଚ୍ଚରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଶାସକ ବିଜେପି ଆଜି ସୁଲତାନପୁର ଜିଲ୍ଲାର କରୱାଲ ଖେରିରେ ନିଜର ଶକ୍ତି ପ୍ରଦର୍ଶନ କରିଛି । ତିନି ବର୍ଷ ତଳେ ଆଜମଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ସୁଦୀର୍ଘ ପୂର୍ବାଂଚଳ ଏକ୍ସପ୍ରେସୱେ ଆଜି ତାଙ୍କରି ଦ୍ୱାରା ଉଦ୍ଘାଟିତ ହୋଇଛି । ୨୨ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ଏହି ୩୪୧ କିମି ଦୀର୍ଘ ଏକ୍ସପ୍ରେସୱେର ନିର୍ମାଣ କାର୍ଯ୍ୟ ତିନି ବର୍ଷରେ ସରି ଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସରି ଯିବ ବୋଲି ତାଙ୍କ ଆଶା ନଥିଲା ବୋଲି ସେ କହିଛନ୍ତି । ଯେଉଁମାନେ ୟୁପି ସରକାରଙ୍କ ଦକ୍ଷତା କେତେ ଜାଣିବାକୁ ଚାହୁଁଛନ୍ତି ସୁଲତାନପୁର ଆସନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆହ୍ନାନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିନ ସାଢେ ଗୋଟାଏ ସମୟରେ ସି-୧୩୦ଜେ ସୁପର ହର୍କୁଲସ୍ ଟ୍ରାନ୍ସପୋର୍ଟ ବିମାନ ଯୋଗେ ଆସି ନବ ନିର୍ମିତ ଏକ୍ସପ୍ରେସୱେରେ ଅବତରଣ କରିବା ପରେ ଏକ୍ସପ୍ରେସୱେରେ ନିର୍ମିତ ୩.୨ କିମି ଲମ୍ବ ଏୟାରଷ୍ଟ୍ରିପ୍ ରେ ଭାରତୀୟ ବାୟୁ ସେନା ଦ୍ୱାରା ପ୍ରଦର୍ଶିତ ଯୁଦ୍ଧ ବିମାନଗୁଡିକର ଏୟାର ସୋ’କୁ ଉପଭୋଗ କରିଥିଲେ । ଜରୁରୀ ସମୟରେ ଏକ୍ସପ୍ରେସୱେରେ ନିର୍ମିତ ଏୟାରଷ୍ଟ୍ରିପ୍ ରେ ବିମାନ ବାହିନୀର ଲଢୁଆ ଯୁଦ୍ଧ ବିମାନ ଅବତରଣ କରି ପାରିବ ଏବଂ ଏଠାରୁ ଉଡାଣ ମଧ୍ୟ ଭରି ପାରିବ ବୋଲି ଜଣାପଡିଛି ।
ଛଅ ଲେନ୍ ବିଶିଷ୍ଟ ଏହି ସୁଦୀର୍ଘ ନୂତନ ଏକ୍ସପ୍ରେସୱେରେ ସଡ଼କ ପଥରେ ଦିଲ୍ଲୀରୁ ପୂର୍ବ ଉତ୍ତର ପ୍ରଦେଶ ଦେଇ ବିହାର ସୀମାନ୍ତରେ ପହଂଚିବାକୁ ମାତ୍ର ୧୦ ଘଂଟା ସମୟ ଲାଗିବ । ଭବିଷ୍ୟତରେ ଏହା ଆଠ ଲେନ୍ କୁ ସଂପ୍ରସାରିତ ହେବ ବୋଲି ସୂଚନା ମିଳିଛି । ଏହି ଏକ୍ସପ୍ରେସୱେ ଲକ୍ଷ୍ନୌର ଚାନ୍ଦସରାଇ ଗ୍ରାମରୁ ବାହାରି ୟୁପି-ବିହାର ସୀମାନ୍ତ ଘାଜିପୁରର ହାଇଦରିଆ ଗ୍ରାମ ନିକଟରେ ଶେଷ ହୋଇଛି । ହାଇଦରିଆ ଗ୍ରାମ ଜାତୀୟ ରାଜପଥ ୩୧ରେ ପଡୁଛି, ଯଉଁଠାରୁ କି ୟୁପି-ବିହାର ସୀମାନ୍ତର ଦୂରତ୍ୱ ମାତ୍ର ୧୮ କିମି । ନୂତନ ଏକ୍ସପ୍ରେସୱେ ନିର୍ମାଣ ଫଳରେ ୟୁପି ପୂର୍ବାଂଚଳ, ବିଶେଷକରି ଲକ୍ଷ୍ନୌ, ବାରବାଂକି, ଆମେଥି, ଅଯୋଧ୍ୟା, ସୁଲତାନପୁର, ଆମ୍ବେଦକର ନଗର, ଆଜମଗଡ଼, ମାଉ ଓ ଘାଜିପୁରର ଅର୍ଥନୈତିକ ଦୃଷ୍ଟିରୁ ସମୃଦ୍ଧ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସପ୍ରେସୱେକୁ ଉଦ୍ଘାଟନ କରି କହିଛନ୍ତି । ସେ କହିଛନ୍ତି, ମାତ୍ର ତିନି ବର୍ଷ ଭିତରେ ଏହି ବିଶାଳକାୟ ଓ ଅତ୍ୟାଧୁନିକ ଛଅ ଲେନ୍ ବିଶିଷ୍ଟ ଏକ୍ସପ୍ରେସୱେର ନିର୍ମାଣ କାର୍ଯ୍ୟ ସରିବ ବୋଲି ସେ ଆଶା କରି ନଥିଲେ । ଯେଉଁମାନେ ୟୁପି ସରକାରଙ୍କ ଦକ୍ଷତାକୁ ଆକଳନ କରିବାକୁ ଚାହୁଁଛନ୍ତି ସେମାନେ ସୁଲତାନପୁର ଆସନ୍ତୁ । ତିନିରୁ ଚାରି ବର୍ଷ ତଳେ ଏହା କେବଳ ଜମି ଖଣ୍ଡେ ଥିଲା ।
ପ୍ରଧାନମନ୍ତ୍ରୀ ଏହି ଉଦ୍ଘାଟନ ଉତ୍ସବରେ ୟୁପିର ପୂର୍ବ ସମାଜବାଦୀ ପାର୍ଟି (ଏସପି) ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି । ରାଜ୍ୟରେ ପୂର୍ବରୁ ଯେଉଁମାନେ ଶାସନରେ ଥିଲେ ସେମାନେ ତାଙ୍କ ଗସ୍ତ ସମୟରେ ତାଙ୍କୁ ସ୍ୱାଗତ କରିବାକୁ ପଛାଉ ଥିଲେ । ଏକା ମଂଚରେ ଠିଆ ହେବାକୁ ମଧ୍ୟ ପଛଘୁଂଚା ଦେଉଥିଲେ । ସେମାନେ ଭୟ କରୁଥିଲେ ତାଙ୍କ ସହ ଗୋଟିଏ ମଂଚରେ ଠିଆ ହେଲେ ସଂଖ୍ୟାଲଘୁ ଭୋଟବ୍ୟାଙ୍କ ହାତଛଡା ହୋଇଯିବ । ପୂର୍ବ ସରକାର ପୂର୍ବ ଉତ୍ତର ପ୍ରଦେଶକୁ ‘ମାଫିଆ’ ଓ ‘ଦାରିଦ୍ର୍ୟ’ ହାତରେ ଟେକି ଦେଇଥିଲେ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି । ଏକାଧିକ ଏକ୍ସପ୍ରେସୱେ ନିର୍ମାଣ ମାଧ୍ୟମରେ ରାଜ୍ୟକୁ ଶିଳ୍ପ ସମୃଦ୍ଧି ଆଡକୁ ନିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜିର ଉତ୍ସବରେ ଭାଷଣ ପ୍ରସଙ୍ଗରେ କହିଛନ୍ତି, ରାଜ୍ୟର ପୂର୍ବାଂଚଳ ସହ ପଶ୍ଚିମାଂଚଳକୁ ଯୋଡିବାକୁ ତାଙ୍କ ସରକାର ସଂକଳ୍ପବଦ୍ଧ । ରାଜ୍ୟରେ ଗଂଗା ଏକ୍ସପ୍ରେସୱେର ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ଆରମ୍ଭ ହେବ । ଗୋରଖପୁରରୁ ବାଲିଆ ଲିଂକ୍ ଏକ୍ସପ୍ରେସୱେର ନିର୍ମାଣ କାର୍ଯ୍ୟ ମଧ୍ୟ ଆସନ୍ତା କିଛି ବର୍ଷ ମଧ୍ୟରେ ସରିବ । ଉତ୍ତର ପ୍ରଦେଶ ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡ଼େଭଲପମେଂଟ ଅଥରିଟିକୁ ଏହି ସବୁ ପ୍ରେଜେକ୍ଟର ନିର୍ମାଣ ଦାୟିତ୍ୱ ଦିଆଯାଇଛି । ଏହି ସବୁ ଏକ୍ସପ୍ରେସ୍ୱେ ନିର୍ମାଣ ସରିଲେ ରାଜଧାନୀ ଦିଲ୍ଲୀ ସହ ୟୁପିର କୋଣ ଅନୁକୋଣ ସଡ଼କ ପଥରେ ଯୋଡ଼ି ହୋଇଯିବ ଏବଂ ଅର୍ଥନୈତିକ ବିକାଶ ସହ ନୂତନ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS